ଅପୂର୍ଣ୍ଣା

 

 

 

 

 

 

 

 

 

 

 

ଅପୂର୍ଣ୍ଣା

ଉମେଶ ଚନ୍ଦ୍ର ଜେନା

 

ପ୍ରିୟ ପାଠକେ,

 

ଏଠି ସେଠି ପଡ଼ିଥିବା ପ୍ରାକୃତିକ ରଙ୍ଗଗୁଡ଼ିକୁ ଗୋଟାଇ ରଙ୍ଗୀନ ଫୁଲଟିଏ କରିବାର ପ୍ରୟାସ କରିଛି । ଜୀବନ-ଯନ୍ତ୍ରଣା, ସମାଜର ତାଡ଼ନା ତଥା ଭାଗ୍ୟର ଦୈନ୍ୟ ଯୋଗୁ ଉଣା ହୋଇଛି ଲାଲିମା । ତେଣୁ ଅନ୍ତର ମଧ୍ୟରୁ ନିଗାଡ଼ି ଦେଇଛି ଲହୁ । ଚେଷ୍ଟା କରିଛି ଫୁଲରେ ଭରିବାକୁ ରକ୍ତର ଲାଲିମା ।

 

ପ୍ରସ୍ତୁତି ଓ ପ୍ରତୀକ୍ଷା ପରେ ହିଁ ପ୍ରଗତିର ରଥ ଗଡ଼ିଚାଲେ । ଏଇ ଫୁଲଟି ଏବେ ଆପଣଙ୍କ ହାତରେ । ରୂପ ଗୁଣ ପରୀକ୍ଷା କରନ୍ତୁ, ଆପଣାନ୍ତୁ, ଅନୁଭବ କରନ୍ତୁ । ଗୁଣମୁଗ୍‍ଧ ହେଲେ ପ୍ରତିକ୍ରିୟାର ପତ୍ରଟିଏ ଲେଖନ୍ତୁ ।

 

ମନ ଭରି ନାହିଁ ଏଯାଏ । ପ୍ରୟାସ ଏବେ ମଧ୍ୟ ଜାରିରହିଛି ।

 

ଲେଖକ

Image

 

ସୂଚୀପତ୍ର

 

୧.

ଅପୂର୍ଣ୍ଣା

୨.

ଗ୍ରାମ୍ୟ ପ୍ରୀତିର ଇତିବୃତ୍ତ

୩.

ଭଗ୍ନସ୍ୱପ୍ନ

୪.

ଯାଚିତ ପିତୃତ୍ୱ

୫.

ଶେଷ ଚିଠି

୬.

‘‘ମୋ ତନୁ ଦଗ୍‍ଧ ହେଲେ....’’

୭.

ଘୃଣାରେ ବାତ୍ସଲ୍ୟ

୮.

ପରିଣତି ଏକ ପ୍ରଶ୍ନବାଚୀ

୯.

ଦୈନ୍ୟ ଭାଗ୍ୟର

୧୦.

ନିଷ୍ପତ୍ତି କାହା ପାଇଁ

Image

 

ଅପୂର୍ଣ୍ଣା

 

ରେବତୀ ଭାବୁଛି ଯାହା ସେ କଲା, ତାହା କ’ଣ ଠିକ୍ ?

 

ମନେ ପଡ଼ି ଯାଉଛି ତାର ଅତୀତ । ତା’ରି ପିଲାଦିନର କଥା । ପିଲାଦିନର ସାଥ ସଂଗାତ, ଡୁ ଡୁ ଖେଳ, ବୋହୁ ଚୋରି ଖେଳ ସବୁ ମନେ ପଡ଼ୁଛି ଆଜି । ଗାଁ ମୁଣ୍ଡର ଟାଇଲ ଛପରଦିଆ ପ୍ରଶସ୍ତ ବାରଣ୍ଡାବାଲା ସ୍କୁଲ ଘର, ସେ ପାଖର ଝଙ୍କା ବରଗଛ । ତା’ରି ମୂଳରେ ଠାକୁରାଣୀ ବନ୍ଧ ଖରା ବର୍ଷା ସବୁଦିନେ ଭରପୁର । ବନ୍ଧ କଡ଼କୁ ବିସ୍ତୀର୍ଣ ଖେଳ ପଡ଼ିଆ । ଖେଳ ପଡ଼ିଆ ଶେଷ ଆଡ଼କୁ ଆମ୍ବ ତୋଟା ଆଉ ତା’ରି ମଝିରେ ରାସ୍ତାକୁ ଲାଗି ଗାଁ ମଶାଣି ଭୁଇଁ । ତା’ରି ସାଙ୍ଗ ରୁନୁ, ଝୁନୁ, ଟିକି, ମିନି ଆଉ ସୁରୁ ସାଙ୍ଗର ଧୂଳିଖେଳ, ବରଗଛ ମୂଳରେ ରେସ୍ ଖେଳ, ପୁଣି ପୋଖରୀରୁ କଇଁ ଫୁଲ ତୋଳା ଆଦି ସବୁ ଆଜି ଚଳଚ୍ଚିତ୍ର ପରି ପରଦାରେ ଭାସିଯାଉଛି । ସ୍ତୁତି ପେଡ଼ିକୁ ଖୋଲିଦେଇ ପ୍ରତ୍ୟେକଟି ସ୍ମୃତିରେ ଶିହରିତ ହେଉଛି ।

 

ସବୁଠୁ ବେଶୀ ଶିହରିତ ହେଉଛି ସେଦିନର କଥା ମନେପକାଇ । ସେଦିନ ସ୍କୁଲରୁ ତାର ତିନି ସାଙ୍ଗ ସହ ଅନ୍ୟ ଦିନ ପରି ସେ ଯାଇଥିଲା, ପୋଖରୀ କୁଳକୁ କଇଁ ଫୁଲ ତୋଳି । ଆଠ ନଅ ବର୍ଷର ଅନୂଢ଼ା କିଶୋରୀ ସେ ସେତେବେଳକୁ । ରାଜୁଡ଼ା ସମୟରେ ସବୁଠାରୁ ଶକ୍ତିଶାଳୀ ଜମିଦାର ଶ୍ରୀ ଭାନୁ ପ୍ରତାପଙ୍କର ସେ ନାତୁଣୀ । କର୍ପୂର ଉଡ଼ି ଯାଇଥିବା କନାର ମୁଲ୍ୟ ଅନ୍ୟ କିଏ ବୁଝୁ ନ ବୁଝୁ କନା କିନ୍ତୁ ଠିକ୍ ବୁଝେ । ଐତିହ୍ୟ ନେଇ ବେଶ୍ ଗର୍ବିତ ହୁଏ । ସେଇ ନ୍ୟାୟରେ ରେବତୀର ପରିବାର ମଧ୍ୟ ସମୃଦ୍ଧ ଓ ବିତ୍ତଶାଳୀ । ଆଗ ଭଳି ନ ହେଲେ ବି ବାହାରର ଚାକଚକ୍ୟ ଏବେ ବି କମିନି । ଏଭଳି ଏକ ଆଭିଜାତ୍ୟପୂର୍ଣ୍ଣ ପୃଷ୍ଠଭୂମି ପାଇ ବେଶ୍ ସୁସ୍ଥ ସତେଜ ବାଲ୍ୟ ଜୀବନ ଅତିବାହିତ କରୁଥିବା ରେବତୀ ସେତେବେଳେ କାହିଁକି, ଏବେ ବି ଗାଁର ସବୁ ଝିଅଙ୍କ ଠାରୁ ସୁନ୍ଦର ନିଶ୍ଚୟ । ବାଲ୍ୟ ସୁଲଭ ସରଳତାପୂର୍ଣ ସୁନ୍ଦର ଗୋରା ତକ୍ ତକ୍ ଗୋଲ ମୁହଁ ଏବଂ ନିଖୁଣ ଅଙ୍ଗ ସୌଷ୍ଠବ ଦେଲେ ଶତ୍ରୁର ମଧ୍ୟ ଆଖି ଲାଖି ଯାଉଥିଲା କିଛି କ୍ଷଣ ପାଇଁ । ତା’ରି ସାଙ୍ଗ ରିନୁ, ଝୁନୁ, ଟିକି, ମିନି ଓ ସୁରୁ ଠାରୁ ସେ ସବୁଠୁ ବେଶୀ ଆକର୍ଷଣୀୟା ଥିଲା । ସେ ଦିନ ଠାକୁରାଣୀ ବନ୍ଧ କଡ଼ର ଖେଳ ପଡ଼ିଆ ମୁଣ୍ଡରେ ଗାଁ ଶ୍ମଶାନ ପାଖରେ ଗାଁର ଗାଈଚରା ପିଲାମାନେ ଗୋଠ କରିଥିଲେ । ଗୋଠ ଜଗିଥିଲେ ଦୁଇଜଣ । ଜଣେ ମଧ୍ୟବୟସ୍କ ଏବଂ ଅନ୍ୟ ଜଣେ ଦଶ ବାର ବର୍ଷର ବାଳକଟିଏ । କଳା ରଙ୍ଗର ହାଫଟାଏ ପିନ୍ଧି, ଫୁଙ୍ଗୁଳା ଦେହରେ ହାତରେ ପାଞ୍ଚଣ ଖଣ୍ଡେ ଧରି ଗାଈ ପଛରେ ଦୌଡ଼ି ଆସୁଥିଲା ତୁହାକୁ ତୁହା । ରେବତୀ ସାଥଙ୍କ ସହ ବନ୍ଧ ତଳକୁ ଓହ୍ଲାଇ ଆସୁ ଆସୁ ଶୁଣିଥିଲା ।

 

“ଏଇ ଗୋପାଳ ଦେଖ । ଏଇ ବିଜୁଳି ଖୁଣ୍ଟ ଦେଖୁଛୁ..... ତା’ ଉପରେ ଯେଉଁ ତାର ବନ୍ଧା ହୋଇଛି, ତାକୁ ଯଦି ତୁ ଛୁଇଁ ଦେବୁ ନା ତା ହେଲେ ତୁ ଏଇ ଆଗରେ ଆସୁଥିବା ଗୋରୀ ଝିଅକୁ ବାହାହେବୁ । ନିକଟସ୍ଥ ବିଜୁଳି ଖୁଣ୍ଟକୁ ଲକ୍ଷ୍ୟକରି କହୁଥିଲା ଅର୍ଦ୍ଧବୟସ୍କ ଲୋକଟି । ସତରେ ମଉସା... ତା ହେଲେ ଏଇ ଦେଖ” କହି ମାଙ୍କଡ଼ ପରି ବିଜୁଳି ଖୁଣ୍ଟରେ ଚଢ଼ି ଯାଇ ତାକୁ ଛୁଇଁ ଦେଲା ଅଳ୍ପକ୍ଷଣ ମଧ୍ୟରେ । ରେବତୀ ଜାଣିଥିଲା ଏ କାର୍ଯ୍ୟ କେଡ଼େ ବିପଦପୂର୍ଣ୍ଣ । ମାତ୍ର କିଛି କହିବା ପୂର୍ବରୁ ପିଲାଟା ତାର ଛୁଇଁ ସାରିଥିଲା । ଭାଗ୍ୟକୁ ସେତେବେଳେ ବିଜୁଳି ପ୍ରବାହ ନ ଥିବାରୁ ବଞ୍ଚି ଯାଇଥିଲା ଏବଂ ସହଜରେ ଓହ୍ଲାଇ ପଡ଼ିଲା । ଆଶ୍ଵସ୍ତିରେ ନିଶ୍ୱାସ ଭରି ସେ ଦିନ ଫେରି ଆସିଥିଲେ ସେ ଓ ତା’ର ସାଥିମାନେ ।

 

ସେ ଦିନତ ଏ କଥା ରେବତୀ ତଥା ତା’ର ସାଥିଙ୍କ ବାଲ୍ୟ ଚପଳତାପୂର୍ଣ୍ଣ ମସ୍ତିସ୍କକୁ ଖୁବ୍‍ ଆମୋଦ ଦେଇଥିଲା । ମାତ୍ର ପରେ ଯେବେ ବୟସ ବଢ଼ିବା ସଂଗେ ସଂଗେ ବୁଦ୍ଧିମତାର ବୃଦ୍ଧି ସାଙ୍ଗକୁ ସେଇ ଘଟଣାର ଭୟାବହତା ହୃଦୟଙ୍ଗମ କଲା ଖୁବ୍ ଶିହରିତ ହୋଇପଡ଼େ ରେବତୀ । ସତରେ ସେଦିନର ସେଇ ବୟସ୍କ ଲୋକଟିର ମୂର୍ଖତା ପୂର୍ଣ୍ଣ କୌତୁକ ଗୋଟିଏ ନିରୀହ ବାଳକ ପାଇଁ ପ୍ରାଣଘାତୀ ହୋଇଥାନ୍ତା ।

 

କ୍ରମେ ବାଳିକାଟି ରୂପ ବଦଳେଇ କିଶୋରୀ ସାଜିଲା । ପୁଣି ରୂପ ବଦଳେଇ ନବ ଯୁବତୀ ସାଜିଲା । ପ୍ରକୃତିକୁ ଦେଖି ଅନୁଭବ କରି ଶିଖିଲା । କୋଇଲିର କୁହୁତାନ କେବଳ ଖତେଇ ହେବା ପାଇଁ ନୁହଁ, ତା’ର ବି ମାଧୁର୍ଯ୍ୟ ଅଛି । ତା’ର ବି ଅର୍ଥ ଅଛି, ଏ କଥା ବୁଝି ପାରିଲା । ବସନ୍ତ ଦେଖିଲା, ଶ୍ରାବଣ ଜାଣିଲା, ମନରେ ଉତ୍ତେଜନା, ହୃଦୟରେ ପୁଲକ ଅନୁଭବ କଲା । ସାଙ୍ଗ ଯୁବତୀଙ୍କ ଠାରୁ କାହାଣୀ ଶୁଣିଲା । ପ୍ରେମ ବୋଲି ଅଢ଼େଇ ଅକ୍ଷରର ମାନେ ବୁଝିଲା ।

 

ସେ ଦିନ ବାପାଙ୍କ ସଙ୍ଗେ ଫେରୁଥିଲା ଗାଁକୁ ରିକ୍‍ସା ଯୋଗେ କଲେଜ ହଷ୍ଟେଲରୁ । ରାସ୍ତାକଡ଼ ଜମିରେ ହଳ କରୁଥିଲେ ଦୁଇଜଣ । ଜଣେ ବୃଦ୍ଧ ଆଉ ଜଣେ ଯୁବକ । ପିନ୍ଧାଲୁଙ୍ଗିକୁ ଭାଙ୍ଗିକରି ଅଣ୍ଟାରେ ଖୋସି ନାଁ ହାତରେ ଲଙ୍ଗଳ କଣ୍ଟି ଓ ଡାହାଣ ହାତରେ ପାଞ୍ଚଣଟାଏ ଧରି ହଳ କରୁଛି ଯୁବକଟି ଖୁବ୍ ବଳିଷ୍ଠ ଦେହ, କୁନ୍ଦିଲା ପରି ମାଂସପେଶୀ । ଗୋରା ବର୍ଣ୍ଣର ଦେହ ଖରାରେ ଶିଝି ଶିଝି ତମ୍ବା ବର୍ଣ୍ଣର ହୋଇଯାଇଛି । ଶୁଣିଲା ରେବତୀ, “ଏଇ ଗୋପାଳ... ଦେଖ୍‍ବେ ତୁ ଯାକୁ ବାହାହବୁ ବୋଲି ବିଜୁଳି ଖୁଣ୍ଟରେ ଚଢ଼ି ଯାଇଥିଲୁ । ଦେଖ୍‍ ସେଇ ଆସୁଛି ରିକ୍‍ସାରେ । ଦେଖ୍‍ ତ କେତେ ସୁନ୍ଦର ହେଇଛି.....ଫୁଲଟେ ପରିକା ।

 

ଆଖି ଉଠାଇ ଚାହିଁଥିଲା ରିକ୍‍ସା ଆଡ଼କୁ ଗୋପାଳ । ରେବତୀ ବି ଠିକ୍ ସେଇ ଆଡ଼କୁ ଚାହିଁଥିଲା । ଆଖିରେ ଆଖି ମିଶିଗଲା, ମାତ୍ର ରେବତୀକୁ ଲାଗିଲା ଯେମିତି ଗୋପାଳର ଆଖି ଯୋଡ଼ିକ କହୁଛି “କାହିଁ ତୁମେ... କାଲି ମୁଁ... ଏଇ ପାଗଳର କଥା ଧରିବ ନାହିଁ ଦୟାକରି ।”

 

ସେ ଦିନଗୁଡ଼ାକ ଅତୀତ ଗର୍ଭରେ ଲୁଚି ଯାଇଛି । କେବଳ ସୁଖକର ଅନୁଭୂତିର ସ୍ମୃତି ଗେଞ୍ଜି ହୋଇଯାଇଛି ହୃଦୟର କୋଉ କୋଣରେ । ଏବେ ତ ରେବତୀ ପାଇଁ ତା’ର ବର୍ତ୍ତମାନର ପରିସୀମା ଖୁବ କଷ୍ଟଦାୟକ ହୋଇଯାଇଛି । ଇଚ୍ଛାକୃତ ଭାବେ ହେଉ ବା ଅନିଚ୍ଛାକୃତ, ତା’ର ମନ ବର୍ତ୍ତମାନ ପ୍ରାଚୁର୍ଯ୍ୟର ମୋହରେ ବାନ୍ଧି ହୋଇଯାଇଛି ଏବଂ ଏଇ ରକ୍ଷଣଶୀଳ ଡୋରର ଚାରିପାଖେ ରହିଛି ସମାଛ ନାମକ ନିଆଁ । ଆଉ ସେଇ ବର୍ତ୍ତମାନର ଡୋର ବେଳେ ବେଳେ ସର୍ପ ବନି ଦଂଶିଯାଉଛି ତାକୁ । ତାରି ଜ୍ୱାଳାରେ ହାଇଁ ପାଇଁ ହେଉଛି । ହଜାର ବାର ଚାହୁଁଛି ବନ୍ଧନ ଡେଇଁ ଚାଲିଯାତ୍ରା... ମାତ୍ର ଯିବ କୁଆଡ଼େ... ନିଆଁ ତେଜରେ ଝୁଲୁସି ହୋଇଯିବା ସାର ସିନା... ।

 

ରେବତୀ ବିଶ୍ଳେଷଣ କଲା ତାର ବର୍ତ୍ତମାନକୁ । କେନ୍ଦୁଝରର ଧରଣୀଧର କଲେଜରୁ ବି.ଏ. ସାରିଲା ପରେ, ବାପା ତାର ପାତ୍ର ଖୋଜି ଖୋଜି ଶେଷରେ ଏଇ ଶୁଭେନ୍ଦୁ ପ୍ରତାପଙ୍କ ସାଙ୍ଗରେ ବିବାହ କରାଇଦେଲେ । ଶୁଭେନ୍ଦୁ ପ୍ରତାପ ଜଣେ ଖୁବ୍ ପ୍ରତିଷ୍ଠିତ ସୁନାମଧନ୍ୟ ଓକିଲ ବୀରଭଦ୍ର ସିଂଙ୍କର ସୁପୁତ୍ର । ପିତାମାତାଙ୍କ ଏକମାତ୍ର ପୁତ୍ର ନିଜ ଜିଦ୍‍ରେ ନିଜର ଭବିଷ୍ୟତ ତିଆରି କରି ସାଜିଲେ ଇଣ୍ଡିଆନ୍ ଏୟାର ଲାଇନ୍‍ସର ଜଣେ ‘ପାଇଲଟ୍' । ଏଇ ମାତ୍ର ଟ୍ରେନିଂ ସାରି ଆସିଥିଲେ ।

 

କେତେ ସୁନ୍ଦର ସ୍ଵପ୍ନର ମହଲ ଗଢ଼ି ସେଦିନ ଘରୁ ପାଦ କାଢ଼ି ଶୁଭେନ୍ଦୁ, ସାଥରେ କାରରେ ବସିଥିଲା ରେବତୀ କନିଆ ସାଜି । କାର୍‍ ମୁଖ୍ୟ ରାଜ୍ୟ ରାଜପଥ ଦେଇ କେନ୍ଦୁଝରରୁ କଟକକୁ ଦୌଡ଼ୁଥିଲା ବେଳେ କଳ୍ପନାର ତାଳ ତୋଳି ଚାଲିଥିଲା । ରେବତୀ । ଗୋଟିଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ ବୁଣି ଚାଲିଥିଲା । ସ୍ଵାମୀ ତାର ଏୟାର ଲାଇନର ପାଇଲଟ । ହୁଏତ ଏମିତି ଗୋଟେ ସୁଦିନ ଆସିବ ଖୁବ ଶିଘ୍ର ଯେବେ ଦୁହେଁ କୌଣସି ଏକ ଏରୋପ୍ଲେନରେ ବସି କୋଉ ଏକ ଅଜଣା ରାଇଜକୁ ଉଡ଼ି ଚାଲିଯିବେ ।

 

ମାତ୍ର... । ବିବାହର ମାତ୍ର ଚାରିଦିନ ପରେ ଶୁଭେନ୍ଦୁ ଦିଲ୍ଲୀ ଫେରି ଯାଇଥିଲେ କର୍ତ୍ତବ୍ୟ କ୍ଷେତ୍ରକୁ ଏବଂ ପୁଣି ଫେରିଥିଲା ଆଠ ମାସ ପରେ । ମାତ୍ର ସାତ ଦିନ ପାଇଁ । ସେଇ ସାତ ଦିନର ରହଣି କଟକ ସହରର ସାଙ୍ଗ ସାଥୀଙ୍କ ସହ ସମୟ କଟାଇବା ପାଇଁ ମଧ୍ୟ କମ୍ ହୋଇଥିଲା, ଶୁଭେନ୍ଦୁଙ୍କ ପାଇଁ । ସକାଳ ଆଠଟାରୁ ଫ୍ରେଶ୍ ହୋଇ ଟିଫିନ କରି ବାହାରି ଯାନ୍ତି ଯେ ଫେରନ୍ତି ରାତି ୧୨ଟା ଗୋଟାଏରେ । ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ କୋଉଠି ହୁଏ ଶୁଭେନ୍ଦୁ ବ୍ୟତିରେକେ ତାଙ୍କ ପରିବାରର କେହି ଜାଣନ୍ତିନି । ଫେରନ୍ତି ପେଟେ ଖାଇ ଓ ପେଟେ ପିଇ । ଘରକୁ ଆସିବା ମାତ୍ରେ ବିଛଣାରେ ଶୋଇଯାନ୍ତି ନିଘୋଡ଼ ନିଦରେ । ରେବତୀ ପ୍ରତୀକ୍ଷା କରିଥାଏ ଅଖୁଆ ଅପିଆ ପତିଦେବଙ୍କୁ । ମାତ୍ର ତାର ପ୍ରତୀକ୍ଷାର ମୁଲ୍ୟ ଶୁଭେନ୍ଦୁ ବୁଝେନା । ଶେଷକୁ ସେଇଠି ପତିଙ୍କର ପାଦତଳେ ଲୋଟାଇଦିଏ ନିଜକୁ । ରାତି ମଝିରେ କେବେ ନିଦ ଭାଙ୍ଗିଲେ ଶୁଭେନ୍ଦୁ ରେବତୀକୁ ଟାଣିନିଏ ତାର ଛାତି ଉପରକୁ ଦେହ କ୍ଷୁଧା ମେଣ୍ଟାଇବା ପାଇଁ । ମାତ୍ର ସୋହାଗଭରା କଥା ପଦିଏ....ଭାଗ୍ୟରେ ନାହିଁ ରେବତୀର ।

 

ଏଇମିତି ସମୟ କଟେ, ବର୍ଷରେ ଦୁଇ ତିନିଥର ଆସନ୍ତି ଶୁଭେନ୍ଦୁ ଛ-ସାତ ଦିନ ପାଇଁ । ପ୍ରତିଥର ଆସିଲେ ସେଇ ଏକା ରୁଟିନ୍ । ମାତ୍ର ଯେତେ ଥର ବି ଆସନ୍ତି, ରେବତୀ ପାଇଁ ଆଣନ୍ତି ନୂଆ ନୂଆ ଡିଜାଇନ୍‍ର ଶାଢ଼ୀ ଗହଣା, କସ୍‍ମେଟିକସ୍ ଓ ଅନ୍ୟାନ୍ୟ ଉପହାର । ମାସକୁ ମାସ ଡ୍ରାଫ୍ଟ ଆସେ ତାରି ନାଁରେ । ମାତ୍ର ଏ ସବୁ ତାର କି ଦରକାର । ତାର ମନ କେବଳ ଚାହେଁ ଶୁଭେନ୍ଦୁର ସୋହାଗ । ଶୁଭେନ୍ଦୁର ସ୍ନେହ ଓ ସାହଚର୍ଯ୍ୟ । ବୃଦ୍ଧା ଶାଶୁ ଖୁବ ବୁଝନ୍ତି ତାର ମନର ବେଦନାକୁ । ଅନେକ ଥର ତାଗିଦ୍ କରନ୍ତି ଶୁଭେନ୍ଦୁ ବୁଲି ଗଲାବେଳେ ରେବତୀକୁ ନେଇଯିବାକୁ । ମାତ୍ର ଶୁଭେନ୍ଦୁଙ୍କର ସବୁବେଳେ ସେଇ ଏକା ରିପ୍ଲାଇ ସାଙ୍ଗମାନଙ୍କ ସହ ଏନ୍‍ଗେଜ୍‍ମେଣ୍ଟ ଅଛି । ସାଙ୍ଗମାନେ ଆସିବେ । ରେବତୀ ସବୁ ବୁଝେ, ମନକୁ ବୁଝାଏ, ମନକୁ କହେ ଯାହାକୁ ପ୍ରତିକ୍ଷଣରେ ଦେଶ ବିଦେଶର ସୁନ୍ଦରୀ ବିମାନ ପରିଚାଳିକାର ସାହଚର୍ଯ୍ୟ ସହଜରେ ମିଳିଯାଏ, ସେ କେମିତି ଗାଁରେ ବଢ଼ିଆସିଥିବା ଯୁବତୀ ପ୍ରତି ଆକର୍ଷିତ ହୁଅନ୍ତା । ମନ ମାରି ରହେ ରେବତୀ ।

 

ସମୟ ବିତିବା ସଙ୍ଗେ ସଙ୍ଗେ ଏ ସବୁ ଦେହସୁହା ହୋଇଯାଇଛି ରେବତୀର । ଜାୟା ବନିବାର ସମ୍ପୂର୍ଣ୍ଣ ଅର୍ଥ ବୁଝିବା ପୂର୍ବରୁ ସମୟକ୍ରମେ ସେ ମା' ବନିଯାଇଛି । ମାତ୍ର ଏବେ ବି ଭାବୁଛି ତାର ଚତୁର୍ଦ୍ଦିଗରେ ଏତେ ବିଭବ ! ଏତେ ଐଶ୍ଚର୍ଯ୍ୟ ହାତପାଆନ୍ତରେ ଏତେ ସମ୍ପୂର୍ଣ୍ଣତା ପାଇଲା ପରେ ମଧ୍ୟ ସେ କାହିଁକି ନିଜକୁ ଅସମ୍ପୂର୍ଣ୍ଣ ଅନୁଭବ କରୁଛି । ଅନେକ ନିଃସଙ୍ଗ ଦୁର୍ବଳ ମୁହୂର୍ତ୍ତରେ ରେବତୀ ଭାବେ ଗୋପାଳର କଥା । ସେଇ ଗାଈଚରା ଟୋକା ଗୋପାଳକୁ ତୁଳନାକରେ ତାର ସ୍ୱାମୀ ବିମାନଚାଳକ ଶୁଭେନ୍ଦୁ ସହିତ, ହୁଏତ ସେଇ ଗାଈଚରା ଟୋକା ତାର ନାରୀତ୍ୱକୁ ଉତ୍ତମ ସମ୍ମାନ ଦେଇ ପାରିଥାନ୍ତା । ଯେ କପୋଳକଳ୍ପିତ ମିଥ୍ୟାକୁ ବିଶ୍ୱାସ କରି ବିଜୁଳି ଖୁଣ୍ଟରେ ଚଢ଼ି ଯାଇ ଜୀବନ ବିପନ୍ନ କରି ପାରେ..., ସେ ତ ଅନ୍ତତଃ ଏମିତି ବିମାନ ପରିଚାରିକାଙ୍କ ସାହଚର୍ଯ୍ୟ ପାଇଁ ସ୍ଵାର୍ଥପର ଭାବେ ନିଜ ସ୍ତ୍ରୀକୁ ଉପେକ୍ଷା କରିନଥାନ୍ତା ।

 

ଆଜି ସେଇ ଗୋପାଳ ଦଉଡ଼ି ଆସିଥିଲା କଟକ ସହରର ହୃତ୍‍ପିଣ୍ଡଠି ପ୍ରତିଷ୍ଠିତ ତାରି ଦୁଇ ମହଲା କୋଠାକୁ । ଆସିଥିଲା ସାହାଯ୍ୟ ଆଶାରେ । ତାକୁ ଦେଖି ରେବତୀର ଇଚ୍ଛା ହୋଇଥିଲା ଦୌଡ଼ି ଯାଇ ଲୋଟିଯାନ୍ତା ଗୋପାଳର ପାଦରେ । ନିର୍ଲଜୀ ହୋଇ ପ୍ରଣୟ ଭିକ୍ଷା କରନ୍ତା । ମାତ୍ର.... ଗୋପାଳ ଆସିଥିଲା ସାହାଯ୍ୟ ଭିକ୍ଷା କରିବାକୁ, ବିଚାରାର ସ୍ତ୍ରୀ ପକ୍ଷାଘାତରେ ପୀଡ଼ିତା । ପୈତୃକ ସମ୍ପତ୍ତିଥିବା ଜମି ୧୦୦ ଗୁଣ୍ଠକୁ କରଜ ଲଗାଇ ବଡ଼ ଆଶା ନେଇ ଆସିଥିଲା କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ । କିନ୍ତୁ ଡାକ୍ତର କହୁଛି ଟଙ୍କା ତିନି ହଜାର ଦରକାର । କୋଉଠୁ ପାଇବ ଏତେ ଟଙ୍କା ।

 

ଗାଁର ଝିଅ ରେବତୀ ଏଇଠି ଅଛି ବୋଲି ଜାଣିଥିଲା... ଆଶା ଭରସା ନେଇ ଦଉଡ଼ି ଆସିଛି ରେବତୀ ପାଖକୁ । ବହୁ ଅନୁନୟ ବିନୟ କରି ଅନୁରୋଧ କରିଛି ରେବତୀକୁ ‘‘ଦୟାକରି ଟଙ୍କା ତିନି ହଜାର ଦିଅନ୍ତୁ ମୁଁ ପଛେ ସାରା ଜୀବନ ଆପଣଙ୍କ ଘରେ ଗୁଲାମି କରିବି । ମୋର କିଛି ସମ୍ବଳ ନାହିଁ । ଦୟାକରନ୍ତୁ । ସେ’ ଚାଲିଗଲେ ମୋର ସଂସାର ଉଜୁଡ଼ି ଯିବ ମୁଁ ଜୀଇଁ ଥାଉ ଥାଉ ମରିଯିବି ।’’

 

ଓଃ.... ଏତେ ଭଲପାଏ ଯେ ତା ସ୍ତ୍ରୀକୁ । ମନେ ମନେ ଖୁବ୍‍ ଈର୍ଷାନ୍ୱିତା ହୋଇପଡ଼ିଲା ରେବତୀ ଗୋପାଳର ସ୍ତ୍ରୀ ପ୍ରତି । ଏତେ ପତି ସୋହାଗ ପାଉଛି... ମରୁ ଏବେ ।

 

ନା ଗୋପାଳ ମୋ ପାଖରେ ଏତେ ଟଙ୍କା ନାହିଁ । ମୁଁ ଦେଇ ପାରିବିନି । ଯେତିକି ଅଛି ସେତିକି ଦିଅନ୍ତୁ ଦିଦି । ମୁଁ ତୁମର ଟଙ୍କା ଗୋଟି ଗୋଟି କରି ଫେରସ୍ତ କରିଦେବି ମେହେନତ୍ କରି । ଦୟାକର ଦିଦି, ମୋ ସ୍ତ୍ରୀର ପ୍ରାଣ ବଞ୍ଚାଅ ଦିଦି । ବିଚାରୀ ମରିଗଲେ ମୁଁ କୋଉ କୁଳକୁ ହେବିନି । ମୋର ବଞ୍ଚିବାର ସବୁ ମୋହ ଛିଡ଼ି ଯିବ । ମୁଁ ଅପଙ୍ଗ ହୋଇଯିବି... ମୁଁ ମରିଯିବି । ଦୟାକର ଦିଦି... ମୋ ସ୍ତ୍ରୀକୁ ବଞ୍ଚାଇ ଦିଅ ।

 

ଗୋପାଳ ତାର ସ୍ତ୍ରୀ ପ୍ରତି ଯେତେ ସ୍ନେହ ଜାହିର କରୁଥିଲା ସେତେ ବେଶୀ ଈର୍ଷା ଜର ଜର ହୋଇ ପଡ଼ୁଥିଲା ରେବତୀ ଗୋପାଳର ସ୍ତ୍ରୀ ପ୍ରତି । ଈର୍ଷାରେ ଅନ୍ଧୁଣୀ ହୋଇ ଯାଇଥିଲା ରେବତୀ । ସନ ମଧ୍ୟରେ କଳ୍ପନା କରିନେଲା.. ଗୋପାଳ ଯଦି ତାର ସ୍ୱାମୀ ହୋଇ ତାକୁ ଏତେ ସ୍ନେହ କରନ୍ତା...

 

“ନା...ତା ସ୍ତ୍ରୀ ମରିବା ଉଚିତ୍... ।”

 

ନା’ ଗୋପାଳ ମୋ ପାଖରେ ଟଙ୍କା ନାହିଁ । ତୁମେ ବରଂ ଅନ୍ୟ କୋଉଠି... କହି ନ ସାରୁଣୁ ଦ୍ଵାର ମୁହଁରୁ ଅପସରି ଯାଇ ବେଡ୍ ରୁମକୁ ପଶି ଆସିଥିଲା ରେବତୀ । ଡନ୍‍ଲପ ବିଛଣାରେ ନିଜକୁ ଲୋଟାଇ ଦେଉ ଦେଉ ଓଠରେ ତାର ଖେଳି ଉଠିଥିଲା ବିଜୟିନୀର ହସ । ମନରେ ଗୋଟାଏ ଅବ୍ୟକ୍ତ ଉଲ୍ଲାସ ।

 

ମାତ୍ର ସେ କ’ଣ ଠିକ୍ କଲା । ତା ହାତ ପାଆନ୍ତାରେ ଏତେ ଐଶ୍ୱର୍ଯ୍ୟ... ଏତେ ବିଭବ । ତା’ରି ପୂର୍ଣ୍ଣତା ଠାରେ ନିଜ ଜନ୍ମମାଟିର ପରିଚିତଟିଏ ପାତିଥିବା ଆଞ୍ଚଳିକୁ ରିକ୍ତ କରି ଫେରାଇ ଦେଇ କ’ଣ ସେ ଠିକ୍ କରିଛି । ସେ ଯାହା ପାଇନି କି ପାଉନି ଆଉ କେହି ଜଣେ ପାଉଛି ବୋଲି ତା ପ୍ରତି ଈର୍ଷାର ତାତ୍ପର୍ଯ୍ୟ ବା କ’ଣ ହୋଇପାରେ । ନିଜେ ନିଜକୁ ପ୍ରଶ୍ନ କରୁଛି ରେବତୀ ।

 

ନା ସେ ଠିକ୍ କରିନି... ଏ ମୂଲ୍ୟହୀନ ଐଶ୍ୱର୍ଯ୍ୟରୁ ମୁଠାକରେ ଜଣେ ଲୋକର ପ୍ରାଣ ମିଳି ଯାଇଥାନ୍ତା । ଜଣେ ଲୋକର ସାରା ଜୀବନର ଖୁସି ମିଳି ଯାଇଥାନ୍ତା... ନା ତାକୁ ଯିବାକୁ ହେବ ।

 

ଲକର୍‍ ଖୋଲି ତିନି ହଜାର ଟଙ୍କା ବାହାର କଲା ଏବଂ ଡାକଦେଲା ଡ୍ରାଇଭରକୁ ଗାଡ଼ି ବାହାର କରିବାକୁ ।

 

ମୁଖ୍ୟ ରାସ୍ତାକୁ ଗାଡ଼ି ବୁଲାଇ କଟକ ବଡ଼ ଡାକ୍ତରଖାନା ଭିତରକୁ ପଶିଲା ବେଳଠୁ ରେବତୀର ଆଖି ଖୋଜୁଛି ଜଣକୁ । ପାର୍କିଂ ପ୍ଲେସରେ ଗାଡ଼ି ପାର୍କି କଲାବେଳକୁ ରେବତୀ ଦେଖିଲା ମୁଖ୍ୟ ଦ୍ୱାରର ସିଡ଼ିତଳେ କେହି ଜଣେ ରାହାଛାଡ଼ି କାନ୍ଦୁଛି ବାହୁନି ବାହୁନି । ଶଂକିତ ମନରେ ଆଖୁରୁ ରଙ୍ଗିନ ଚଷମା କାଢ଼ି ରେବତୀ ମୁଖ୍ୟ ଦ୍ୱାର ଆଡ଼କୁ ଆଗେଇଲା ବେଳକୁ ଦେଖିଲା ଏଇତ ଗୋପାଳ... ରାହା ଛାଡ଼ି ଛାତି ପିଟି କାନ୍ଦୁଛି ।

 

ପାଖେଇଗଲା ରେବତୀ । ଗୋପାଳର ନଜର ପଡ଼ିବା ମାତ୍ରେ ଦଉଡ଼ି ଆସିଲା । ଗୋପାଳ ରେବତୀ ପାଖକୁ, ହଠାତ୍ ହାତଧରି କାନ୍ଦି କାନ୍ଦି କହିଲା “ମୋ ଚମ୍ପା ଚାଲିଗଲା... ମୋ ଫେରିବା ଯାଏ ବି ଅପେକ୍ଷା କଲାନି । ନିର୍ମୋହିନୀ ଚାଲିଗଲା । ମୋର ସର୍ବସ୍ୱ ଲୁଟି ଗଲା ଦିଦି ମୋର ଆଶା ଭରସା ସବୁ ହଜିଗଲା । ରେବତୀ ଡାହାଣ ହାତରେ ଗୋପାଳ କାନ୍ଧକୁ ଥାପୁଡ଼ାଇଲା-। ସାନ୍ତ୍ୱନା ପାଇ ଗୋପାଳର ରାହା ଦ୍ୱିଗୁଣିତ ହୋଇଗଲା । ଗଳା ଫାଡ଼ି କାନ୍ଦିଲା ଛୋଟ ପିଲାଟାଏ ପରି । କୋଳକୁ ଆଉଜେଇ ଆଣିଲା ରେବତୀ । ନିଜ ଛାତିରେ ଚାପି ଧରିଲା ଗୋପାଳକୁ ।

 

‘‘ଯାହା ହବାର ଥିଲା ହୋଇଗଲା’’ କହୁ କହୁ ଆବେଗରେ ଚାପି ଧରିଲା ନିଜ କାନ୍ଧରେ ଗୋପାଳକୁ ଆଖିରୁ ଖସିପଡ଼ିଲା ଦୁଇ ଧାର ଲୁହ ।

 

ସଦର ହସ୍ପିଟାଲର ସବୁ କର୍ମଚାରୀ, ପାଖଆଖର ପାନ ଦୋକାନୀ ତଥା ରିକ୍ସା ଓ ଟାକ୍ସି ଡ୍ରାଇଭର ଘେରି ରହି ଏ ଦୃଶ୍ୟ ଦେଖୁଥିଲେ । କେହି କିଛି ବୁଝି ପାରୁନଥିଲେ । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଅଲା ରେବତୀର ଡ୍ରାଇଭର ।

 

ପାଖରେ ନର୍ସଟିଏ ଆସି କହିଲା... ‘‘୨୪୪ ନମ୍ବର ଲାସ୍‍ଟାର ପୋଷ୍ଟମଟମ୍ ସରିଗଲାଣି...ଯାଅ ନେଇ ଯାଅ ।

 

ପ୍ରକୃତିସ୍ଥ ହେଲା ରେବତୀ । ଗୋପାଳକୁ ଦୂରେଇ ଦେଲା ନିଜଠୁ । ଡ୍ରାଇଭରକୁ ଚାହିଁ କହିଲା ‘‘ଚାଲ ଡ୍ରାଇଭର୍... ।’’

 

ଆମ୍ବାସାଡ଼ର ହସ୍ପିଟାଲ ମୋଡ଼ ପାର ହୋଇ ରାଜରାସ୍ତାରେ ମିଳାଇଗଲା । ତେବେ ରେବତୀ ଭାବୁଛି “ସେ କ’ଣ ଏୟା ଚାହୁଁଥିଲା ?"

Image

 

ଗ୍ରାମ୍ୟ ପ୍ରୀତିର ଇତିବୃତ୍ତ

 

ଏକରକମ୍ ସାପ ଗୁଡ଼ାଇଲା ଭଳି ଗାଁଟିକୁ ଚାରିଆଡ଼ୁ ଗୁଡ଼ାଇ ଧରିଛି ନଦୀଟା । ଟାଉନ୍‍ରୁ ମାତ୍ର ଚାରି କିଲୋମିଟର ଦୂର ହେଲେ ମଧ୍ୟ ଏଇ ଗାଁକୁ ଆସିବାକୁ ହେଲେ ଏଇ ନଈର ସ୍ଵଚ୍ଛ ଜଳରେ ୩ଥର ମୁହଁ ଦେଖିବାକୁ ପଡ଼େ । ସବୁ ପାହାଡ଼ିଆ ନଈ ପରି ଏଇଟା ମଧ୍ୟ ଖୁବ ଗଭୀର ମାତ୍ର ବର୍ଷର କୌଣସି ସମୟରେ ଆଣ୍ଠୁଏ କି ଜଙ୍ଘେ ପାଣିରୁ ବେଶୀ ହେବାର ଏବେକା ଲୋକେ ଜାଣନ୍ତି ନାହିଁ । ଏଇ ନଦୀ ମୁଣ୍ଡରେ ସରକାର ପାହାଡ଼ରୁ ପାହାଡ଼କୁ ବାନ୍ଧି ଜଳସେଚନ ପାଇଁ ଜଳ ସଂରକ୍ଷିତ ରଖୁଛନ୍ତି ତ ! ତଥାପି ନଦୀଟିର ଆକାର ଓ ଗଭୀରତାକୁ ଲକ୍ଷ୍ୟକଲେ ତା’ର ଦୃତ ଗୌରବ ସହଜେ ଅନୁମେୟ ।

 

ମୁଁ କବି, ସବୁ କବିଙ୍କପରି ମୋର ମଧ୍ୟ ପ୍ରକୃତି ନିରୀକ୍ଷଣ କରିବାର ଗୋଟାଏ ସ୍ୱତନ୍ତ୍ରତା ଅଛି । ପ୍ରଥମ ଥର ନଦୀର ଗଭୀରତା ଭିତରେ ହଜି କୂଳକୁ ବାହାରିଲା ବେଳକୁ ସାମ୍ନାର ବିସ୍ତୀର୍ଣ୍ଣ ଧାନ କ୍ଷେତଗୁଡ଼ିକ ମୋ ମନରେ ଅଦଭୂତ ରୋମାଞ୍ଚ ଜାତ କରୁଥିଲା । ସାମ୍ନାରେ ଅରୁଣ ବାବୁ, ମୋ ସାଙ୍ଗ ଡାକ୍ତର, ଏଇ ଗାଁ ତାଙ୍କର ଜନ୍ମଭୂମି, ଦିଲ୍ଲୀରେ ମାଷ୍ଟର ଡିଗ୍ରୀ ପାଇଲା ପରେ ଭୁବନେଶ୍ୱରରେ ନିଜ ନସିଂ ହୋଟାଏ କରି ବେଶ୍ ମଉଜରେ ଅଧା ଜୀବନ କଟାଇଲା ପରେ ବି ଏ ଜନ୍ମମାଟିର ମୋହ ତାଙ୍କର ଛାଡ଼ିନି । କଥା କଥାକେ ତା’ଙ୍କ ମୁହଁରେ ଗାଁ କଥା ଆସେ । ଏଇତ, ବାଁ ହାତରେ ସୁଟ୍‍କେଶ୍‍ଟା, ଡାହାଣ ହାତରେ ବୁଟ୍ ହଳକୁ ଧରି କେମିତି ସୈନିକଟାଏ ଭଳି ମାଡ଼ି ଚାଲିଛନ୍ତି । ପ୍ୟାଣ୍ଟଟା ଆଣ୍ଠୁଯାଏ ଭଙ୍ଗା ଯାଇଛି । କୋର୍ଟ ଉପରେ ଦୁଇ ଚାରି ଜାଗା କାଦୁଅର ଛୋଟ ଛିଟିକା, ତାଙ୍କର ଏରୂପ ଦେଲେ ସ୍ୱତଃ ମନରେ ତୁଳନାତ୍ମକ ଭାବ ଆସେ ସହରୀ ଜୀବନ ଓ ଗ୍ରାମ୍ୟ ଜୀବନର ମଧ୍ୟରେ । ସତରେ ଗୋଟିକରେ କେତେ ଜଟିଳତା ବୀତସ୍ପୃହତା ଏବଂ ଅନ୍ୟଟିରେ କେତେ ସରଳତା... ଭତ୍କଣ୍ଠା । ସହରୀଙ୍କର ଗ୍ରାମ୍ୟ ଜୀବନ ପ୍ରତି କି ଦୁର୍ବାର ଆକର୍ଷଣ ।

 

ଅରୁଣ ମୋର ସାଙ୍ଗ । ବାଲ୍ୟ ସାଥୀ ନୁହଁନ୍ତି । ସହକର୍ମୀ ମଧ୍ୟ ନୁହନ୍ତି । ତାଙ୍କର ଜୀବନ ଶୈଳୀ ଓ ବଞ୍ଚିବାର ଢାଞ୍ଚା ସହ ମୋର କୌଣସି ମେଳ ନାହିଁ । ତାଙ୍କ ମାନସିକ ଚିନ୍ତାଧାରା ସହ ମୋର ଦୃଷ୍ଟିକୋଣ ଅନେକ ସମୟରେ ମେଳ ଖାଏ ନାହିଁ । ତଥାପି ସେ ମୋର ବନ୍ଧୁ । ଖୁବ କମ୍‍ଦିନର ପରିଚୟ ମଧ୍ୟରେ ବେଶ୍‍କିଛି ଆତ୍ମୀୟତାର ଆଦାନ ପ୍ରଦାନ ହୋଇସାରିଛି । ଏଇତ ତାଙ୍କରି ଅନୁରୋଧରେ ତାଙ୍କ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ନିରୀକ୍ଷଣ କରିବାକୁ ଆଗେଇ ଆସିଛି ।

 

ମୁଁ ବେକାର, ଉଚ୍ଚଶିକ୍ଷିତ ନୁହଁ । ଜୀବନରେ କୌଣସି ପରୀକ୍ଷାରେ ଡିଷ୍ଟିଙ୍କ୍‍ସନ୍ ପାଇନାହିଁ-। ସାଧାରଣ ସଫଳତା ହିଁ ମୋର ସହଚର । ପ୍ରତ୍ୟେକ ଜିନିଷକୁ ଅନ୍ୟମାନଙ୍କଠାରୁ ଅଲଗା ଭାବରେ ନିରୀକ୍ଷଣ କରିବା ଏବଂ ତା’ର ବୈଚିତ୍ର୍ୟତାକୁ ଉପଲବ୍ଧି କରିବା ତଥା ସ୍ଥଳବିଶେଷରେ ତାକୁ କବିତା ମାଧ୍ୟମରେ ପ୍ରକାଶ କରିବା ହେଉଛି ମୋର କାମ । ସମାଜରେ ପ୍ରତିଷ୍ଠା ପାଇବାର କୌଣସି ପରୀକ୍ଷାରେ ସଫଳତା ମୁଁ ଆଶାକରେ ନାହିଁ । ନାଁ... ମୁଁ ନୈରାଶ୍ୟ ବାଦୀ ନୁହଁ, କେବଳ ମୁଁ ନିଜକୁ ଠିକ ଭାବେ ବୁଝିପାରିଛି । ତଥାପି ଅରୁଣ ମୋର ସାଙ୍ଗ... ଅତି ଅନ୍ତରଙ୍ଗ ସାଙ୍ଗ ।

 

“ଦେଖିବେ ଏଇଟା ଖାଲଟାଏ ବିଭୂତି ବାବୁ’’ । ଏଇ ପଟେ ବୁଲିକରି ଆସିବେ ।

 

ଅନତିଦୂରରୁ ଅରୁଣ ମୋତେ ସତର୍କ କରାଇଦେଇ ଠିକ୍ ଅଭ୍ୟସ୍ତ ଲୋକଟାଏ ଭଳି ଆଡ଼େଇ ହୋଇ ପାରହୋଇଗଲେ । ଶୀତ ପର ସମୟର ଅଚାନକ ଅସରାଏ ବର୍ଷା ହୋଇ ପାଦ ଚଲା ରାସ୍ତାଟାକୁ କାଦୁଆ କରି ଦେଇଛି । ଠାଏ ଠାଏ ପାଣି ଜମିଛି । ହିଁ ଏଇଟାତ ରାସ୍ତା, ବିଲ ମଝିର ହିଡ଼, ସର୍ବଦା ଦନ୍ତୁରିତ । ଚାରିକିଲୋ ମିଟର ଦୂରତା ପ୍ରକୃତ ପକ୍ଷେ ଯେ କେତେ ଗୁଣ ଅଧିକ ହୋଇଯାଇଛି, ତାହା ମୁଁ ଗାଣିତିକ ହୋଇଥିଲେ ଅବଶ୍ୟ ଭଲକରି କହିପାରିଥାନ୍ତି । ସକାଳୁ ଟ୍ରେନରୁ ଓହ୍ଲାଇ ଚାଲି ଚାଲି ଏଇଯେ ଅଭିଯାନଟା ଆରମ୍ଭ ହୋଇଛି କେଜାଣି କେତେବେଳେ ସରିବ ।

 

ଏଥରକ ପୁଣିଥରେ ନଦୀ ଭିତରକୁ ଓହ୍ଲାଇବାକୁ ପଡ଼ିଲା । ସତରେ ସାମ୍ନାରେ ଏତେ ଗଭୀର ନଦୀଟାଏ ଅଛି ବୋଲି ୧୦୦ ମିଟର ଦୂରରୁ ମଧ୍ୟ ଜଣା ପଡ଼ୁଥିଲା । ଚତୁଃଦିଗ ସମତଳ, ସୁନେଲିମୟ । ଧାନ ପାଚି ହଳଦି ଗୁରୁଗୁରୁ ଦେଖାଯାଉଛି । ଆଉ ଏଇ ସମତଳ ହଳଦିଆ ଚାଦରର ପରିସମାପ୍ତି ଯେଉଁଠି ସେଇଠି ଆରମ୍ଭ ହୋଇଛି ନଭଶ୍ଚୁମୀ ପର୍ବତମାଳା । ଘନନୀଳ ବର୍ଣ୍ଣର ପର୍ବତ ସ୍ଵର୍ଗକୁ ମୁଣ୍ଡ ଟେକି ଆଉ ତା’ରି ଜପରେ ଶୋଭା ପାଉଛି ବଉଦ ମାଳା । ନିର୍ମଳ ନୀଳ ଆକାଶ ଏବଂ ନୀଳ ପର୍ବତ ମଝିରେ ପ୍ରାଚୀର ସୃଷ୍ଟି କରିଛି ବଉଦ ମାଳା, ମନକହେ, ଏଇ ବଉଦ ମାଳାଟି ପର୍ବତର ମସ୍ତକର ଶୋଭାବର୍ଦ୍ଧନ କରୁଛି ପୁଣିଭାବେ ନା ଏ ଆକାଶର ପାଦର ଶୋଭା । ପ୍ରଶ୍ନଉଠେ... ? ତାରତମ୍ୟ କାହିଁକି ? ଉତ୍ତର ପାଏ... ଏଇ ବଉଦ ମାଳା, ପ୍ରକାରାନ୍ତରେ ପର୍ବତମାଳାର ଖାଦ୍ୟପ୍ରାଣ, ତା’ର । ନିଳିମାର କାରଣ । ତା’ର ଗର୍ବ ଗୌରବର ମୂଳପିଣ୍ଡ । ଅବଶ୍ୟ ଶିରୋଧାର୍ଯ୍ୟ, ବନ୍ଦନୀୟ । ଅପରପକ୍ଷରେ ଆକାଶ... ବଉଦ ତ ତା’ରି ସୃଷ୍ଟି, ପାଦରେ ସ୍ଥାନ ଦେଇପାରେ । ଛାତିରେ ଲଗାଇପାରେ, ମୁଣ୍ଡରେ ବୋହିପାରେ, ତେବେ ପାଦରେ ହିଁ ଶୋଭନୀୟ-

 

‘‘ସାମ୍ନାରେ ଯେଉଁ ଆମ୍ବ ତୋଟାଟି ଦେଖୁନାହାନ୍ତି ବିଭୂତି ବାବୁ ସେଇଟା ଆମ ଗାଁର ମୁଣ୍ଡ-। ସେଇଠୁ ଆରମ୍ଭ ଆମର ବସ୍ତି ।”

 

ସାମ୍ନାକୁ ଦେଖିଲି, ସତରେ ଅନତିଦୂରରେ ଆମ୍ବତୋଟା ଟାଏ, ଧାଡ଼ି ଧାଡ଼ି ଆମ୍ବଗଛ । ବେଶ୍‍ ବଡ଼ ତୋଟା ଟାଏ ସହର ପାଖରୁ ଏଇଟା ପର୍ବତର ପାଦଦେଶ ଭଳି ଜଣା ହେଉଥିଲେ ହେଁ ପ୍ରକୃତପକ୍ଷେ କେତେ ତଫାତ୍ । ଦୂରରୁ କେତେ ସୁସଜ୍ଜିତ ଅଥଚ ପାଖରୁ କିପରି ଗୋଟା ଗୋଟାକିଆ ମେରୁ ବୃକ୍ଷ ।

 

‘‘ଏଇ ଦେଖନ୍ତୁ, ଆମେ ଶେଷଥର ପାଇଁ ନଈ ପାରହେବା, ଏଇଠି ଗୋଡ଼ ହାତ ଧୋଇ ଜୋତା ମାଡ଼ି ଯାଇପାରିବା, ବୁଝିଲେ ବିଭୂତି ବାବୁ’’ ।

 

ପୁଣିଥରେ ସାମ୍ନାରେ ଗହିରିଆ ଶୁଷ୍କ ନିର୍ବାହମାନ ନଦୀକୁ ଦେଖି ହଠାତ୍ ମନରେ ବିତୃଷ୍ଣା ଜାତହେଲା । ଏମିତି ନଈଟି ଯେ କାହିଁକି ବାଙ୍କ ବାଙ୍କ ହୋଇଯାଇଛି । ସମତଳ ଭୁମିଟାତ ପାହାଡ଼ିଆ ଟାଣୁଆ ମାଟି ହେଲେ ବି ନଦୀଟା କ’ଣ ସିଧା ବୋହି ଯାଇପାରି ନଥାନ୍ତା, ନ ହେଲା ବା ଏଇ ବସ୍ତିବାଲା କେମିତି ଏମିତି ଗୋଟାଏ ଅଜାଗାରେ ଘରକରି ବସବାସ କଲେ ମ ।

 

ଦେଖିଲି ସାମ୍ନାରେ ଅରୁଣ ବାବୁ ବାଁପଟରେ ଜମିଥିବା ଆଣ୍ଠୁଏ ପାଣିରେ ପଶିଯାଇ ଖୁବ ନିର୍ମଳ ଭାବେ ଗୋଡ଼ ହାତ ଧୋଇ ଜୋତା ପିନ୍ଧୁଛନ୍ତି । ମୁହଁରେ କୌଣସି ପ୍ରକାର ବିଦ୍ୱେଶର ଚିହ୍ନ ନାହିଁ ନିଶ୍ଚିନ୍ତ ।

 

ମୋ ମୁହଁକୁ ଚାହିଁ ଦେଉ ଦେଉ ମୋ ମନର ଭାବକୁ ବୁଝିଲା ପରି କହିଲେ ଅରୁଣ ବାବୁ । ବୁଝିଲେ ନା ବିଭୂତି ବାବୁ, ଏଇ ଗାଁଟା ସହରର ଏତେ ପାଖରେ ଥିଲେ ମଧ୍ୟ ଦ୍ୱିପତଳ ଅନ୍ଧାଇ ପରି ଖୁବ ଅନୁନ୍ନତ । ନା ଭଲ ଭଲ ରାସ୍ତାଟିଏ ଅଛି, ନା ଇଲେକ୍ଟ୍ରିକ୍‍ ସପ୍ଲାଇ, ଏଇ ଯୋଉ ପାଖ ଗାଁ ଦେଖାଯାଉଛି ସେଇ ଗାଁଦେଇ ଗୋଟାଏ କଚ୍ଚା ରାସ୍ତା ଏଇ ଗାଁକୁ ଆସିଛି । ଦୂରତ୍ୱ ଏଇ ଦୂରତ୍ୱର ଦୁଇ ଗୁଣରୁ ବେଶୀ ହେବ ପଛେ କମ୍ ନାହିଁ ।

 

ଖୁବ ସହଜରେ କଥାଗୁଡ଼ାକ କହି ଗଲାବେଳେ ତାଙ୍କ ଆଖିର ନିର୍ଲିପ୍ତତା । ମୋତେ ସ୍ତବ୍‍ଧ କରୁଥିଲା । ଲୋକଟା ଉଚ୍ଚଶିକ୍ଷିତ, ମାର୍ଜିତ ସହରରେ ପ୍ରତିଷ୍ଠିତ, ତଥାପି ଏଇ ପଲ୍ଲୀ, ସହର ତଳି ଗାଁଟି ପ୍ରତି ଏତେଟା ଦୂର୍ବାର ଆକର୍ଷଣ କାହିଁକି ? ଏତେ କଷ୍ଟକରି ଏତେ ବାଟ ଆସିଲା ପରେ ମଧ୍ୟ ମନରେ ଟିକିଏ ଦ୍ୱିଧା ନାହିଁ, କଣ୍ଠରେ ଅପ୍ରାକୃତିକତା ତଥା ରୋଷ, ଅଭିମାନର ଚିହ୍ନ ନାହିଁ । ଭାବିଲି ନିଶ୍ଚୟ ଏ ହେଉଛି ଭିଟାମାଟିର ପ୍ରେମ । ମାତ୍ର ମନରେ ସନ୍ଦେହର ମୃଦ ତରଙ୍ଗ ପ୍ରକମ୍ପିତ ହେଲା ।

 

ଆମେ ଚାଲି ଚାଲି କେତେବେଳେ ଯେ ଗାଁଦାଣ୍ଡରେ ପହଞ୍ଚିଗଲୁ, ମୋର ଖିଆଲ ନାହିଁ । ସାମ୍ନାରେ ଦାଣ୍ଡ କଡ଼ରେ କେତୁଟା ଧୂଳି ଧୁସରିଆ ଛୁଆ ଗୁଲି ବାଡ଼ି ଖେଳୁଥିବାର ଦେଖି ମୋର ଆତ୍ମପ୍ରତ୍ୟୟ ଜାତ ହେଲା । ସାମ୍ନାକୁ ଦେଖିଲି । କେତେଜଣ ରୂପସୀ ଯୁବତୀ ଓ ଗୃହବଧୂ ମୁଣ୍ଡରେ ଓ କାଖରେ କଳସି ଧରି ତ୍ରିଭଙ୍ଗୀ ଠାଣିରେ ଚାଲିଛନ୍ତି । ସମସ୍ତେ ସଦ୍ୟସ୍ନାତା । କୁନ୍ତଳ ଖୋଲା ଏବଂ ସଦା ନିତମ୍ବ ଚୁମ୍ବନରତ । ତନୁ ଆଭରଣର ଝଙ୍କାର ସାଙ୍ଗକୁ ରୂପସୀ ତନ୍ୱୀମାନଙ୍କର ମୁଖନିସୃତ କଣ୍ଠସ୍ୱର ସଂଗୀତମୟ ଜଣା ଯାଉଥିଲା ।

 

ମୋର କବିପ୍ରାଣ, ରୂପସୀ ତନ୍ୱୀଙ୍କର ଅନୁଧାବନ କରୁ କରୁ ଋପସୀଙ୍କର ଗୃହ ଦ୍ଵାରରୁ ଫେରିଆସିଲା ବେଳେ ଦୃଷ୍ଟି ଗୋଚର ହେଲା ଧାଡ଼ି ଧାଡ଼ି ଗୃହ ସମୂହ । ଗାଁ ଦାଣ୍ଡର ଦୁଇ ପାଖରେ ଅନୁଚ୍‍ ମାଟି ଘରଗୁଡ଼ାକ ଧଳା, କଳା, ଲାଲ ରଙ୍ଗର ଲିପା କାନ୍ଥ , ଏବଂ ତା’ ଉପରକୁ କୁଟା ଛଣର ଛପର । କାନ୍ଥକୁ ଲାଗି ପ୍ରତ୍ୟେକ ଘରର ଓସାରିଆ ପିଣ୍ଡା । ସର୍ବାଙ୍ଗେ ସୁନ୍ଦର ଏବଂ ପରିଷ୍କାର ।

 

‘‘ଦେଖନ୍ତୁ ବିଭୂତି ବାବୁ ଏଇଟା ଆମର ଘର । ଏଇତ ପହଞ୍ଚିଗଲେ । ପୁଣି ପ୍ରକୃତିସ୍ଥ ହେଲି । ଦେଖିଲି, ସାମ୍ନାରେ ବେଶ୍ ସୁନ୍ଦର ବଡ଼ ଘରଟା । ପୋଡ଼ା ଇଟା ଏବଂ ସିମେଣ୍ଟ ତିଆରି । ଲାଲ ଟାଇଲର ଛପର କରାଯାଇଛି । ଘର ଚାରି ପଟେ ଘେରା ଯାଇଛି କଞ୍ଚା ବାଡ଼ । ସାମ୍ନାରେ ଦାଣ୍ଡ ପାଖରେ ବେଶ୍ ସୁନ୍ଦର ମଧୁମାଳତୀ ଲତାଟାଏ ମାଡ଼ିଛି, ତୋରଣ ଆକାରରେ । ଗାଁର ସବୁ ଘରଗୁଡ଼ିକ ପରି ଏଇ ଘରଟି ଦାଣ୍ଡକୁ ଲାଗିକରି ନ ହୋଇ ଟିକିଏ ଭିତରକୁ ରହିଛି ଏବଂ ସାମ୍ନାରେ ପାଚେରିଟାଏ ଅଛି । ଏଇ ଘରଟିର ବାସିନ୍ଦା ଯେ ଉନ୍ନତ ଋଚି ସମ୍ପର୍ଣ୍ଣ, ଏକଥା ମୋତେ ବୁଝିବାକୁ ବେଳ ଲାଗିଲା ନାହିଁ ।

 

“ହଁ ହଁ ଏଇ ଆଡ଼କୁ ଆସନ୍ତୁ । ଏଇଟା ଆମର ବୈଠକି ଘର । ମୁଁ ପିଲାବେଳେ ଛୁଟିରେ ଗାଁକୁ ଆସିଲେ ଏଇ ଘରେ ପଢ଼ା ପଢ଼ି କରୁଥିଲି ।

 

ଅନୁସରଣ କରୁ କରୁ କୋଠରି ଚାରି ପଟକୁ ଟିକିଏ ନଜର ବୁଲାଇ ଦେଖିନେଲି । ବେଶି ବଡ଼ ନହେଲେ ବି ଖୁବ ଛୋଟ ନୁହଁ । କୋଣକୁ ଲାଗି ଟେବୁଲଟାଏ ପଡ଼ିଛି । ସେ ପାଖକୁ ପୁରୁଣା ଆଲମିରାଟାଏ । ଏବଂ ଲମ୍ବା ବେଞ୍ଚଟାଏ କାନ୍ଥକୁ ଲାଗି । ଏ ପାଖକୁ ଦୁଇଟା ଦଉଡ଼ିଆ ଖଟ କାନ୍ଥକୁ ଡ଼େରା ହୋଇ ଥୁଆ ହୋଇଛି ।

 

ଇଏ ମୋ ମା’ କହୁ କହୁ ନଇଁ ପଡ଼ି ବୃଦ୍ଧାଙ୍କର କୁଞ୍ଚିତ ଚର୍ମ ବେଷ୍ଟିତ ପାଦ ଯୁଗଳକୁ ସ୍ପର୍ଶକଲେ ଅରୁଣ ବାବୁ । ମୁଁ ମଧ୍ୟ ଅନୁଗାମୀ ହେଲି ।

 

“ଇଏ ମୋ ସାଙ୍ଗ ବିଭୂତି ବାବୁ । ଆମ ଗାଁ ବୁଲି ଦେବାକୁ ଆସିଛନ୍ତି । ମୋ ସହ ଭୁବନେଶ୍ୱରରେ ରହନ୍ତି ।

 

ଦେଖୁଲି ବୁଢ଼ୀ ଖୁସି ନୁହନ୍ତି । ବାର୍ଦ୍ଧକ୍ୟର ଧ୍ୱଜ ମସ୍ତକରେ ଧବଳ କେଶରାଶି ତଳେ କୁଞ୍ଚିତ ଚର୍ମ ବେଷ୍ଟିତ ଆଖି ଯୋଡ଼ାକରେ କେମିତି ଗୋଟାଏ ଘୃଣାର ସନ୍ତକ । ଭାବିଲି ମୋ ଆଗମନରେ ବୃଦ୍ଧା ଦୁଃଖିତ । ମାତ୍ର ମୁଁ ବି ନାଚାର ସୁଟକେସ୍‍ଟା ଉଠାଇ ଅଗଣା ଡେଇଁ ସାମ୍ନାଘରର ବାରଣ୍ଡାକୁ ଉଠୁ ଉଠୁ କହିଲେ ‘‘ଆସନ୍ତୁ, ଆଗେ ଆପଣଙ୍କର ରହିବାର ଘରଟା ଦେଖାଇ ଦିଏ । ଏଇ... ଏଇଘରେ ଆପଣ ରହିବେ । ବୁଝିଲେ... ଯା'ନ୍ତୁ । କପଡ଼ା ବଦଳାଇ ଆସିବେ । ଘର ପଛପଟେ ଆମ କୂଅରେ ଗାଧୋଇ ପଡ଼ିବା ।

 

କଥା ସରୁ ସରୁ ୧୪/୧୫ ବର୍ଷର ଝିଅଟାଏ ଆସି ମୋ ସୁଟକେସ୍‍ଟାକୁ ଉଠାଇ ଚାଲିଗଲା । ଅରୁଣ ବାବୁ ଦେଖାଇଥିବା ରୁମ୍ ଆଡ଼କୁ । ମୁଁ ତା'ର ଅନୁଧାବନ କଲି । ବେଶ୍ ଭଲ କୋଠରୀଟିଏ । ପଲଙ୍କଟାଏ ସୁସଜ୍ଜିତ ଅବସ୍ଥାରେ ପଡ଼ିଛି । ପାଖରେ ଷ୍ଟୁଲ ଟାଏ ବାସ୍ । ସାଧାରଣ ମାତ୍ର ସୁନ୍ଦର ଏବଂ ପରିଷ୍କାର ।

 

ଯଥା ସମୟରେ ଗାଧୋଇବା କାମ ସାରି ଖୁଆପିଆ କାମଟା ବଢ଼ାଇ ଦେଲୁ । ସେଇ ଛୋଟ ଝିଅଟି ହିଁ ଆମକୁ ପରଶି ଦେଲା ।

 

ବିଶ୍ରାମ ପାଇଁ ବିଛଣାରେ ଗଡ଼ିଲା ବେଳକୁ ମୋର ମନରେ ସ୍ୱତଃପ୍ରବୃତ୍ତ ଭାବେ ଅରୁଣ ବାବୁଙ୍କର ପାରିବାରିକ ଜୀବନୀ ଉପରେ କେତେଗୁଡ଼ାଏ ପ୍ରଶ୍ନ ମୋ ମନରେ ଉଙ୍କି ମାରିଲା ।

 

ବେଶ ସୁନ୍ଦର ଘରଟିଏ । ଆସବାବପତ୍ରରୁ ଘରର ସ୍ଵାଛନ୍ଦ୍ୟତା ଉଚ୍ଚକୋଟିର ମନେ ହୁଏ । ହେଲେ ଏତେ ବଡ଼ ଘରରେ ଲୋକ ବୋଲି ଏକା ବୁଢ଼ୀଟାଏ । ସେ ପୁଣି ଏକମାତ୍ର ପୁଅର ଆଗମନରେ ଖୁସି ନୁହଁ । ଝିଅଟି କିଏ ? କାହିଁକି ମେସିନ୍ ଭଳି ଏ ଘରର ଏତେକାମ କରି ଯାଉଛି-? ଆସିଲା ବେଳର ସେଲ ପ୍ରଥମ ଥର ବୁଢ଼ୀକୁ ଦେଖିଲା । ପରେ ଆଉ ଦେଖା ପାଇନି । ଅରୁଣ ମଧ୍ୟ କେତେବେଳେ ମା’ ସହ ବସିକରି ପଦେ ଅଧେ କଥା ହେବାର ଲକ୍ଷ କରିଛି । ତେବେ କାହିଁକି ଅରୁଣଙ୍କର ଏ ଗ୍ରାମ୍ୟପ୍ରୀତି, ସହରର ମନୋହାରିତା ଛାଡ଼ି କି ସୁଖ ଆଶାରେ ଧାଇଁ ଆସିଛନ୍ତି ଅରୁଣ ଏ ନିପଟ ମଫସଲକୁ । ଲକ୍ଷ୍ୟ କରିଛି, ଅରୁଣ ଗାଁ ଦାଣ୍ଡରେ ଚାଲି ଆସିଲାବେଳକୁ ମୁଣ୍ଡଟେକି କାହାକୁ ଚାହିଁ ନାହାନ୍ତି । ମାତ୍ର ଅନ୍ୟପକ୍ଷରେ ଗାଁ ଲୋକେ କେମିତି ଗୋଟାଏ ଘୃଣା ଜର୍ଜରିତ ରକ୍ତିମ ଆଖିରେ ଦେଖୁଥିଲେ । କ’ଣ ଏ ସଚୁର ତାତ୍ପର୍ଯ୍ୟ ।

 

ମୋର କବିପ୍ରାଣ ହଠାତ୍ ଅନୁସନ୍ଧିତ୍ସୁ ହୋଇଗଲା । ସ୍ୱଭାବତଃ ସବୁକଥାକୁ ସରଳ ଭାବରେ ଗ୍ରହଣ କରୁଥିବା ମୋର ମନ ହଠାତ୍ ଏ ସବୁକୁ ଆଗ୍ରାହ୍ୟ କରିଦେଲା ଏବଂ ରହସ୍ୟର ଜିଜ୍ଞାସା ନେଇ ଉଦ୍‍ଗ୍ରୀବ ହେଲା ।

 

ହଠାତ୍ ଅଗଣାରେ ପାଟିତୁଣ୍ଡ ଶୁଣି ମୋର ଛାଇ ନିଦଟା ଭାଙ୍ଗିଗଲା । କେହି କଣେ ଅତି ରୁକ୍ଷ କଣ୍ଠରେ ପାଟିକରି କହୁଛି... ।

 

‘‘ଅଳପେଇସା ଆସିଛି, ମୋ ଝିଅ ଜୀବନ ମାଟି କରି ସହରରେ ଆରାମ କରୁଛି । କାହିଁ ସେ ଯୋଗିନୀ ଖିଆ । ଆରେ ବାହାରୁନୁ ବାଡ଼ି ପଡ଼ା, ଦେ କେତେ ଆଣିଛୁ.... ଦେ ।’’

 

ବିଛଣାରୁ ଉଠି ଦ୍ୱାର ପାଖକୁ ଉଠି ଆସିଲି । ଦେଖୁରି ବୃଢ଼ୀଟିଏ ୪୫/୫୦ ବର୍ଷର । ରାହାଧରି ପାଟି କରୁଛି । ପାଖରେ ୨୫/୨୬ ବର୍ଷର ତରୁଣୀଟିଏ । ଦେଖିବାକୁ ସୁନ୍ଦର, ଉଚ୍ଚବଂଶଜ ମନେ ହୁଏ । ବସିଛି ନିର୍ବାକ ଭାବରେ । ଚାହାଣିରେ ସ୍ଥିରତା, ନିଷ୍ପଦ, ଚକ୍ଷୁ ସଜଳ...ଢଳ ଢଳ ।

 

ଦଶଟଙ୍କିଆ ନୋଟ୍ ବିଡ଼ାଟା ବଢ଼ାଇ ଦେଲେ ଅରୁଣ ବାବୁ “ ନିଅ ମାଉସି କହି" ତୋତେ ଯୋଗିନୀ ଖାଉରେ ବାଡ଼ିଖିଆ, ମୋର ସର୍ବସ୍ୱ ହାରିଛୁ, ମୋ ଝିଅ ଜୀବନ ମାଟି କରିଛୁରେ । ଏଇ ଟଙ୍କା କେଇଟା ଦେଇ କାମ ସାରି ଦେଉଛି “ତୁ ଜଲଦି ମରରେ ଗାତ ପଶା... ତୋତେ ଚିଲ ଶାଗୁଣା ଖାଆନ୍ତୁ ରେ... ତୋତେ ଚଣ୍ଡାଳ ଉଠାନ୍ତୁରେ.... ।" କେତେ କ’ଣ କହି କହି ବୁଢ଼ୀ ତରୁଣୀଟିର ହାତ ଭିଡ଼ି ଚାଲିଗଲା । ବୁଢ଼ୀର ସ୍ଵରରେ କର୍କଶତା ସହଥିଲା କାରୁଣ୍ୟ । ଏକ ମର୍ମ ଭେଦା ବେଦନାର ଆର୍ତ୍ତ ପରିପ୍ରକାଶ ।

 

ଲକ୍ଷ୍ୟ କଲି ଅରୁଣଙ୍କର ମୁଖମଣ୍ଡଳରେ ଆତ୍ମତୃପ୍ତିର ଝଲକ । ହଠାତ୍ ମୁହଁ ଉଠାଇ ମୋ ଆଡ଼କୁ ଦେଖୁ ଦେଖୁ ମୋ ଆଖିରେ ଆଖି ମିଳିଗଲା । ଦେଖିଲି ଆଖି ଯୋଡ଼ାକରେ ସହଜତା, ନିର୍ଲିତ୍ପତା ।

 

ଖଟ ପାଖକୁ ଫେରିଲି ।

 

ଅରୁଣ ବାବୁଙ୍କର ଚରିତ୍ର ଦୁର୍ବୋଧ୍ୟ ହେଲା । ବାସ୍ତବିକ ଖୁବ ଜଟିଳ । ଭାବି ବସିଲି... ନା ଅଧିକ ଜଟିଳ ।

 

ବିଭୂତି ବାବୁ, ଆସନ୍ତୁ ଆମ ଗାଁ ଆମ୍ବ ତୋଟା ଆଡ଼େ ବୁଲି ଆସିବା, ଆପଣ କବି କି ନା, ଭାରି ଭଲ ଲାଗିବ । ସୁନେଲି ପ୍ରକୃତି... !!!"

 

କଣ୍ଠସ୍ୱର ପୂର୍ବପରି ସହଜ । ସ୍ୱାଭାବିକ୍ । ଆଖିରେ, ମୁଖମଣ୍ଡଳରେ କୌଣସି ପ୍ରକାର ଅନୁଶୋଚନାର ଚିହ୍ନ ନାହିଁ ।

 

ସ୍ୱର୍ଗୋକ୍ତି କଲି... "ଅଦଭୂତ" ।

 

ଗାଁ ମୁଣ୍ଡ ଗୋହିରୀ ସେ ପାରିଠୁ ଆମ୍ବତୋଟାର ଆରମ । ପ୍ରାୟ ଚାରି ପାଞ୍ଚଶହ ଆମ୍ବଗଛ-। ଧାଡ଼ି ଧାଡ଼ି । ତୋଟା ସେ ମୁଣ୍ଡକୁ ପାହାଡ଼ ତଳ ପର୍ଯ୍ୟନ୍ତ ସୁନେଲି କ୍ଷେତ । ସତରେ ମନୋମୁଗ୍ଧକର, ରୋମାଞ୍ଚକର ।

 

ଅରୁଣ ବାବୁଙ୍କର ପଛେ ପଛେ ଗୋଟାଏ ଗୋଟାଏ ଅନୁଧାବନ କରୁଥାଏ ମୁଁ । ମନରେ ସଂଦେହର ଅନେକ ଅଟ୍ଟାଳିକା । ଅରୁଣ ବାବୁଙ୍କର ଚରିତ୍ରର ନିର୍ମଳତା । ଉପରେ ସନ୍ଦିହାନ । ଅନେକ ସାହସ ସଞ୍ଚୟକରି ଦୃଢ଼ ମନୋବଳ ସହ ପ୍ରଶ୍ନ କଲି ।

 

‘‘ଅରୁଣ ବାବୁ ଦ୍ୱିପ୍ରହରର ସେ ବୁଢ଼ୀଟା ???

 

ମୋ ପ୍ରଶ୍ନ ସରୁ ସରୁ କହି ଉଠିଲେ ଅରୁଣ ବାବୁ । ‘‘ସେଇଟା ମୋ ଜୀବନର ସବୁଠାରୁ ଜଟିଳ ସମୀକରଣ ବିଭୂତି ବାବୁ । ଶୁଣିବେ ୟାର ରହସ୍ୟ’’ ।

 

ଯଦିଓ ଏଇ ଗାଁର ପିଲା ମୁଁ ତେବେ ସହରରେ ହିଁ ମୋର ବାଲ୍ୟଜୀବନର ଅକାଂଶ ସମୟ କଟିଥିଲା । ପଞ୍ଚମ ଶ୍ରେଣୀରୁ ହଷ୍ଟେଲ ଜୀବନ ଆରମ୍ଭ ହୋଇଥିଲା । ଏଇ ଗାଁର ପିଲା ରତନ, ମୋର ବାଲ୍ୟ ସାଥୀ, ସହରରେ ଅନେକ ବନ୍ଧୁ ଥାଇ ମଧ୍ୟ ଗାଁର । ଏଇ ବନ୍ଧୁ ଜଣକ ପାଇଁ ମୋ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଥିଲା । ପ୍ରତ୍ୟେକ ଛୁଟି ଆମେ ଏକା ସଙ୍ଗେ କଟାଉ ଥିଲୁ । ସେ ବର୍ଷ ମୋର ଏମ୍.ବି.ବି.ଏସ୍‍ର ଶେଷ ବର୍ଷଥିଲା । ମୋର ଠିକୁ ମନେ ଅଛି । ସେ ଦିନ ଥିଲା ଡିସେମ୍ବର ୧୩ ତାରିଖ । ଟେଲିଗ୍ରାମ୍ ଟାଏ ପାଇ ମୁଁ ଗାଁରେ ପହଞ୍ଚିଲି । ସେ ଦିନ ଥିଲା ମୋ ସାଙ୍ଗ ରତନର ନିର୍ବନ୍ଧ ।

 

ରତନ, ଗାଁ ସ୍କୁଲରୁ ହାଇସ୍କୁଲ ସାରି ପାଖ କଲେଜରେ ବି.ଏ କରି ବୁଲୁଥିଲା । ଯୋଗକୁ କଣ୍ଟ୍ରାକ୍ଟର ମଧୁବାବୁଙ୍କର ଝିଅ ସହ ପ୍ରସ୍ତାବ ପଡ଼ିଛି । ବାହାଘର ପରେ କଣ୍ଟ୍ରାକ୍ଟର କରିବ ବୋଲି ସ୍ଥିର ହୋଇଛି । ସମସ୍ତେ ଖୁସି । ମୁଁ ବି ଖୁସିରେ ସାମିଲ ହେଲି । ପରଦିନ ନିର୍ବନ୍ଧ । ସୁଯୋଗ ହାତଛଡ଼ା କଲା ଭଳି ନୁହଁ ।

 

ମାତ୍ର ସେ ଦିନ ସନ୍ଧ୍ୟାରେ ରତନ ମୋତେ ଏକାନ୍ତରେ ଯାହା କହିଲା.. ଏଇ ବୁଢ଼ୀ ସହ ଯେଉଁ ଝିଅଟିକୁ ଦେଖିଲେ ନାଇଁ, ନିଳିମା ତା’ରି ନାଁ । ସେ ଭଲ ପାଇବାର ସରଳ ବିଶ୍ୱାସରେ ତା’ର ସର୍ବସ୍ୱ ଦାନ କରିଥିଲା ରତନକୁ । ହୃଦୟ ଭରି ଭଲପାଉଥିଲା । ସେ ଅନ୍ତସତ୍ତ୍ୱା ଥିଲା । ପ୍ରତିକାର କରିବାକୁ ମୋ ଆଗରେ ହାତ ଯୋଡ଼ିଲା ରତନ ।

 

ଅପରିପକ୍ୱ ମସ୍ତିଷ୍କରେ ବିଚାର କଲି । ଗର୍ଭପାତ କରିବା ଉଚିତ ହେବ ବୋଲି ମନ୍ତବ୍ୟ ନେଇ କେତେଟା Pill ଆଣି ଦେବାକୁ କହିଲି ।

 

ସେ ଦିନ ସନ୍ଧ୍ୟାରେ ସାମାନ୍ୟ ଜ୍ୱରର ସୁଯୋଗ ନେଇ ମୋରି ନିର୍ଦ୍ଦେଶକ୍ରମେ ଗୋଟିଏ “ଗର୍ଭପାତର ବଟିକା’’ ଖାଇଲା ନିଳିମା ମୋ ସମ୍ମୁଖରେ । ଜ୍ୱରର ଔଷଧ ନାଁରେ ଗର୍ଭ ଭାଙ୍ଗିବାର ଔଷଧ । କିନ୍ତୁ ମୁଁ ଜାଣିନି କାହିଁକି ରାତି ଦ୍ୱିତୀୟ ପ୍ରହର ବେଳକୁ ସେ ସବୁ ଟାବଲେଟଗୁଡ଼ାକ ଖାଇଦେଲା । ତା’ ପରେ... ଔଷଧର ରିଆକ୍‍ସନ୍‍ରେ (ପ୍ରତିକ୍ରିୟା) ବେହୋସ୍ ହୋଇଗଲା ବିଚାରୀ-। ମୋତେ ଡକା ହେଲା ଏବଂ ମୋରି ପରାମର୍ଶକ୍ରମେ ଡାକ୍ତରଖାନାକୁ ନିଆଗଲା । ଏବଂ ସେଇଠି ଜଣାପଡ଼ିଲା ସେ ଅନ୍ତସତ୍ତା । ଏବଂ ଗର୍ଭ ନଷ୍ଟ ହେବା ପାଇଁ ଔଷଧ ଖାଇ ତା’ର ଏ ଦଶା ହୋଇଛି-

 

ଏବେ ଆମ ଗାଁ ଲୋକଙ୍କର ସନ୍ଦେହ ଚକ୍ଷୁ ମୋ ଉପରେ ପଡ଼ିଲା । କାରଣ ଜ୍ୱର ନାଁରେ ମୁଁ ହିଁ ସେ ଔଷଧ ଦେଇଥିଲି । ସେମାନେ ତା’ର ଅନ୍ତଃସତ୍ତ୍ୱାର କାରଣ ମଧ୍ୟ ମୋତେ ଠଉରେଇଲେ । କେତେକ ପ୍ରକାଶ୍ୟରେ ମଧ୍ୟ କହିଲେ ।

 

ମୁଁ ବିରୋଧ କରିବାକୁ ନାଚାର । ସାମ୍ନାରେ ରତନର ଉଜ୍ଜଳମୟ ଭବିଷ୍ୟତ । ମୋର ଗୋଟିଏ ଭକ୍ତି ତା’ର ଭବିଷ୍ୟତକୁ ଅନ୍ଧକାରମୟ କରିଦେବ । ଅଗତ୍ୟା ନିରବ ରହିଲି ।

 

ନିଳିମା ବଞ୍ଚିଗଲା, ମାତ୍ର ଅର୍ଦ୍ଧପ୍ରାପ୍ତ ଭୂଣଟି ସହ ବାକ୍‍ଶକ୍ତି ହରାଇଲା ।

 

ତା' ପରେ ଆରମ୍ଭ ହେଲା ମୋ ଜୀବନରେ ଝଞ୍ଜା, ନିଳିମାର ବାପା ଜମିଦାର ରାୟବାହାଦୁରଙ୍କର ପୂର୍ବତନ ଗୁମାସ୍ତା । ଧନର ଅଧିକାରୀ ନ ହେଲେ ବି ସମ୍ମାନର ଅଧିକାରୀ । ଝିଅର ଏତାଦୃଶ୍ୟ ଆଚରଣ ତାଙ୍କ ପାଇଁ ଅସହ୍ୟ ହେଲା ଏବଂ ଅପମାନ ଜର୍ଜରିତ ମୁହଁ ନ ଦେଖାଇବାକୁ ନିଷ୍ପତ୍ତି କରି ଲଜ୍ୟାକର ପରିସ୍ଥିତିରୁ ମୁହଁ ଫେରାଇ ନେଲେ ସମସ୍ତଙ୍କର ଅଲକ୍ଷ୍ୟରେ ବରଗଛ ଡାଳରେ ଆତ୍ମହତ୍ୟା କରି । ମୋ ବାପା, ସେଇଦିନୁ ମାନବିକ ଗ୍ଲାନିର ଶିକାର ହୋଇ ଦୁଇମାସ ପରେ ଇହଲୀଳା ସମ୍ବରଣ କଲେ । ସଦା ସମ୍ମାନର ଅଧିକାରୀ, ସଦାସ୍ଵାଭିମାନୀ... କିଞ୍ଚିତ ଅପମାନ ସୁଦ୍ଧା ତାଙ୍କ ପକ୍ଷରେ ବିଷମୟ । ମା’ ସେ ଦିନଠୁ ମୋ ପ୍ରତି ବୀତସ୍ପୃହ । ପ୍ରତିକ୍ଷଣରେ ତାଙ୍କ ଛାତିରୁ ବାତ୍ସଲ୍ୟର ଧାର ଜାଗାରେ କ୍ଷରିତ ହେଲା ମେଞ୍ଚା ମେଞ୍ଚା ଘୃଣାରାଶି ମୁଁ ହେଲି ମୋ ମା’ର ଘୃଣାର ପାତ୍ର । ସାଇ ପଡ଼ିଶାର ପିଲାଙ୍କର ହାସ୍ୟାସ୍ପଦ ବ୍ୟକ୍ତିତ୍ୱ । ନିଳିମା’ ମା’ର ସର୍ବ ଅଭିଶାପର ଲକ୍ଷ୍ୟ ।

 

ମୁଁ ତା’ପରଦିନ ସହରକୁ ଫେରିଲି ।

 

ମୋର ସହପାଠିନୀ ଜ୍ୟୋସ୍ନା ଦେବୀକୁ ସବୁକଥା ଖୋଲି କହିଲି । ଖୁବ୍ ବିଶ୍ୱାସ କରେ ସେ ମୋତେ । ସମସ୍ତ ସନ୍ଦେହର ଊର୍ଦ୍ଧ୍ୱରେ ରହି ଆମେ ପବିତ୍ର ବନ୍ଧନରେ ବାନ୍ଧି ହେବାକୁ ପରବର୍ତ୍ତୀ ପର୍ଯ୍ୟାୟରେ.... ମନ୍ଦିରରେ । କାରଣ, ଗାଁରେ ତ ମୁଁ ସମସ୍ତଙ୍କର ଘୃଣାର, ତାତ୍ସଲ୍ୟର ପାତ୍ର ହୋଇଥିଲି ।

 

ମୋ ଶ୍ଵଶୁର, ଜୋସ୍ନାର ବାପା... ଖୁବ୍ ଉଦାରପନ୍ଥୀ, ସେ ମୋତେ ଠିକ୍ ବୁଝି ପାରିଥିଲେ । ତାଙ୍କରି ପ୍ରରୋଚନା ଓ ଅନୁକମ୍ପାରେ ବର୍ତ୍ତମାନ ପ୍ରତିଷ୍ଠିତ ମୋର ସହରର ନର୍ସିଂହୋମ୍ ।

 

ରତନ ମଧ୍ୟ ଶ୍ୱଶୁର ଅନୁକମ୍ପାରେ ବର୍ତ୍ତମାନ ପ୍ରତିଷ୍ଠିତ । ଦୁଇଟା ‘Builders’ ବିଲଡ଼ରସ୍ କମ୍ପାନୀର ମାଲିକ ।

 

ହେଲେ ନିଳିମା... ? ମୋ ମା.... ??

 

ମୋର ଏ ପ୍ରତିଷ୍ଠା ସୁଖ୍ୟାତି କିଛି ହେଲେ ମୋ ମା’ର ମନକୁ ପରିବର୍ତ୍ତନ କରି ପାରିଲାନି ବିଭୂତି ବାବୁ । ମୋର କୌଣସି ପ୍ରକାର ସେବା ଗ୍ରହଣ କରିବାକୁ ନାରାଜ ମୋ ମା । ଏଇ ଯୋଉ ଝିଅଟି ଦେଲେ ଆମ ଘରେ, ସେ ମୋ ପିଉସୀର ନାତୁଣୀ । ସ୍ୱତଃପ୍ରବୃତ୍ତ ଭାବେ ସବୁକାମ କରୁଛି-। ମାତ୍ର ମୁଁ ହତଭାଗ୍ୟ... ନାଚାର । ପିତାମାତା ସେବା କରିବାର ସ୍ଵପ୍ନ ମୋର ସ୍ୱପ୍ନରେ ହିଁ ରହିଗଲା-। ସ୍ୱପ୍ନରେ ହିଁ... ରହିଗଲା ବିଭୂତି ବାବୁ ।’’

 

“ରୋଜଗାରକ୍ଷମ ହେଲା ପରଠୁଁ ମାସିକ ଟଙ୍କା କେଇଟା ଲେଖା ଦେଇ ମୁଁ ମୋର ଭୁଲର ପ୍ରାୟଶ୍ଚିତ କରୁଛି । ଏଇ ହାତରେ ଅନେକକୁ ମରଣ ମୁହଁରୁ ଟାଣି ଆଣିଛି । ହେଲେ ଏଇ ନିରୀହା ନିଳିମାର ନିଳିମା ହରଣର କାରଣ ମୁଁ । ମୋର ଅପରିପକ୍ୱତା ଦାୟିତ୍ୱହୀନତା ।’’

 

ଗାଳି ଶୁଣିଲେ ମଧ୍ୟ ଟଙ୍କା କେଇଟା ବୁଢ଼ୀହାତରେ ଗୁଞ୍ଜି ଦେଲେ ମୁଁ ଅପୂର୍ବ ତୃପ୍ତି ପାଏ ବିଭୂତି ବାବୁ । ଏଇଟା ମୋର ପ୍ରାୟଶ୍ଚିତ ।

 

ଦୀର୍ଘଶ୍ୱାସ ନେଇ ମୁହଁ ଉଠାଇ ଦେଖୁଲି ଅରୁଣ ବାବୁକୁ । ଚକ୍ଷୁ ସଜଳ ହେଲେ ମଧ୍ୟ ମୁହଁରେ ବାଲ୍ୟ ସରଳତା । ମୁହଁର ମାଂସପେଶୀର ଦୃଢ଼ତା ହୃଦୟର ମହାନତା ଓ ମନର ଦୃଢ଼ତାକୁ ସୁଚାଉଥିଲା ।

 

ଅନ୍ଧାର ଘନୀଭୂତ ହେବା ପୂର୍ବରୁ ଘରକୁ ଫେରି ଆସିଲୁ । ରାତିରେ ଯତ୍‍କିଞ୍ଚିତ ଆହାର ପୂର୍ବକ ନିଦ୍ରାଗଲୁ ଉଭୟେ ଉଭୟଙ୍କ କୋଠରିରେ । ପଲଙ୍କ ଉପରୁ ହାତ ବଢ଼ାଇ ଲଣ୍ଠନଟାକୁ କମେଇ ଦେଉ ଦେଉ ଲିଭିଗଲା । ସାରା କୋଠରିରେ ଅନ୍ଧାର ଘୋଟିଗଲା । ଆଖି ବନ୍ଦ କରି ନେଲି । ସର୍ବଦିଗ ଅନ୍ଧକାର । ହେଲେ ହଠାତ୍ ଆଲୋକର କ୍ଷୀଣରେଖା ଦୃଷ୍ଟିଗୋଚର ହେଲା ମନଶ୍ଚକ୍ଷୁରେ । କ୍ରମେ ବର୍ଦ୍ଧିତମାନ ହୋଇ ପୂରା ଆଲୋକିତ କରିଲା ମୋର ମନଅଗଣା । ସେ ଆଲୋକ ଅରୁଣ ବାବୁର ମହାନତାର ଆଲୋକ । ଅରୁଣ ବାବୁର ବ୍ୟକ୍ତିତ୍ୱର ଆଲୋକ । ତାଙ୍କର ସତ୍ୟର ସମ୍ମୁଖୀନ ହେବାର ସାହସିକତାର ଆଲୋକ ।

 

ସେ, ଯେ ବନ୍ଧୁତ୍ୱର ଖାତିରରେ ନିଜର ସମ୍ମାନ, ସୁଖ ସମୃଦ୍ଧି ସବୁ ତ୍ୟାଗ କରିପାରେ । ବନ୍ଧୁତ୍ୱ ପାଇଁ ସମସ୍ତଙ୍କର ଘୃଣାକୁ ସହ୍ୟ କରିପାରେ । ନିର୍ବିଚାରରେ ଅନ୍ୟର ଦୋଷକୁ ମୁଣ୍ଡାଇ ପାରେ । ନିଜର ବାନ୍ଧବୀ ପାଖରେ ନିଦ୍ୱନ୍ଦରେ ସବୁକଥା ପ୍ରକାଶ କରିପାରେ । ଏବଂ ବଦାନ୍ୟତା ବଳରେ ଘୃଣା ଓ ଗାଳି ମନ୍ଦର ଶୀକାର ହୋଇପାରେ ।

 

ସତରେ ଅରୁଣ ବାବୁର ବ୍ୟକ୍ତିତ୍ୱ ମହାନ୍ତି । ତାଙ୍କ ପାଖେରେ ମୋର ନିଜର ବ୍ୟକ୍ତିତ୍ୱ କ୍ରମେ ମ୍ଲାନ ହୋଇଗଲା, କ୍ଷୁଦ୍ର ହୋଇଗଲା ।

 

ପରଦିନ ସକାଳେ ଦୁହେଁ ଭୁବନେଶ୍ୱର ଯାତ୍ରା କଲୁ ।

Image

 

ଭଗ୍ନସ୍ୱପ୍ନ

 

ପେପରବାଲାର ଡାକ ଏବଂ ସାଇକେଲ ଘଷ୍ଟି ଶୁଣି କବାଟ ଖୋଲି ବାରଣ୍ଡା ଉପରକୁ ଆସୁ ଆସୁ, ଧସ୍ କିନା ପେପରଟାକୁ ଫୋପାଡ଼ି ଦେଇ ବାରଣ୍ଡା ଉପରକୁ, ପେପରବାଲାଟା ଅଦୃଶ୍ୟ ହୋଇସାରିଥିଲା ।

 

ତେବେ ପେପରଟାକୁ ଉଠାଇ ନେଇ ମୁଖ୍ୟ ପୃଷ୍ଠା ଖୋଲି ବସିଲେ ଆରାମ୍ ଚୌକି ଉପରେ ଅବିନାଶ ବାବୁ। ରାଜ୍ୟ ସରକାରଙ୍କ ସଚିବାଳୟର ଅଧସ୍ତନ କର୍ମଚାରୀ । କେନ୍ଦ୍ର ତଥା ରାଜ୍ୟ ରାଜନୀତିର ଧାର ସେ ଧାରନ୍ତି ନାହିଁ । ଦେଶ ବିଦେଶର ଖବର ତାଙ୍କର ଜାଣିବାରେ ସ୍ପୃହା ନାହିଁ । ଖେଳ ଜଗତରେ ଭାରତ ଓ ଓଡ଼ିଶାର ଦୟନୀୟତାରେ ବୀତସ୍ପୃହ । ମାତ୍ର ପେପର ମଧ୍ୟରୁ ଶସ୍ତା ସାମାଜିକ ତଥ୍ୟ ଆବିଷ୍କାର କରିବାରେ ସେ ପଟୁ, କିଏ କାହାକୁ ହରଣଚାଳ କଲା, କିଏ କାହା ସହ ଫେରାର ହୋଇଗଲା, କେଉଁ ରାସ୍ତାରେ ଦୁର୍ଘଟଣା ଘଟିଲା, କୋଉ ଟ୍ରେନ୍ କି ବସ୍ ଓଲଟି ପଡ଼ିଲା, ତଥା କେଉଁଠି ବାତ୍ୟା କି ବନ୍ୟା ହେଲା, କେବଳ ଏଇଥିରେ ହିଁ ତାଙ୍କର ଆଗ୍ରହ । ତେବେ ଘରୋଇ ସମ୍ବାଦଗୁଡ଼ିକ ଯଥା–ଯୌତୁକ ହତ୍ୟା, ବଳାତ୍କାର, ଗଣଧର୍ଷଣ, ଆଦିକୁ ସର୍ବଦା ତାଙ୍କ ଆଖି ଖୋଜୁଥାଏ ।

 

ସେ ଦିନ ପେପର୍‍ଟା ଖୋଲୁ ଖୋଲୁ ଆଖିରେ ପଡ଼ିଲା ମୁଖ୍ୟ ପୃଷ୍ଠାର ଫଟୋ । ପ୍ୟାନରୁ ଦଉଡ଼ିରେ ଫାଶି ଲଗାଇ ଝୁଲି ପଡ଼ିଛନ୍ତି ତିନିଟା ଝିଅ । ପ୍ରତ୍ୟେକ ଚେହେରାରେ ବୟସର ପାର୍ଥକ୍ୟ ବାରି ହୋଇପଡ଼ୁଥିଲା । ଫଟୋ ତଳେ ଲେଖା ହୋଇଥିଲା ‘‘ଯୌତୁକ ଭୟରେ ତିନି ଭଉଣୀଙ୍କ ଆତ୍ମହତ୍ୟା । ଅତ୍ୟନ୍ତ ଉତ୍ସାହର ସହ ପଢ଼ିଲେ ପେପରଟାକୁ ।’’

 

‘‘କଲିକତା... ତା... ଯୌତୁକ ଦାବି କରି ବରପାତ୍ର ବାରମ୍ବାର କନ୍ୟାଘରୁ କନ୍ୟା ଦେଖି ଫେରି ଯାଉଥିବାରୁ ବାପା, ମାକୁ ସେ ଦାଉରୁ ମୁକ୍ତି ଦେବାକୁ ଯାଇ ତିନି ଭଉଣୀ ଆତ୍ମହତ୍ୟା କରିଛନ୍ତି । ଇସ୍ କି ଦୁଃସମ୍ବାଦ ଟାଏ । ଆହା...ବିଚାରୀ... ମାନେ... ସ୍ୱତଃ ମୁହଁରୁ ବାହାରି ଆସିଲା ଅବିନାଶ ବାବୁଙ୍କର । ମନ ଅଗଣାରେ ରାଜୁତି କଲା କେମିତି ଗୋଟାଏ ତିକ୍ତ ମନୋଭାବ । ଆଉ ପେପରଟା ପଢ଼ି ହେବନି । ଅଗତ୍ୟା ପେପରଟାକୁ ଭାଙ୍ଗି ସୋଫା ଉପରେ ଫୋପାଡ଼ି ଦେଇ ନିତ୍ୟକର୍ମରେ ମନ ଦେଲେ ।

 

ସ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୁଣା ବେଗଟାକୁ ସାଇକେଲରେ ଝୁଲାଇ ମାର୍କେଟ ଅଭିମୁଖେ ଚାଲିଲେ । ଭୁବନେଶ୍ୱର ବଜାର ଦର, ଯେଉଁଠି ବଡ଼ ବଢ଼ିଆ ହାରିଯାଉଛନ୍ତି, ଯେଉଁଠି ବଡ଼ ବଡ଼ କଡ଼ା କଡ଼ା ନୋଟର ସରଗରମ୍ ସେଠି ଏଇ ଅଧସ୍ତନ ସଚିବାଳୟ କର୍ମଚାରୀର ଖୁଚୁରା ପଇସାକୁ କିଏ ବା ଧ୍ୟାନ ଦିଅନ୍ତି । ପକେଟ୍ ଖାଲି ହେଲା ବେଳକୁ ବାସି ପରିବାରେ ବେଗ୍‍ଟା ଅଧାରୁ ସାମାନ୍ୟ ବେଶୀ ଭରି ଯାଇଥିଲା । ସଜ ପରିବାରେ ଭିଟାମିନ୍ ଥାଏ, ତାହା ସେ ପିଲାଦିନେ ପଢ଼ିଲା ବେଳେ ବହିରୁ ଜାଣିଛନ୍ତି, ହେଲେ କି ଭିଟାମିନ୍ ଅଛି, ଖାଇଲେ କଣ ହୁଏ, ତା ଜାଣିବା ତାଙ୍କ ଭାଗ୍ୟରେ ଯୁଟିନି ଏ ଯାଏ । ବାସି ପରିବାରେ ତ ବେଗ୍ ପୂରିବା ଆଗରୁ ପକେଟ୍ ଖାଲି ଆଉ ସଜ ପରିବା... !!!

 

ଅଧାବ୍ୟାଗ୍ ଓ ଅଧାମନ ନେଇ ସାଇକେଲ ଧରି ରାସ୍ତା ଉପରକୁ ଉଠିଲେ । ଘରକୁ ଫେରିବେ, ହଁ ଏଇ ରାସ୍ତାରେ ଗଲେ ଚଳିବ । ମଝିରେ ମହିଳା କଲେଜଟା ପଡ଼ିବ । ଏଇତ ସେଇ କଲେଜ ସାମ୍ନା ବରଗଛ । ସେଠି କ’ଣ ଦେଖାଯାଉଛି । ପିଲାଟେ...ଝିଅଟେ ବୋଧହୁଏ । ପରସ୍ପର ହାତରେ ହାତ ଦେଇ ଦୁନିଆ ଠାରୁ ବହୁ ଦୂରକୁ ଚାଲିଯାଇ ଭାବନାର ଗୋଟେ ସାମ୍ରାଜ୍ୟ ବିସ୍ତାର କରି ବସିଛନ୍ତି ।

 

ଇସ୍ ବେହିଆଗୁଡ଼ାକ...ରାସ୍ତାଟା ଉପରେ ଏମିତି ହେବାଟା...ଘୃଣାରେ ମୁହଁ ଫେରାଇ ରାସ୍ତା ଉପରେ ନିଜର କମାଇଲେ ।

 

ଏମାନେ କିଏ ? ପ୍ରଶ୍ନବାଚୀଟା ମନରେ ଉଙ୍କି ମାରୁ ମାରୁ ବରଗଛ ପାଖରେ ସ୍ଵତଃ ଆଖି ଦୁଇଟା ଯୁବକ ଯୁବତୀ ଉପରକୁ ଟାଣି ହୋଇଗଲା । ପିଲାଟା ଠିକ୍ ୟାଙ୍କରି ଆଡ଼କୁ ଚାହିଁଚି । ଚାହୁଁ ଚାହୁଁ ଆଖି ଚାରିଟା ମିଳିଗଲା । ଟୋକାଟା ମୁଣ୍ଡ ନୁଆଁଇ ଠିଆ ହୋଇଛି, ହାତ ଯୋଡ଼ିକ ଏବେ ମଧ୍ୟ ପ୍ରେମିକାର ହାତରେ ।

 

କ’ଣ କିଓ କ’ଣ ଦେଖୁଛ ? ଖୁବ୍ ସହଜ, ନୀରବତାପୂର୍ଣ୍ଣ ଏବଂ ଲାଳିତ୍ୟମୟ କଣ୍ଠସ୍ଵରରେ ପ୍ରଶ୍ନ କଲା ଯୁବକଟି ।

 

ଲଜ୍ଜିତ ହୋଇ ମୁହଁ ଫେରାଇଲେ ଅବିନାଶ ବାବୁ । ସାଇକେଲ ପେଡ଼ାଲ ଉପରେ ପାଦର ଚାପ ବୃଦ୍ଧି କରୁ କରୁ ଶୁଣିଲେ ଦେଖିଲେ ତୁମକୁ ଦେଖିଲେ ଲୋକ ନିଜର ଧଳାବାଳକୁ ମଧ୍ୟ ଭୁଲି ଯାଉଛନ୍ତି । ବେହିଆଟାଏ, ନୁହଁ !! ତା ସାଙ୍ଗକୁ ଖିଲି ଖିଲି ହସ ।

 

ଲଜ୍ଜିତ, ମଥାନତ । ସାଇକେଲ ପେଡାଲ ଉପରେ ସାଧାରଣ ଠାରୁ ଅଧିକ ଚାପ । ମଥା ଭାରାକ୍ରାନ୍ତ... କାନରେ ସେଇ ଖିଲି ଖିଲି ହସ ପ୍ରତିଧ୍ୱନିତ ।

 

ଭାବୁଥିଲେ...ଏଇ ଝିଅର ହସ, କେତେ ନିଶ୍ଚିନ୍ତ, ଉଲ୍ଲସିତ, ହୃଦୟ ମସ୍ତିଷ୍କ ସବୁ ଉତ୍‍ଫୁଲ୍ଲିତ । ସଦ୍ୟ ପ୍ରସ୍ଫୁଟିତ ଗୋଲାପଟାଏ ପରା । ଦୁନିଆର ସର୍ବଶ୍ରେଷ୍ଠ ବସ୍ତୁ ଆଜି ତାର ହାତ ମୁଠାରେ । ମାତ୍ର ଯେବେ ପ୍ରକୃତିସ୍ଥ ହେବ ପ୍ରକୃତ ଦୁନିଆକୁ ଫେରିବ... ଲୋକଚକ୍ଷୁର ଶୂଳ ହେବ । ସେତେବେଳେ... ଏଇ ହସ ଉତ୍‍ଫୁଲ୍ଲିତ ମନ, ହୃଦୟ ଯେବେ କାନ୍ଦି ଉଠିବ, ତରଙ୍ଗାୟିତ ଭ୍ରୂଲତାର ସଦା ଚଞ୍ଚଳ ଢଳ ଢଳ ଚକ୍ଷୁ, ଯୁଗଳ ଲୁହ ସାଗରରେ ବୁଡ଼ିବ ଏବଂ ଅବାରିତ ଅଶ୍ରୁଧାରା ଗଣ୍ଡ ଦେଶ ପ୍ଲାବନ କରିବ !!! ସତରେ କ’ଣ ଏହା ଅବଶ୍ୟମ୍ଭାବୀ ? ୟାର କ’ଣ କୌଣସି ପ୍ରତିକାର ନାହିଁ ?

 

ଗେଟ୍ ଦୁଆର ମୁହଁରେ ସାଇକେଲରୁ ଓହ୍ଲାଇପଡ଼ିଲା ବେଳକୁ ସାନ ଝିଅ ଦୁଇଟା ବେଗ୍‍ ଧରି ସ୍କୁଲକୁ ଯାଉଛନ୍ତି । ଟିଣ ବହି ବାକ୍ସଟାଏ କିଣି ଦେବା ପାଇଁ ଅନେକ ଦିନରୁ ଅଳି କରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କିଣି ଦେଇପାରି ନାହାନ୍ତି ସେ । ଏଇ ଦୁଇଜଣ ସବା ସାନ ଝିଅ ନୁହଁନ୍ତି, ୟାଙ୍କ ପରେ ମଧ୍ୟ ଜଣେ ମା କୋଳରେ ଲାଗିଛି । ସବା ବଡ଼ ଝିଅ ଏଇ ମାତ୍ର ବାଣୀବିହାରରୁ ପିଜି ସାରି ଘରେ ବସିଛି । ସର୍ବମୋଟ ସାତ ଝିଅ ।

 

ଆଜିର ପ୍ରଚାର ସର୍ବସ୍ୱ ଯୁଗରେ ଜନ୍ମ ନିୟନ୍ତ୍ରଣ ଓ ଜନ୍ମ ନିରୋଧର ଏତେ ପ୍ରଚାର ହେଉଥିଲେ ମଧ୍ୟ ପୁତ୍ର ମୁଖ ଦେବାର ଦୁର୍ବାର ଆକର୍ଷଣର ଫଳାଫଳ, ତା’ଙ୍କ ଅଗଣାରେ ସାତଟି କନ୍ୟା ସନ୍ତାନର ଚଳପ୍ରଚଳ । ସମସ୍ତେ ଆଖିଦୃଶିଆ ସୁନ୍ଦରୀ ନହେଲେ ବି କେହି ଅସୁନ୍ଦରୀ କାଳି କୋତରୀ ନୁହଁନ୍ତି ।

 

“ରାସ୍ତାକୁ ଭଲ ଭାବରେ ଦେଖି ରୋଡ୍ ପାର କରିବଟି ମା’ କହି ସାଇକେଲ କାଟି ଅଗଣା ଭିତରକୁ ପଶୁ ପଶୁ ଲକ୍ଷ୍ୟକଲେ ପିଲା ଦୁଇଟାଙ୍କ ମୁଖମଣ୍ଡଳରେ, ବାଲ୍ୟ ସୁଲଭ ସରଳତା, ଚାପଲ୍ୟ ଚିହ୍ନ ନାହିଁ । ବରଂ ଶଙ୍କିତ ପିତୃ ଉପସ୍ଥିତି ଜାଣି, ମାତ୍ର କିଏ ଜାଣେ ଏଇ ସରଳତା ଉପରେ ଜଟିଳତାର କୁଞ୍ଚ ଲେପି ହୋଇଯିବ ତାଙ୍କ ମୁଖମଣ୍ଡଳରେ ଆଉ କେଇଟା ବର୍ଷ ପରେ ।

 

ହାତରୁ ବ୍ୟାଗ୍‍ଟା ନେଉ ନେଉ ବିରକ୍ତି ଭରା କଣ୍ଠରେ ଘରଣୀ ତାଗିଦ୍ କଲେ “ବଜାରରୁ ଆସୁ ଆସୁ ତ ନଅଟା ବଜାଇ ଦେଲ, ଏବେ ଅଫିସ୍ ଯାଉ ଯାଉ ଡେରି ହେଲେ ମୋ ଉପରେ ଚିଡ଼ିବ । ଗଲ ଜଲଦି ଗାଧୋଇପଡ଼ିବ ।

 

ତରବରିଆ ଭାବେ ଗାଧୁଆ ପାଧୁଆ ସାରିଦେଇ ସାଇକେଲ ଛୁଟାଇଲେ ଦପ୍ତର ଅଭିମୁଖେ । ରାସ୍ତା ତ ଅତି ପରିଚିତ, ସାଥରେ ବାହନ ସାଇକେଲଟା ବି । ହେଲେ ମନରେ ଆଜି ଅନ୍ୟ ଦିନଗୁଡ଼ିକ ଠାରୁ ଅଲଗା ଏକ ଭାବନା । ସକାଳର ସେଇ ବରଗଛ ମୂଳରେ ଠିଆ ହୋଇଥିବା ଝିଅଟି । କେତେ ଖୁସି ଥିଲା ସତରେ ସେ । ତା’ର ଖୁଲି ଖୁଲି ମନ, ଖୋଲା ହସ ସତେ କେତେ ମାଧୁର୍ଯ୍ୟପୂର୍ଣ୍ଣ ଏବେ ବି ପ୍ରତିଧ୍ୱନିତ କାନରେ । ମାତ୍ର ତା’ର ମା, ବାପା, ସାଇ ପଡ଼ିଶା, ଭାଇବନ୍ଧୁ ଯେବେ ଜାଣିବେ ଏକଥା, ତା’ର ମା’ ବାପା ହୁଏତ ମାଡ଼ପିଟ ବା ଗାଳି ଗୁଲଜ କରିବେ । ହୁଏତ ବିଚାରୀର କଲେଜ ଯିବା ବନ୍ଦ ହୋଇଯିବ । ଖୁସି ବଦଳରେ ଦୁଃଖର ବାଦଲ ଘେରିଯିବ । ଖିଲି ଖିଲି ହସ ଝରାଉଥିବା ଓଠ ହୁଏତ ପିଇବ ବୁନ୍ଦା ବୁନ୍ଦା ଲୁହ । ମାତ୍ର... ବାପା, ମା’ ତ ଝିଅର ଖୁସି ହିଁ ଚାହିଁଥାନ୍ତି, ସଦା ସର୍ବଦା । ତେବେ ଏ ପରିପ୍ରେକ୍ଷୀରେ ହସ ଛଡ଼ାଇ ସଦା ଦୁଃଖି ବନିବାର କାରଣ ହୁଅନ୍ତି କାହିଁକି ?

 

ମାଇଲ୍‍ ମାଇଲ୍‍ କରି ତିନି ମାଇଲ ରାସ୍ତା ସରିଗଲା ହେଲେ ଭାବନାର ସମାପ୍ତି ହେଲାନି-। ଯେତେ ଭାବିଲେ ସେତେ ଜଟିଳ ହୋଇପଡ଼ିଲା । ଦେଖିଲେ ୫ ମିନିଟ୍ ଆଗରୁ ଅଫିସରେ ପହଞ୍ଚିଛନ୍ତି । ଚାକିରୀ ଜୀବନକାଳ ମଧ୍ୟରେ ଅବିନାଶ ବାବୁଙ୍କର ଅଫିସରେ ଜଲଦି ପହଞ୍ଚିବାଟା ଖୁବ୍ କ୍ୱଚିତ ପୁନରାବୃତ୍ତି ଘଟିଛି । ଆଜି ଯେ ଏମିତି ପୁଣି ପୁନରାବୃତ୍ତି ହୋଇଯିବ ... ଏମିତି ତ ସବୁଦିନ ପରି ସାଢ଼େ ନ’ଟାରେ ବାହାରିଥିଲେ ସେ । ବୋଧହୁଏ ମନ ଭିତରେ ଭାବନାର ଜାଲଗୁଡ଼ିକ ଯେଉଁ ବେଗରେ ଛନ୍ଦି ହୋଇପଡ଼ୁଥିଲେ, ସେଇ ବେଗରେ ପେଡ଼ାଲ ଉପରେ ପାଦର ଚାପ ବଢ଼ି ଯାଉଥିଲା । ଲିଫଟ୍ ଚଢ଼ି ତୃତୀୟ ମହଲାକୁ ଯାଇ କ୍ୟାବିନରେ ପହଞ୍ଚି ନିଜ ସିଟ୍ ଝଡ଼ାଝଡ଼ି କରି ବସି ପଡ଼ିଲେ । ପିଅନକୁ ତାଙ୍କ ଫ୍ୟାନ୍‍ଟା ଦେବାକୁ କହିଲା ବେଳକୁ ବଡ଼ ବାବୁ ହାଜର ।

 

କୋଠରୀ ଭିତରକୁ ପଶୁ ପଶୁ ବଡ଼ ବାବୁ କହି ପକାଇଲେ, ଶୁଣିଲେଣି । ଶ୍ରୀମତୀ ପାଳତୀ ଆଜି ଅନୁପସ୍ଥିତ । ସେଇ ଇକୋନମିଷ୍ଟ ଟୋକାଟା ସହ ଫେରାର । ଆଜିକାଲି ଯାହା ହେଉଛନ୍ତି ଏଇ ଟୋକା ଟୋକୀଗୁଡ଼ାକ । କହୁ କହୁ ଆଖିରୁ ଚଷମା କାଢ଼ି ରୁମାଲରେ ପୋଛିଲେ ବଡ଼ ବାବୁ ।

 

ମାଳତୀ ଏଇ ଅଫିସ୍ର ଷ୍ଟେନୋଗ୍ରାଫର । ଅବିନାଶ ବାବୁଙ୍କର ପାଖ କୋଠରୀରେ ବସେ-। ଧନାଢ଼୍ୟପରିବାରର ପୃଷ୍ଠଭୂମି ଥିଲେ ସୁଦ୍ଧା ସ୍ୱାବଲମ୍ବୀ ହେବା ଆକାଂକ୍ଷାରେ ସେ ଏଇ ଚାକିରୀ କରୁଥିଲା । ବେଶ୍ ମିଷ୍ଟ, ମାତ୍ର ସ୍ୱଚ୍ଛ ଭାଷୀ । ଏକା ଅଫିରେ ଦୁଇବର୍ଷ କଟାଇଲା ପରେ ମଧ୍ୟ ସେ ତା ସହ କଥାବାର୍ତ୍ତା କରିବାର ଅଳ୍ପ କେତେଟା ସୁଯୋଗ ପାଇଥିଲେ । ତା’ର ପ୍ରତ୍ୟେକ କଥାରେ ଫୁଟି ଉଠୁଥିଲା ସ୍ୱାଭିମାନ, ଉଚ୍ଚାଂକାକ୍ଷାର ଝଲକ । ତେବେ ଏମିତି ହଠାତ୍ ଫେରାର ହୋଇଯିବାଟା... କାଲିତ ଅଫିସ ଆସିଥିଲା, କିଛି ଜଣା ପଡ଼ୁନଥିଲା । କେତେ ସହଜ.., କେତେ ସ୍ୱାଭାବିକ ଥିଲା ।

 

ବୁଝିଲ ଅବିନାଶ ବାବୁ, “ଏଇ ମାଳତୀଟା ଭାରି ଚାଲାକ୍ । ଘରୁ ତ ଏକ ରକମ ତଡ଼ା ଖାଇଥିଲା ନିଜ ବେହିଆମି ଯୋଗୁ । କିନ୍ତୁ ଏବେ ତା’ର ଉଚ୍ଚାକାଂକ୍ଷାକୁ ସତ୍ୟ ପ୍ରତିପାଦିତ କରିବାକୁ ଭଲ ସୂତ୍ରଟିଏ ପାଇଗଲା... ଏଇ ଇକୋନମିଷ୍ଟ ଟୋକାଟା ।

 

ଅଫିସ୍ କାମରେ ମନ ଲାଗୁନଥାଏ ଅବିନାଶ ବାବୁଙ୍କର । ମାତ୍ର ତାଗିଦ୍ ଭୟରେ ଟେବୁଲ ଉପରେ ନଇଁପଡ଼ି ରାମ୍ପି ଚାଲିଥାନ୍ତି । ସାରା ଅଫିରେ ସେଇ ଗୋଟାଏ ଚର୍ଚ୍ଚା । କିରାଣି, ପିଅନ ଯାକ ରହି ରହି କରି ସେଇ କଥା ଆଲୋଚନା କରି ମଜା ଉଠାଉଥାନ୍ତି । ମାତ୍ର ଅବିନାଶ ବାବୁ ଏମିତି ବାକ୍‍ ବିତଣ୍ଡାରେ ଯୋଗ ନ ଦେଇ ଭାବି ଚାଲିଥାନ୍ତି ଗମ୍ଭୀର ଭାବରେ ।

 

“କେତେ ଖୁସି ନଥିବ ଆଜି ମାଳତୀ । ମନଖୋଜା ବର ପାଇଛି । ଯୋଗ୍ୟା କନ୍ୟାକୁ ଯୋଗ୍ୟ ବର ମିଳିଛି । ବାପା, ମା’କ ଜାଣତରେ ହୋଇଥିଲେ ଆଉ ଅଧିକ କ’ଣ ହୋଇଥାନ୍ତା ଯେ... । ଦୁହେଁ ଏଇଥିରେ ଖୁସି ତ ହୋଇ ପାରିବେ । ସାରା ଜୀବନ ଖୁସିରେ ହୁଏତ କାଟିବେ । ଏଇଆ ତ ବାପା, ମା’ ଚାହାନ୍ତି । ମାତ୍ର ବାପା, ମା’ ସମାଜ କ’ଣ ଏମାନଙ୍କୁ ସହଜରେ ଚଳିବାକୁ ଦେବେ ? ପାଦ ପାଦରେ ଝଞ୍ଜା ସୃଷ୍ଟି କରି ତାଙ୍କର ଏଇ ସ୍ନେହ ଡୋରର ବନ୍ଧନକୁ ଶିଥିଳ କରି ପକାଇବେ । ପୁଣି ସ୍ନେହର ବନ୍ଧନ ଯଦି ହୁଗୁଳି ଯିବ... ?

 

ସେ ତ ପରକଥା । ସାମ୍ଭାବ୍ୟ, ମାତ୍ର ଆଜିକାଲି ମହଙ୍ଗା ବରପାତ୍ରଙ୍କ ବଜାରରେ ଏଇଯେ ଏତେ ସହଜରେ ବର ମିଳିଲା ପୁଣି ଯୋଗ୍ୟ ବର ସେଇଟା... I

 

ସାତଟା କନ୍ୟା ସନ୍ତାନଙ୍କ ପିତାର ହୃଦୟ ଆଜି ପ୍ରଥମ ଥର ପାଇଁ ପ୍ରେମ ବିବାହର ସପକ୍ଷରେ ଯୁକ୍ତି ବାଢ଼ିଲା, କ୍ଷତି କ’ଣ ?

 

“ମୋ ଝିଅ ଯଦି ଏମିତି କେବେ... ମୁକ୍ତି ମିଳିଯାନ୍ତା ଯୌତୁକ ଦାଉରୁ.... ।’’

 

ନିଜ କଥା ଭାବିବା ବେଳକୁ ଦେହଟା ଶିହରିତ ହୋଇଗଲା । ସତରେ ଯଦି ହୋଇଯାନ୍ତା ନା ତରିଯାନ୍ତି... ମାତ୍ର ପାଖଲୋକେ... ସମାଜ କ’ଣ କହନ୍ତେ । ଛି ଛି ମୁଁ ଏ କ’ଣ ଭାବୁଛି... ଏସବୁ ମୋ ପରେ ... ନା ଅସମ୍ଭବ ।

 

ଅଫିସରୁ ଫେରୁଥିଲେ ଅବିନାଶ ବାବୁ । ଜନାରଣ୍ୟ ଭୁବନେଶ୍ଵର ରାଜରାସ୍ତା ପରିଷ୍କାର ପରିଚ୍ଛନ୍ନ ରାସ୍ତା ଉପରେ ପ୍ରତିଯୋଗିତା ମନୁଷ୍ୟର ଭିନ୍ନ ଭିନ୍ନ ଜୀବନଶୈଳୀର । ଦିଗନ୍ତ ବିସ୍ତାରୀ ମୁଣ୍ଡମାଳ । ଗାଡ଼ି ମୋଟର ଆଦିର ସୁରମ୍ୟ ଦୃଶ୍ୟ । ବେନି ପାର୍ଶ୍ଵର କିଞ୍ଚିତ ଦୂରରେ ନଭଶ୍ଚୁମ୍ୱୀ ଅଟ୍ଟାଳିକା । ପଥପ୍ରାନ୍ତର ସୁସଜିତ ଉଦ୍ୟାନମାଳା... ମନୋହର ପୁଷ୍ପମଣ୍ଡିତ ମାତ୍ର ଧୂସରିତ । ଆକାଶ ଉପରେ ସୂର୍ଯ୍ୟଙ୍କ ନାରଙ୍ଗ ପରିବେଶକୁ ଆହୁରି ରମ୍ୟ କରୁଛି । ଅବିନାଶ ବାବୁଙ୍କର ସାଇକେଲ ଗଡ଼ି ଚାଲିଛି । ରାସ୍ତା ପାର ହେଉଥିବା ପ୍ରତ୍ୟେକ ଯୁବତୀ ରୂପ ତାଙ୍କୁ ନିଜଝିଅ ପରି ମନେ ହେଉଥିବା ବେଳେ ପାଖରେ ନବ ଯୁବକ ସତେ ଯେମିତି ତାଙ୍କର ଭାବି ଜାମାତା ପରି ମନେ ହେଉଥିଲା ।

 

ଖୁଆଲି ଜୀବନରେ କଳ୍ପନା ହିଁ ତ ଏକମାତ୍ର ଉତ୍ସ ବଞ୍ଚିବାର ।

 

ସାଇକେଲ ଗଡ଼ି ଗଡ଼ି ଶେଷରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲା । ସାଇକେଲରୁ ଓହ୍ଲାଇ ଗେଟ୍ ପାର ହୋଇ ଘରକୁ ଧସେଇ ପଶିଲେ ଅବିନାଶ ବାବୁ । ଛୋଟ ବଡ଼ ପାଞ୍ଚଟି ମୁହଁ ନିଘା କରିଥାନ୍ତି ତାଙ୍କର ଅବସନ୍ନ କ୍ଲାନ୍ତ ମୁଖମଣ୍ଡଳକୁ । ବଡ଼ ଝିଅ ବୋଧହୁଏ ବଗିଚାରେ ଥିବ ନଚେତ୍‍ ସାଙ୍ଗ ଘରକୁ ଯାଇଥିବ ଏବଂ ସାନଝିଅ ତା’ ମା’ ପଣତ ତଳେ । କନ୍ୟା ମୁଣ୍ଡରେ ହାତ ମାରି ସ୍ନେହ ଟିକିଏ କରିବାର ସ୍ପୃହା ନାହିଁ ଅବିନାଶଙ୍କର । କେମିତି ବା ରହନ୍ତା... । ଏକ ଦୁଇ କରି ସାତ ପର୍ଯ୍ୟନ୍ତ ପହଞ୍ଚିଲା ବେଳକୁ କିଏ କହିବ ହୃଦୟର ସ୍ନେହର ଜୁଆର ଯେ ବିରକ୍ତିର ଭଟ୍ଟାରେ ପରିଣତ ନ ହେବ । ଅଗତ୍ୟା ଅପ୍ରୀତିକର ପରିସ୍ଥିତି ନ ଉପୁଜାଇ ନିଜର ସ୍ନେହ ଚାପିଧରି ନିତ୍ୟକର୍ମରେ ମନଦେଲେ ।

 

ରାତିରେ ଶେଯ ଉପରେ ଛୋଟ ଛୁଆଟିକୁ କଡ଼କୁ ଦେଇ ସ୍ତ୍ରୀ କୋଳର ଉଷୁମ ପରଶ ପାଇବାକୁ ଜାକିହୋଇଗଲା ବେଳକୁ ମାନସୀ କହିଲେ ହେଇ... ଜାଣିଚ ! ସେଇ ଏକ୍ଜିକ୍ୟୁଟିବ୍ ଇଞ୍ଜିନିୟର ଯେଉଁ ସାମନ୍ତରାୟ ବୋଲି ଲୋକଟା ନାହିଁ ନା, ଏ କଲୋନୀର ସେମୁଣ୍ଡ ଫ୍ଲାଟ୍ ଘରେ ରୁହେ । ତା’ରି ଝିଅ ମ.. ବୁଢ଼ୀତ ହେଲାଣି । ବରପାତ୍ର ଜୁଟୁନି ହେଲେ ଏମିତି କାଣ୍ଡ କରିବ...ଛି...ଛି.. ଶେଷକୁ ଚାକର ଟୋକାଟା ସାଙ୍ଗରେ... । ନିଜଟା... ଏତେ ଗାଳି ମାଡ଼ ଖାଇଲା ପରେ ବି ଜୀବନ ଧରି ବଞ୍ଚିଛି ।

 

ଅବିନାଶ ବାବୁଙ୍କର ମନରେ ବିଦ୍ରୋହ ଭାବ ଜାତ ହେଲା । ଏଇ ସ୍ତ୍ରୀ ଲୋକଟି...ଯେ ସତର ବର୍ଷ ନ ପୁରୁଣୁ ସ୍ୱାମୀ ସଙ୍ଗସୁଖ ଲାଭ କରିଆସିଛି । ତଥାପି ଏ ପର୍ଯ୍ୟନ୍ତ ପରିତୃପ୍ତି ପାଇ ନାହିଁ । ତା’ ମୁହଁରେ ଏମିତି କଥା... ସେ କ’ଣ ଜାଣିନି ଏ ସମ୍ପର୍କ ଗୋଟାଏ ଜୈବିକ କ୍ଷୁଧା । ବାୟୋଲଳିକାଲନିଡ୍‍ ଭାବିଲେ କହି ଦେବେ, ଯାହା କରିଛି ଠିକ୍ କରିଛି । ବେଶୀ ବୟସ ପର୍ଯ୍ୟନ୍ତ ବିବାହ ନ ଦେଇ ରଖିବା ପିତାମାତାଙ୍କର ଭୁଲ ଝିଅର ନୁହଁ । ମାତ୍ର ପରିସ୍ଥିତିର ଜଟିଳତା ଅନୁମାନ କରି ପରିଶେଷରେ ମୁହଁ ଗୁଞ୍ଜିଲେ ସ୍ତ୍ରୀର ସମତଳପ୍ରାୟ ବକ୍ଷରେ ।

 

କବାଟରେ ଖଟ୍ ଖଟ୍ ଶବ୍ଦ ଶୁଣି ଅବିନାଶ ବାବୁ ଦରବାଜାଟା ଖୋଲିଲା ବେଳକୁ ପୋଷ୍ଟ ପିଅନ କାର୍ଡ଼ଟାଏ ବଢ଼ାଇ ଦେଇଗଲା । ଶୁଭ ବିବାହ ଶିରୋନାମା ଥିବା ପତ୍ରଟିକୁ ଦେଖି ଏବଂ ତଳେ ଠିକଣାରେ ସୁଷମାର ନାମ ପଢ଼ି ସୁଷମାକୁ ଡାକି ବଢ଼ାଇ ଦେଲେ ନିମନ୍ତ୍ରଣ ପତ୍ରଟିକୁ । ଏବଂ ପାଦ ବଢ଼ାଇଲେ ତାଙ୍କର ଅବସର ବିନୋଦନର ଏକମାତ୍ର କ୍ଷେତ୍ର ବଗିଚା ଆଡ଼କୁ ।

 

ବଗିଚାରେ ନିଶ୍ଚିନ୍ତ ମନରେ ବିଚରଣ କରୁ କରୁ, ଦୁଇ ଘଣ୍ଟା ଯେ କଟାଇଦେଲେ ତା ସେ ନିଜେ ସୁଦ୍ଧା ଜାଣି ପାରିଲେ ନାହିଁ । ଚିର ପରିଚିତ ସେବତୀ ବୁଦା କେତୋଟି, ଗୋଲାପ ବୁଦା କେତୋଟି ତଥା ସଦ୍ୟ ରୋପିତ ରଜନୀଗନ୍ଧା ଚାରା କେତୋଟିକୁ ନିରୀକ୍ଷଣ କରୁ କରୁ, ନିଜ ଭାବନା ରାଜ୍ୟରେ ଖେଳୁ ଖେଳୁ ଏଇ ଦୀର୍ଘ ଦୁଇ ଘଣ୍ଟା ତାଙ୍କୁ ମାତ୍ର କେତୋଟି ମିନିଟ୍ ପରି ପ୍ରତ୍ୟୟ ହୋଇଥିଲା... ତେବେ...

 

ହଠାତ୍ ସ୍ତ୍ରୀଙ୍କର ଡାକ ଶୁଣି ଘରକୁ ପଶିଲେ । “ଦେଖତ ସୁଷମା କବାଟ ଖୋଲୁନି କାହିଁକି-?’’

 

ଦୁଇ ଚାରିଥର କରାଘାତ କଲା ପରେ କବାଟର ଭଙ୍ଗାକାଠ ଖଣ୍ଡକୁ ଆଡ଼େଇ ଦେଇ ଖିଟିକିଣି ଖୋଲି ଘରେ ପଶିଲେ ଅବିନାଶ ଏବଂ ତାଙ୍କ ସ୍ତ୍ରୀ । ଟେବୁଲ ଉପରେ ଢୋଳେଇ ପଡ଼ିଛି ତାଙ୍କର ଆଦରଣୀୟା କନ୍ୟା ସୁଷମା । ବଡ଼ ଝିଅ ଏଇଟି । ଜନ୍ମ ହେଲାବେଳେ କେତେ ସୁଖର କଳ୍ପନା ଦେଇଥିଲା ନବଦମ୍ପତିଙ୍କ ମନରେ । ପ୍ରଥମ ଝିଅ ହୋଇଛି, ଲକ୍ଷ୍ମୀ ଘରକୁ ଆସିଛି । ୟା ପରେ ପୁଅଟିଏ ହେବ, ତା’ ପରେ ବାସ୍... । ଗୋଟିଏ ପୁଅ ଗୋଟିଏ ଝିଅ ହିଁ ଯଥେଷ୍ଟ । ଖୁବ୍ ପାଠ ପଢ଼ାଇଁ ଦୁହିଁଙ୍କୁ ଯୋଗ୍ୟକରି ତୋଳିବୁ । ସାରା କଲୋନୀରେ ଝିଅଙ୍କଠୁ ସ୍ୱତନ୍ତ୍ର କରି ତୋଳିବୁ । ପୁଅ ଝିଅର ପାତର ଅନ୍ତର ନ କରି ସର୍ବଦା ସ୍ନେହ ଦେଇ ବଢ଼ାଇବୁ ଆଦି କେତେ କଳ୍ପନା, ପାତ୍ର ପୁତ୍ର ସୁଖ ଦେଖିବାର ଦୁର୍ବାର ଆକର୍ଷଣ । ଗୋଟିକ ପରେ ଗୋଟିଏ କନ୍ୟାର ଆଗମନ ବିଚାରୀର ଭାଗ୍ୟକୁ କ୍ଷୀଣ କରି ପକାଇଛି । କଳ୍ପନା କେବଳ କଳ୍ପନାରେ ହିଁ ରହିଛି । ଆଜି ବାସ୍ତବ ତା’ର ବିପରୀତ ।

 

“ଆରେ ମା’ ସୁଷମା, ପଢ଼ୁ ପଢ଼ୁ ଶୋଇ ଗଲୁନା କ’ଣ ? ମାତୃସୁଲଭ, କଣ୍ଠରେ ସୁଷମାକୁ ଉଠାଇ ଦେବାକୁ ଯାଇ ହଲାଇଦେଲେ । ମାତ୍ର ଏ କ’ଣ, ଦେହଟା ଏକଦମ୍ ଥଣ୍ଡା, ଉଠାଇ ଦେଉ ଦେଉ ଚେୟାରରୁ ଟଳି ପଡ଼ିଲା ସୁଷମା, ସାଥରେ ପଏଜନ ଶିଶିଟାଏ ।

 

କ’ଣ ହୋଇଛି ପ୍ରଶ୍ନ କରି ଝିଅକୁ ଦେଖିଲା ବେଳକୁ ଛାତିରୁ କୋହ ଠେଲିହୋଇ ବାହାରି ଆସୁଥିଲା । ଆଖିକୁ ଆଖିରୁ ହିଁ ଅନୁମାନ କରି ଅବିନାଶଙ୍କର ଛାତି ଭିତର କୋହ ନେଇ ରାହା ଛାଡ଼ିଲେ ମାନସୀ ।

 

କିଂକର୍ତ୍ତବ୍ୟ ବିମୂଢ଼ ଅବିନାଶ ଝିଅକୁ ସାଉଁଟି ଧରୁ ଧରୁ ଆଖି ପଡ଼ିଲା ଟେବୁଲ୍ ଉପରେ ଥିବା ନିମନ୍ତ୍ରଣ ପତ୍ରଟି ଉପରେ । ଏଇଟି ଡାକିବାଲା ଦେଇଯାଇଥିଲା ଦୁଇ ଘଣ୍ଟା ପୂର୍ବରୁ । କେଜାଣି କି ଖିଆଲରେ ଝିଅକୁ ଛାଡ଼ି ଉଠାଇଦେଲେ ସେଇ ପତ୍ରଟି । ଭାଙ୍ଗ ଖୋଲି ଦେଖିଲା ବେଳକୁ ଧଳା କାଗଜ ଖଣ୍ଡେ ଗଳିପଡ଼ିଲା ।

 

କାର୍ଡଟାକୁ ନିରୀକ୍ଷଣ କଲେ ଅବିନାଶ... I ଉପରେ ଲେଖା ହୋଇଛି, Sagar weds Nilima, ସାଗର ନାଁ ତଳେ କଳା କାଳିରେ ଅଣ୍ଡରଲାଇନ୍ ହୋଇଛି । ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଛି ‘Cheat ?’

 

ଧଳା କାଗଜଟିକୁ ଖୋଲି ପଢ଼ିଲେ ଅବିନାଶ ।

 

“ବାପା, ବୋଉ ! ମୁଁ ତୁମମାନଙ୍କୁ ଆଉ ମୁହଁ ଦେଖାଇବାର ଯୋଗ୍ୟ ନୁହେଁ । ମୁଁ ଅନ୍ତଃସତ୍ତ୍ୱା । ସାଗର ଏହାର କାରଣ, ବିଦାୟ !!!

 

ଇତି ସୁଷମା ।

 

ଏଥରକ ସ୍ତ୍ରୀର ରାହାରେ ଯୋଗଦେଲେ ସ୍ଵୟଂ । ବଡ଼ ପାଟିରେ କାନ୍ଦି ଉଠିଲେ, “ସୁଷମା ମୋ ମା'... ତୁ ଏ କଣ କଲୁ... ଭୋ...ଭୋ.., ହୋଇ କାନ୍ଦିଉଠିଲେ ।

 

ଏଇ କ’ଣ ହେଉଚି ତୁମର, ରାତିରେ ସ୍ଵପ୍ନ ଦେଖି ଛୁଆଙ୍କ ପରି କାନ୍ଦୁଚ କାହିଁକି ? ଏଇ ଉଠମ, କ’ଣ ହୋଇଛି ।’’ ଧଡ଼ପଡ଼ ହୋଇ ଉଠି ପଡ଼ିଲେ ଅବିନାଶ । ସମୟ ସକାଳ ୫ଟା । ବଡ଼ ପାଟିରେ ଡାକିଲେ ସୁଷମା... ମା ସୁଷମା... ।

 

ପଢ଼ା ଘରୁ ଦୌଡ଼ି ଆସିଲା ସୁଷମା, ବାପାଙ୍କର ଡାକଶୁଣି । ବିଛଣାରୁ ଉଠି ମୁଣ୍ଡ, ହାତ, ଦେହ ସବୁ ସାଉଁଟି ପକାଇ ଛାତିରେ ଲଗାଇ ନେଲେ ଅବିନାଶ ନିଜ ଝିଅକୁ ।

 

“ନା ଏମିତି ହେବା ଉଚିତ ନୁହଁ, କଦାପି ନୁହଁ ।” ଆଖୁରୁ ତାଙ୍କର ଧାର ଧାର ଲୁହ ଛୁଟୁଥାଏ ।

 

ନିର୍ବାକ୍ ସ୍କନ୍ଦ ଭାବରେ ଚାହିଁ ରହିଥିଲେ ମାନସୀ ।

 

ସୁଷମା ଶିଶୁସୁଲଭ, ପିତୃ ପ୍ରେମରେ ଉଲ୍ଲସିତ ।

Image

 

ଯାଚିତ ପିତୃତ୍ଵ

 

ବିଶ୍ୱେଶ୍ୱର ରାୟ ରିଜଓନାଲ ଇଂଜିନିୟରିଂ କଲେଜ । ମଧ୍ୟ ଭାରତର ଅନ୍ୟତମ ବୈଷୟିକ ଶିକ୍ଷାୟତନ । ଆଜିଠାରୁ ପ୍ରଭାତ ଏହାର ଏକ ଅଂଶ ।

ପ୍ରଭାତ... ପ୍ରଭାତ ସାମନ୍ତରାୟ । ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ଅନାମଧେୟ ଗ୍ରାମର ଏବଂ ନିମ୍ନ ମଧ୍ୟବିତ୍ତ ପରିବାରର ଦାୟାଦ । ଏଭଳି ଏକ ପ୍ରତିଷ୍ଠିତ କଲେଜରେ ଆଡମିଶନ୍ ପାଇବାଟା ନିଜ ମଧ୍ୟରେ ଏକ ଉପଲବ୍‍ଧି । ହୁଏତ ଆଉ ମାତ୍ର ୪ଟା ବର୍ଷ ପରେ ପ୍ରଭାତ ସାମନ୍ତରାୟ ଗୋଟିଏ ପ୍ରତିଷ୍ଠିତ ଅନୁଷ୍ଠାନରୁ ଡିଗ୍ରି ପାଇ ମେକାନିକାଲ୍ ଇଞ୍ଜିନିୟର ଭାବେ ନୂଆ ଦୁନିଆରେ ପାଦ ଦେବ ।

କଲେଜରେ ଆଜି ତା’ର ପ୍ରଥମ ଦିନ । ଛାତି ତଳେ ଅନେକ ଜିଜ୍ଞାସା, ଉତ୍କଣ୍ଠା, ଆଗ୍ରହ, ଆବେଗ । କିଛି ଜାଣିବାର, କିଛି କରିବାର, 'କିଛି ବନିଯିବାର ଅଦମ୍ୟ ସ୍ପୃହା । ବେଳେବେଳେ ଛାତି ତଳର ଗଭୀର ପ୍ରଦେଶରୁ ଉକୁଟି ଉଠୁଛି ଯୌବନର ଉଦ୍ଦାମତା, ପ୍ରତିଷ୍ଠା ପଛକୁ ସଙ୍ଗିନୀର ସାହଚର୍ଯ୍ୟ ତ ସମସ୍ତଙ୍କର କାମନା । ତେବେ ହୁଏତ ଅନ୍ୟ କେତେକଙ୍କ ପରି ତାକୁ ମଧ୍ୟ ଶିକ୍ଷାୟତନ ମଧ୍ୟରୁ କିଛି ସୁରାକ ମିଳିଯିବ ।

ପାଚେରି ହତା ଡେଇଁ କଲେଜ ପୋର୍ଟିକୋରୁ ପାହାଚ ଚଢ଼ିଲା ଗୋଟାଏ ଗୋଟାଏ କରି । ଏ କ’ଣ... ସାମ୍ନାରେ ନୀଳ ଶାଢ଼ି ଆବୃତା କ୍ଷୀଣାଙ୍ଗୀ ଲଳନା, ଗୌର ବର୍ଣ୍ଣର ଶରୀରରେ ଲୋଟି ଯାଇଛି ଭାଗ ଭାଙ୍ଗ ହୋଇ ଶାଢ଼ିଟି । ମ୍ୟାଚ୍‍କଲା ବ୍ଲାଉଜ୍ ସହ ନୀଳ ସାଣ୍ଡାଲ୍ । ମୁଣ୍ଡରେ ନୀଳ କ୍ଲିପ୍ ତଥା ମଥାରେ ନୀଳ ବିନ୍ଦି । ପ୍ରଭାତ ଦେଖିଲା ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ । ଆଖିରେ ଆଖି ଲାଖିଗଲା-। ଓଃ କି ଆଖି, ସାଗରଠୁ ବି ଗଭୀର । ତା' ଭିତରେ କେତେ କଥା–କେତେ ବ୍ୟଥା...ପ୍ରତି କ୍ଷଣରେ ତା’ଭିତରେ ବୁଡ଼ିବାକୁ ଆହ୍ୱାନ ।

“ଏ... ଏ... ଛୋକରା... କ’ଣ କେବେ ଝିଅ ଦେଖୁନ ନା କ’ଣ ।"

ପ୍ରକୃତିସ୍ଥ ହେଲା ପ୍ରଭାତ, ପ୍ରଜାପତିଟିଏ ଭଳି ପାହାଚ ଓହ୍ଲାଇ ଆଖିରୁ ଅଦୃଶ୍ୟ ହୋଇଗଲା ନୀଳ ପରୀ ।

ଓଃ... ଏମିତି ସାଥୀଟିଏ ଯଦି ମିଳିଯାନ୍ତା ନା... “ପ୍ରଭାତ ଚାଲିଲା କନ୍‍ଫରେନ୍‍ସ୍‍ ହଲକୁ । ଆଜି ପ୍ରଥମ କ୍ଲାସ୍‍ ହେବା ପୂର୍ବରୁ ହେବ ପରିଚୟ ପର୍ବ । ପିଲାମାନେ ଆସି ଆସନରେ ବସି ସାରିଲେଣି । ପ୍ରଭାତ ବସିଲା ସବାପଛର ଦ୍ୱିତୀୟ ଧାଡ଼ିରେ । ଏହା କେବଳ ନୂଆ ପିଲାଙ୍କ ଭିତରେ ହିଁ ସୀମିତ । କେବଳ ନୂଆ ପିଲା ହିଁ ପରସ୍ପର ମଧ୍ୟରେ ପରିଚିତ ହେବେ । ତା'ପରେ ରାଗିଙ୍ଗ ଆରମ୍ଭ । ସିନିଅର, ଜୁନିୟରଙ୍କ ମଧ୍ୟରେ ପରିଚୟ ହେବ । ପ୍ରାୟ ମାସକ ପରେ ସ୍ୱାଗତ ଉତ୍ସବ (ୱେଲକମ୍ ସେରିମୋନି) । ତେବେ ପ୍ରଭାତ ଆସନରେ ବସିବା ପୂର୍ବରୁ କଲେଜର କ୍ରାଫ୍ଟ, ଇନ୍‍ଷ୍ଟ୍ରକ୍ଚର ମିଷ୍ଟର ବିଶ୍ୱାଳ ଆସି ସାରିଥିଲେ । କ୍ଷଣିକ ମଧ୍ୟରେ ପରିଚୟ ପର୍ବ ଆରମ୍ଭ ହେଲା । ଜଣ ଜଣ କରି ପରିଚୟ, ବିଭାଗ ତଥା ହବି କହି ଚାଲିଲେ । ବେଶ୍ କିଛି କ୍ଷଣ ପରେ ପାଳି ପଡ଼ିଲା ପ୍ରଭାତର । ଠିଆ ହୋଇ କହିଲା ମୁଁ ପ୍ରଭାତ ସାମନ୍ତରାୟ । ଘର କେନ୍ଦୁଝର... ଓଡ଼ିଶା । ଟ୍ରେଡ୍.. ମେକାନିକାଲ୍ । ହବି – ଡ୍ରଇ ଏବଂ ପେଣ୍ଟି । ହାସ୍ୟରୋଳରେ ଫାଟି ପଡ଼ିଲା । କନଫରେନ୍ସ ହଲ୍ । “ୟୁ ସୁଡ ବି ଇନ୍ ଆର୍ଟସ୍ ୟାର’’ ଆଦି କେତେ ମନ୍ତବ୍ୟ ଗୁଞ୍ଜରି ଉଠିଲା । ଅବଶ୍ୟ ହାସ୍ୟାସ୍ପଦ ମେକାନିକାଲ ଇଞ୍ଜିନିୟରିଂ ପୁଣି ଡ୍ରଇ ଏବଂ ପେଣ୍ଟି ହବି, ବୃଦ୍ଧିର ବିପରୀତ ପ୍ରକୃତି ।

କ୍ୱାଏଟ୍, ...କ୍ୱାଏଟ୍ ବିଶ୍ଵାଳ ବାବୁଙ୍କର କଣ୍ଠସ୍ୱର ଶୁଣି ପୁଣି ନିସ୍ତବ୍ଧତା ଛାଇଗଲା । ହ୍ୱାଟ୍ ଡୁୟୁ ଡ୍ର ?

 

ସାର ଏନିଥିଙ୍ଗ... ଯେମିତି...

 

ପୁଣି ହାସ୍ୟରୋଳ...

 

କ୍ୱାଏଟ୍ ପ୍ଲିକ୍ ଓକେ, ୟୁ କମ୍ ଟୁ ମାଇଁ ରେସିଡେନ୍ସ... ଆଇ ଓ୍ୱିଲ ଗିଭ୍ ୟୁ ଏ ଲେସନ୍ ଅର ଟୁ । ଏଣ୍ଡ୍‍ ନେକ୍‍ଷ୍ଟ ।

 

ପୁଣି ପାଳି ପଡ଼ିଲା ପାଖ ପିଲା ଏବଂ କିଛି କ୍ଷଣ ପରେ ସଭା ଭଙ୍ଗ ହେଲା ।

 

ସେ ଦିନ ଥିଲା ରବିବାର । ପ୍ରଭାତର ହଷ୍ଟେଲ ଜୀବନର ଚତୁର୍ଥ ଦିନ । ହାତରେ କିଛି କାମ ନାହିଁ । ନାଗପୁର ସହର ଏକାନ୍ତ ଅପରିଚିତ । ସହର ବୁଲାରେ ମଧ୍ୟ ଆନନ୍ଦ ମିଳିବ ନାହିଁ । ସାଙ୍ଗସାଥିଙ୍କ ସହ ଆତ୍ମୀୟତାର ପ୍ରସଙ୍ଗ ଉଠିନି ଏଯାଏ । କ’ଣ କରିବ... ମନେ ପଡ଼ିଲା ବିଶ୍ଵାଳ ବାବୁଙ୍କ କଥା । ଡ୍ରଇଂ କଥା । କ୍ରାଫ୍ଟ ଇନ୍‍ଷ୍ଟ୍ରକଟର୍ କଲୋନୀ ଭିତରୁ ବିଶ୍ୱାଳ ବାବୁଙ୍କ କ୍ୱାଟରଟି ଖୋଜି ବାହାର କରିବାରେ ଟାଇମ୍ ଲାଗିଲା ନାହିଁ । ଫାଟକ ଖୋଲି କମ୍ପାଉଣ୍ଡ ଭିତରେ ପଶିଲା ପ୍ରଶାନ୍ତ । ସୁନ୍ଦର ଲନ୍‍ଟିଏ । ଲନ୍‍ରେ ହିଁ କ୍ରୋଟନ୍ ଗଛ ମୂଳକୁ ମାଟି ଦେଉଥିଲେ ବିଶ୍ୱାଳ ବାବୁ । ଦେଖୁ ଦେଖୁ ଚିହ୍ନିପାରି ଡାକ ମାରିଲେ ‘‘ଆରେ... ହଁ କ’ଣ କହିଥିଲ ତୁମ ନାଁ ଟା ତ….’’ ।

 

‘‘ସାର ପ୍ରଭାତ..’’

 

ହଁ ପ୍ରଭାତ.. ମୁଁ ଡ୍ରଇଂକୁ ଭାରି ଭଲପାଏ । ଯଦିଓ ମୋର ଏ କ୍ଷେତ୍ରରେ ସେମିତି ଗୋଟାଏ ବିଶେଷ ସଫଳତା ନାହିଁ, ତଥାପି ଆଇ ଲାଇକ୍ ଦି ସବଜେକ୍ଟ ।

 

‘‘ସାର ... ମୁଁ କିନ୍ତୁ.... ଲେସନ୍... ମାନେ.. ଟିପ୍‍ସ ।’’

 

ଆଁ.. ହାଁ. ଲେସନ୍... ହଁ ତୁମେ ଡ୍ରଇଂ କରୁଛି.. ମାନେ କେବେ କରିଛି.. କ’ଣ ସବୁକର.. ମାନେ ପ୍ରକୃତି... ପ୍ରତିଛବି... ଫଟୋ କପି... ଗ୍ରାଫିକ୍ସ କୋଉଟା ତୁମର ଚଏସ୍‍ ?

 

ସାର ମୁଁ ଏନିଥିଙ୍ଗ୍‍, ମାନେ ଯେତେବେଳେ ଯାହା... ।

 

ଆଛା ତୁମେ ଟିକିଏ ଏଇ ମାଗାଜିନ୍ କେତେଟା ଦେଖୁଥାଅ । ମୁଁ ଟିକେ ହାତ ଧୋଇହୋଇ ଆସେ । ହଁ ଏଇଠି ଏଇ ସୋଫାରେ ବସି... ।

 

କର୍ଲିଅନ୍ କୁଶନ୍‍ରେ ଧସେଇ ବସୁ ବସୁ ଟାଣି ଆଣିଲା ଟି ପୟ ଉପରୁ ମାଗାଜିନ୍ ଥାକଟା-। ହାତରେ ପଡ଼ିଲା ଆଲବମ୍ ଟାଏ । ବୋଧ ହୁଏ ଫାମିଲି ଆଲବମ । ଅନିଚ୍ଛା ସତ୍ତ୍ୱେ ଉଠାଇ ଆଣିଲା ଆଲବମି୍‍ଟକୁ । ଖୋଲିଲା... ପ୍ରଥମ ପୃଷ୍ଠାରେ ସୁନ୍ଦର ଝିଅଟିଏ ଆବକ୍ଷ ରଙ୍ଗିନ ଫଟୋ । ବବ୍ କଟ୍ ହେୟାର ଥାକ ଥାକ ହୋଇ ଝୁଲି ପଡ଼ିଛି କାନ୍ଧ ଉପରକୁ... । ମଥାରେ ବିନ୍ଦି ।

 

ୟାକୁଇ ତ ଦେଖୁଥିଲା ପ୍ରଭାତ ସିଡ଼ି ଉପରେ କଲେଜର ପ୍ରଥମ ଦିନରେ । ତେବେ ୟେ କ’ଣ... ?

 

ଘରୋଇ ଚାକର ଇତି ମଧ୍ୟରେ ଚା ବିସ୍କୁଟ ଥୋଇଦେଇ ଗଲା ପ୍ରଭାତ ପାଖରେ । ବିନା ଦ୍ୱିଧାରେ ବିସ୍କୁଟ ଖଣ୍ଡେ ଉଠାଇ ପାଟିରେ ଦେଲା ପ୍ରଭାତ । ଆଲବମର ଆଉ ପୃଷ୍ଠା ଓଲଟାଇବାକୁ ହାତ ଯାଉ ନାହିଁ ।

 

ଚା’ କପ୍‍ଟା ଶେଷ ହେଲା ବେଳକୁ ବିଶ୍ୱାଳ ବାବୁ ଆସିଲେ ହାତ ପୋଛି ପୋଛି । ହିଁ ଦେଖ ସାମନ୍ତରାୟ ପୁଅ... ହଁ କ’ଣ ତ ତୁମ ନାଁଟା... ହଁ ପ୍ରଭାତ.. ଡେଡିକେସନ୍‍ମାନେ ଟିକିଏ ସମୟାନୁବର୍ତ୍ତିତା ତଥା ଲଗ୍ନ ଦରକାର । ଯେକୌଣସି କ୍ଷେତ୍ରରେ ତୁମେ ଶୀର୍ଷକୁ ଯାଇପାରିବ । ଆଛା ତୁମେ ଗୋଟାଏ କାମ କର... ଗୋଟାଏ ଚିତ୍ର ଆଙ୍କିକରି ଆଣ । ମୁଁ ଆଗ ତୁମ ପ୍ରତିଭାର ପରିଚୟଟା ପାଇଯାଏ । ହଠାତ୍ ଆଲବମ୍‍ଟାକୁ ଉଠାଇ ପ୍ରଥମ ପେଜର ସେଇ ଆବକ୍ଷ ପେଜ୍‍ଟା ବାହାର କରି “ଆଛା ତୁମେ ଯାର ଗୋଟେ ଏନଲାର୍ଜ ଡ୍ରଇଂ କରିଆଣ । କ’ଣ ପାରିବ... ?

 

‘‘ସାର ହିଁ ଚେଷ୍ଟା କରିବି... ସନ୍ତର୍ପଣରେ ଫଟୋଟି ନେଉ ନେଉ ଥତମତ ହୋଇ ରହିଲା ପ୍ରଭାତ । ତା'ପରେ ଅନେକ କଥା, ଘରୋଇ... କଲେଜ... ଓଡ଼ିଶା ତଥା କେନ୍ଦୁଝର କଥା... ପରେ ପ୍ରଭାତ ଉଠିଲା । ଅନୁମତି ନେଇ । ଧିର ପଦକ୍ଷେପରେ ଲନ୍ ପାର ହୋଇ ଗେଟ୍ ଖୋଲିଲା ପ୍ରଭାତ ଏବଂ ପରକ୍ଷଣରେ ଏକ ମୁକ୍ତ ବିହଙ୍ଗ, “ଯାର ଏଇ ମାତ୍ର ପର ଲାଗିଛି ଅବା ଏଇମାତ୍ର ପଞ୍ଜୁରୀରୁ ମୁକ୍ତ ହୋଇଛି’ ମନ ନେଇ ଆଗେଇ ଚାଲିଲା ହଷ୍ଟେଲ ଅଭିମୁଖେ ।

 

କୌଣସି ମତେ ଦିନଟି କଟିଲା । ରାତିରେ ଖାଇ ସାରିଲା ପରେ ଲାଇଟ୍ ଲିଭାଇ ବିଛଣା ଧରିଲେ ସମସ୍ତେ ଅନ୍ୟ ସବୁଦିନ ପରି । ମାତ୍ର ପ୍ରଭାତର ମନ ଉଚ୍ଛନ୍ନ । ତା’ ରୁମର ଅନ୍ୟ ତିନିଜଣ ରୁମମେଟ୍ ବିଛଣା ଧରିଲା ପରେ ଟେବୁଲ ଲ୍ୟାମ୍ପ୍‍ ଲଗାଇ ଉଠିଲା ପ୍ରଭାତ ପେନସିଲ ଧରି । ହାତରେ ତା’ର ସେଇ ଫଟୋ । ହୃଦୟର ଗଭୀର ପ୍ରଦେଶରୁ କିଛି ହଲ୍‍ଚଲ୍‍ ଅନୁଭବ କରୁଛି ପ୍ରଭାତ ସେ ଫଟୋରେ ଆଖି ପଡ଼ିଲା ମାତ୍ରେ । ତାକୁ ଆଙ୍କିବ ଟିକିଏ ବଡ଼ କରି । ଆଙ୍କିବାର ବିଷୟବସ୍ତୁ ୟା’ଠୁ ଭଲ ଆଉ କ’ଣ ହୋଇପାରେ ? ହୃଦୟର ସମସ୍ତ ଆବିଳତାକୁ ପେନସିଲ୍ ମୁନରେ ରୂପାନ୍ତରିତ କଲା ସୁକ୍ଷ୍ମ ରେଖାଟିମାନରେ । ଧୀରେ ଧୀରେ ଫୁଟି ଉଠିଲା ଗୋଟାଏ ଜୀବନ୍ତ ରୂପ, ଗୋଟାଏ ଜୀବନ୍ତ ରେଖାଚିତ୍ର ।

 

ଆଙ୍କୁ ଆଙ୍କୁ ବେଳ ଖୁବ ଗଡ଼ିଗଲା । ବିଳମ୍ବିତ ପ୍ରହରରେ ବହି ଥାକ ଭିତରେ ଲୁଚାଇ ରଖିଲା ଉଭୟ ପ୍ରତିକୃତି ଓ ରେଖାଚିତ୍ର । ତା’ପରେ କୌଣସି ଏକ ମିଠା ସ୍ୱପ୍ନରେ ନିଜକୁ ହଜାଇ ଦେଉ ଦେଉ ଭୁଲିଗଲା ତା’ର ଆତ୍ମିକ ସତ୍ତାକୁ ବିଛଣା ଉପରେ ।

 

ନିଦ ଭାଙ୍ଗିଲା । ଟେବୁଲ କ୍ଲିକ୍ କହୁଛି ଦିନ ସାଢ଼େ ଆଠଟା । କାନରେ ପଡ଼ିଲା “ବାଃ ୟାର.. ଆତେ ହି ଲଡ଼କା କଲେଜ କ୍ୱିନ୍ କୋ ପଟାଲିଆ ।’’

 

ଶାଲା ତସ୍ୱିର ଭି ହାସିଲ କର୍‍ଲିଆ ବସ୍ ଦୋ ଦିନ୍ ମେ... ଚାଲୁ ହେ ଶାଲା.. ଔର ଡ୍ରଇଂ ଭି କ୍ୟା ଖୁବ ସୁରତ ବନାୟା ହୈ ।

 

ଆଖି ଖୋଲି ଦେଖିଲା ପ୍ରଭାତ... ସାମ୍ନାରେ ତା’ର ରୁମମେଟମାନେ ସେ ଆଣିଥିବା ସେଇ ଫଟୋଟି ତଥା ଆଙ୍କିଥିବା ଚିତ୍ରଟିକୁ ଦେଖି ଟିପ୍‍ପଣୀ କରୁଛନ୍ତି । ଝପଟି ପଡ଼ିଲା ପ୍ରଭାତ । ଛଡ଼ାଇ ଆଣିବ ତା’ର ଫଟୋ ତଥା ଚିତ୍ର । ମାତ୍ର ଏ କ’ଣ ହେଲା, ଟଣା ଟଣିରେ ଫଟୋ ସହ ଚିତ୍ରଟା ବି ଚିରି ଦୁଇଖଣ୍ଡ ହୋଇଗଲା ।

 

ଓଃ.. ନୋ... ଏ କ’ଣ ହେଲା । ଲାଗିଲା ପ୍ରଭାତର ହୃଦୟଟା ଫାଟି ପଡ଼ିଲା । ଆଖି ଆଗରେ ଅନ୍ଧାର ଛାଇଗଲା । କ’ଣ କରିବ... ଫଟୋଟା ନଷ୍ଟ ହୋଇଗଲା.. କି କବାବ ଦେବ ସାରଙ୍କୁ... କ’ଣ କରିବ ?

 

ଝଟ୍‍ପଟ୍ ଗାଧୁଆ ପାଧୁଆ ସାରି ବାହାରିଲା ସାରଙ୍କ ଘରକୁ । ଅସ୍ତବ୍ୟସ୍ତ ପୋଷାକ, ମସ୍ତିଷ୍କରେ କ’ଣ କରଣୀୟର ଭାବନା ମୁହଁରେ ତୋଳିଛି ଅସହାୟତା ଭାବ । ନିର୍ମଳ ନିଷ୍କଳ କୋମଳମତି ବାଳକଟି ହଠାତ୍ କୌଣସି ବିପଦର ଆଶଂକାରେ ଜର୍ଜରିତ ହୋଇ ଖୋଜୁଛି କୌଣସି ଏକ ବଳିଷ୍ଠ ସାହାରା । ଅସହାୟତାର ଭାବ ନେଇ ଗୋଟାଏ ଗୋଟାଏ କରି ପାଦ ଉଠାଇ ଚାଲିଛି ପ୍ରଶାନ୍ତ ସାର୍‍ଙ୍କ ଘରମୁହାଁ ହୋଇ ।

 

ଲନ୍ ପାର ହୋଇ ଦରଆଉଜା କବାଟ ପାଖରେ ଠିଆ ହେଲା ପ୍ରଶାନ୍ତ । ଆସ୍ତେ ଦରକା ଉପରେ ହାତ ନେଇ ଠକ୍ ଠକ୍ କଲା ।

 

କିଏ ? ଏକ ସୁଲଳିତ କଣ୍ଠସ୍ଵର ଝଙ୍କିତ ହେଲା । ହଠାତ୍ ଦରଜା ଖୋଲି ଠିଆହେଲା ସ୍ଵୟଂ ସେ । ଯେ ଏକ ସ୍ଵପ୍ନ.. ଏକ ପ୍ରତିକୃତି କେତେ କ୍ଷଣ ପୂର୍ବରୁ ଯେ ଖଣ୍ଡ ଖଣ୍ଡ ହୋଇଯାଇଥିଲା-

 

କ’ଣ ହେଲା, ସାର୍‍ ନାହାନ୍ତି... ।

 

ମୁଁ.. ଆପଣଙ୍କର ଫଟୋ ଟା... ଥତମତ ହୋଇ କିଛି କହିପାରିଲାନି ପ୍ରଭାତ । ହାତ ବଢ଼ାଇ ଦେଖାଇ ଦେଲା ସେଇ ଛିଣ୍ଡା ଫଟୋଟା ତଥା ଡ୍ରଇଂ ଟି ।

 

ଓଃ... ଏଇ କଥା... ଏ କେମିତି ହେଲା... ?

 

ମୋ ରୁମ୍‍ମେଟ୍‍ମାନେ... ଆଉ କିଛି କହି ପାରିଲାନି । ଆଖିରୁ ଆମାନିଆ ଲୁହ ବୁନ୍ଦା କୋତୋଟି ଗଡ଼ି ପଡ଼ିଲା ଗଣ୍ଡଦେଶ ଦେଇ ।

 

ଓଃ... ଡୋଣ୍ଟ୍ ୱରି । ଫଟୋଟା ଚିରି ଗଲା ତ... ମୁଁ ତ ଅଛି । ଆଉ ଫଟୋ ଉଠି ଯିବନି । ଆଉ ତୁମେତ ଚିତ୍ରକର । ଆଉ ଗୋଟେ ଡ୍ରଇଂ ଆଜି ଦେବ । ଏଇଥି ପାଇଁ ଏତେ ବିବ୍ରତ ହେବା କ’ଣ ଦରକାର । ହଁ ତୁମକୁ ଆଉ ଗୋଟାଏ ଭଲ ଗୁମକୁ ସିଫ୍ କରିନେଲେ ଭଲ ଦେବ । ମୁଁ ବାପାଙ୍କୁ ବୁଝାଇଦେବି ।

 

ତେବେ ମୁଁ ଆସୁଛି... ସାରଙ୍କୁ... କାକୁସ୍ଥ ହୋଇ କହିଲା ପ୍ରଭାତ ।

 

ହଁ ଆସିପାର, ମୁଁ ବାପାଙ୍କୁ ସବୁ ବୁଝାଇଦେବି । ରିଲାକ୍ସ୍.. ଇଟ୍ ଇଜ୍ ନଥିଙ୍ଗ୍ ୟାର... ରିଲାକ୍ସ ।

 

ପର ସପ୍ତାହରେ ତା’ର ରୁମ୍ ବଦଳାଯାଇ ଜଣେ ଓଡ଼ିଆ ସିନିୟର ପିଲାଙ୍କ ସାଙ୍ଗରେ ରହିବାର ବ୍ୟବସ୍ଥା କରାଗଲା । ଅମୀୟ ମହାପାତ୍ର... ଶେଷ ବର୍ଷର ଛାତ୍ର ଏମ୍.ଟେକର । ମେଟାଲର୍ଜିକାଲ ଇଞ୍ଜିନିୟରିଂ ସ୍ନାତକରେ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ଏମ୍.ଟେକ୍ କରୁଛି । ବିଶ୍ଵାଳ ବାବୁଙ୍କର ପ୍ରରୋଚନାରେ । ସେଇ ବିଶ୍ୱାଳ ବାବୁଙ୍କ ଅନୁରୋଧକ୍ରମେ ପ୍ରଭାତଙ୍କୁ ତାଙ୍କ ରୁମ୍‍ରେ ରହିବାର ଅନୁମତି ଦେଇଛନ୍ତି । ସୁଦୂର ମଧ୍ୟ ଭାରତରେ ଓଡ଼ିଶାର ଜାତୀୟତାର କିଞ୍ଚିତ୍‍ ପରିପ୍ରକାଶ ମାତ୍ର ।

 

ପ୍ରଥମ କେକ ଦିନ ବେଶ୍ ଡରି ଡରି କରି ସନ୍ତର୍ପଣରେ ଦିନ କାଟିଲା ପ୍ରଭାତ । ମାତ୍ର ପରବର୍ତ୍ତୀ ଦିନଗୁଡ଼ିକରେ ନିଜ ମଧ୍ୟରେ ଖୋଲି ଯାଇଥିଲେ ଉଭୟ ପ୍ରଭାତ ଓ ଅମୀୟ । ଖୁବ ମଜାରେ ଦିନଗୁଡ଼ିକ କଟିଯାଇଥିଲା । ଅମୀୟ ପ୍ରକାରାନ୍ତରେ ବନିଯାଇଥିଲା ପ୍ରଭାତର ମେଣ୍ଟର... ସିଲିସିଟ୍‍ର ତଥା ଗୁରୁ । ସେ ବର୍ଷ ଦଶହରା ଛୁଟିର ୨୨ ଦିନ ଖୁବ ମଜାରେ କେନ୍ଦୁଝରରେ କଟାଇ ନାଗପୁର ଫେରିଥିଲା ପ୍ରଭାତ ନାନା ଅନୁଭୂତି ନେଇ । କଲେଜରେ ପହଞ୍ଚୁ ପହଞ୍ଚୁ ପ୍ରଭାତ ଯେଉଁ ଖବର ଶୁଣିଲା, ପାଦତଳୁ ମାଟି ଖସିଗଲାପରି ସେ ଅନୁଭବ କରିଥିଲା । ଅମୀୟର ନିର୍ବନ୍ଧ ହୋଇଯାଇଥିଲା । ବିଜୟା ଦଶମୀ ତଥା ଜ୍ୟୋତିର ଜନ୍ମଦିନର ଶୁଭ ଅବସରରେ ଜ୍ୟୋତି ବିଶ୍ୱାଳ ସହ । ହଁ ସେଇ ନୀଳପରୀ, ସେଇ ସ୍ଵପ୍ନ, ସେଇ ପ୍ରତିକୃତି, ସେଇ ରେଖାଚିତ୍ର ଜ୍ୟୋତି ବିଶ୍ୱାଳ, କ୍ରାଫ୍‍ଟ୍ ଟିଚର ବିଶ୍ୱାଳ ବାବୁଙ୍କର ଏକମାତ୍ର ଗେହ୍ଲା ଝିଅ ।

 

ପ୍ରଭାତ ଖୁସି ହେବ ନା ଦୁଃଖ କରିବ କିଛି ଭାବିପାରୁନି । ଏଇ କିଛି ଦିନ ତଳର ଘଟଣା ପ୍ରବାହ ପ୍ରଭାତର ହୃଦୟରେ ଅବାନ୍ତର ତରଙ୍ଗ ସୃଷ୍ଟି କରିଥିଲା । ତା’ର କେନ୍ଦ୍ରବିନ୍ଦୁ ଥିଲା ଏଇ ଜ୍ୟୋତି । ହୃଦୟରେ ହଲଚଲ ହେଉ ହେଉ ହଠାତ୍ ଏ ଖବରଟା ପ୍ରଭାତକୁ ଖୁବ୍ ଅଡ଼ୁଆ ସ୍ଥିତିରେ ପକାଇଦେଇଥିଲା ।

 

ସେ ଦିନ ଥିଲା ଶନିବାର । କ୍ଲାସ ସାରି ଫେରିଲା ବେଳକୁ କ୍ଲାନ୍ତି ବୋଧ କରୁଥିଲା ପ୍ରଭାତ । ହଷ୍ଟେଲ୍‍ ରୁମ୍‍କୁ ପଶୁ ପଶୁ ଅମୀୟ ଖୁସିରେ ଉଛୁଳି ପଡ଼ୁ ପଡ଼ୁ ପ୍ରଶାନ୍ତଙ୍କୁ ଟାଣି ନେଇ ଷ୍ଟଡ଼ି ଟେବୁଲରେ ଜୋର କରି ବସାଇ ଦେଇ କହିଲା ପ୍ରଭାତ ନେଲୁ ପଢ଼ିଲୁ,... ଜ୍ୟୋତିର ପ୍ରେମପତ୍ର... କେତେ କ’ଣ ଲେଖିଛି । ଏଇ ପ୍ରେମ... ପ୍ରଣୟର ଭାଷା ମୋର ଭାଷାକୋଷରେ ନାହିଁ... ମୋତେ କେମିତି ଅଣନିଶ୍ୱାସୀ ଲାଗେ ଏଇ କାବ୍ୟ... କବିତାଗୁଡ଼ାକୁ ଦେଖିଲେ । ତୁ ତ କଳାକାର ଟିଏ.. ଏ ଭାଇ... ଟିକିଏ ଦୟାକରି... ଉତ୍ତରପତ୍ରଟିଏ ଲେଖିଦେଲୁ ମୁଁ ଉତ୍ତାରି କରି ପଠାଇ ଦିଏ ।

 

ପ୍ରଭାତ ପଢ଼ିଲା ଜ୍ୟୋତିର ପତ୍ର । ପ୍ରତ୍ୟେକଟି ବାକ୍ୟର ପ୍ରତିଟି ଶବ୍ଦରେ ଫୁଟିଉଠୁଛି ଭଲ ପାଇବାର ମାଦକତା । ହୃଦୟ ପୁଲକିତ ହୋଇଉଠୁଛି ପ୍ରତ୍ୟେକଟି ବାଜ୍ୟ ପଢ଼ି । ସତରେ କି ସୁନ୍ଦର ପରିପ୍ରକାଶ ମନର ଭାବର ।

 

ଏ ଭାଇ... ପ୍ରଭାତ... କ’ଣ ଭାବୁଛୁ । ଦେଲୁ ଲେଖିଦେଲୁ ଖଣ୍ଡେ... ।

 

ପ୍ରଭାତ ଭାବୁଥିଲା... ଏଇୟା ତ ତାର ଯୁଗ ଯୁଗର କଳ୍ପନା ଥିଲା, କାମନା ଥିଲା । ସୁଶ୍ରୀ ଲଳନା ଜ୍ୟୋତି ପାଖକୁ ପତ୍ରଟିଏ ଲେଖନ୍ତା । ତାର ରୂପର ପ୍ରଶଂସା କରନ୍ତା ଶତମୁଖ ହୋଇ । ତା’ର ପତ୍ରର ଉତ୍ତର ଠିକ୍ ସେଇ ପରି ମେଞ୍ଚାଏ ହୃଦୟ ଅଭ୍ୟନ୍ତରର ଗାଥାଭରା ପତ୍ରଟିଏ ପାଆନ୍ତା-। ଆଜି ହାତରେ ସେଇ ସୁଯୋଗ । ମାତ୍ର ଆଜି ପଟ୍ଟ କଳ୍ପନାନୁରୂପୀ ନୁହେଁ । ପରିବର୍ତ୍ତନର ନିୟମରେ ନିୟମିତ... ପ୍ରଶାନ୍ତ ଆଜି କର୍ତ୍ତା ହୋଇ ମଧ୍ୟ ପରଦା ଉହାଡ଼ରେ ।

 

ଦଶହରାରୁ ଗ୍ରୀଷ୍ମ ଅବକାଶର ଅବଧି ଖୁବ୍ ଲମ୍ବା । ମାତ୍ର କଳ୍ପନା ଭାବନାର ଗୋଟାଏ କୁହୁଡ଼ିଆ ସମୁଦ୍ରରେ ପହଁରି ପହଁରି ପ୍ରଭାତର ଦିନଗୁଡ଼ାକ କେମିତି ବିତିଗଲା ସେ ନିଜେ ବି ଜାଣିପାରିନି । ପ୍ରତ୍ୟେକଟି ଚିଠିର ଉତ୍ତର ପଢ଼ି ଅମୀୟ ପ୍ରଶଂସାରେ ଶତମୁଖ ହୁଏ । ମାତ୍ର ପ୍ରଭାତର ଅନ୍ତର ମଧ୍ୟରୁ ଗୋଟିଏ ଅମୀୟ ଲହରୀ ଫୁଟି ପଡ଼େ ତାରି ଓଠ ଉପରେ ହସର ସ୍ତବକ ରୂପେ । ଜ୍ୟୋତିର ପ୍ରତ୍ୟେକଟି ଚିଠି ଜମା କରି ରଖିଛି ପ୍ରଭାତ । ଅମୀୟର ସେଥିରେ କିଛି ଯାଏ ଆସେ ନାହିଁ । କେବଳ ଚିଠିର ଉତ୍ତର ଦିଆଯିବା ଉଚିତ୍ ନେଚେତ୍ ଜ୍ୟୋତିର ମନଦୁଃଖ ହୋଇପାରେ । କେବଳ ଏଇଥି ପାଇଁ ସେ ପ୍ରତି ସପ୍ତାହରେ ପ୍ରଭାତ ମାଧ୍ୟମରେ ଗୋଟିଏ ଚିଠି ପଠାଏ ।

ଗ୍ରୀଷ୍ଟ ଅବକାଶ ପରଠାରୁ ଅମୀୟ ସହ ଆଉ ଦେଖା ହୋଇନାହିଁ ପ୍ରଭାତର । ପ୍ରଥମ କେଇ ମାସ କେତେ ଖଣ୍ଡ ଚିଠି ଲେଲା ଅମୀୟ ପାଖକୁ ପ୍ରଭାତ । ମାତ୍ର କ୍ରମେ କ୍ରମେ ଦୃଶ୍ୟାନ୍ତର ହେବା ସଙ୍ଗେ ସଙ୍ଗେ ମନରୁ ମଧ୍ୟ ଭୁଲି ଯାଇଥିଲା ଅମାୟକୁ, ମାତ୍ର ଜ୍ୟୋତିକୁ ଭୁଲି ପାରିନଥିଲା ଏ ଯାଏ । ଅମୀୟ ନାଁ ରେ ତା’ଠାରୁ ପାଇଥିବା ଚିଠିଗୁଡ଼ିକୁ ଏ ଯାଏ ସାଇତି ରଖିଛି ପ୍ରଭାତ ।

ଇତିମଧ୍ୟରେ ପାଞ୍ଚ ବର୍ଷ ବିତିଯାଇଛି । ପ୍ରଶାନ୍ତ ମେକାନିକାଲ ଇଞ୍ଜିନିୟର ବନିଯାଇଛି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗରେ ଚାକିରି ମଧ୍ୟ ପାଇଛି ।

ସେ ଦିନ କୌଣସି ଏକ କାମରେ ଭୁବନେଶ୍ୱର କଳ୍ପନା ଛକ ପାରହେଲା ବେଳେ ହଠାତ୍ କଳା ରଙ୍ଗର ଗୋଟାଏ ଫିଆଟ୍ କାର ତାକୁ ପାର କରିଯାଇ ଟିକିଏ ଆଗରେ ଅଟକି ବ୍ୟାକ୍ କଲା ।

ଅନିଚ୍ଛା ସତ୍ତ୍ୱେ ସ୍ୱତଃ ଆଖି ପଡ଼ିଲା କାର୍ ଉପରେ । ପଛ ସିଟରେ କେହି ଜଣେ ସୁଶ୍ରୀ ଝରକା ଦେଇ ମୁଣ୍ଡ ବାହାର କରି କାହାକୁ ଡାକୁଛନ୍ତି ବୋଧହୁଏ ..।

ଏ ପ୍ରଭାତ... ପ୍ରଭାତ ନା ତମେ... ।

ଆଗକୁ ପଛକୁ ଚାହିଁଲା ପ୍ରଭାତ... ଦୁଇ କଡ଼କୁ ଚାହିଁଲା... ନାଁ ତାକୁ ହିଁ ଉଦ୍ଦେଶ୍ୟକରି ଡାକୁଛନ୍ତି ଆଗନ୍ତୁକା ।

ପାଖକୁ ପାଖେଇ ଗଲା ପ୍ରଭାତ... ଏ କ’ଣ ଏଇ ତ ସେଇ... ଜ୍ୟୋତି ମହାପାତ୍ର, ଅମୀୟ ମହାପାତ୍ରଙ୍କ ସ୍ତ୍ରୀ ।

ଆରେ ପ୍ରଭାତ ତୁମେ ଏଠାରେ କେମିତି... ଆସ.. ଆସ ।

“ଏଇ ଟିକିଏ କାମଥିଲା ।" ମୁଣ୍ଡବାଳକୁ ବାଁ ହାତରେ କୁଣ୍ଡାଇ କୁଣ୍ଡାଇ ଉତ୍ତର ଦେଲା ପ୍ରଭାତ । ମାତ୍ର ଆପଣ ।

“କ’ଣ କାମ ସରିଲାଣି, ଆମେ ଏଇଠି ରହୁଛୁ... ଶହୀଦ ନଗରରେ । ଆସ ଆମ ଘର ବୁଲି ଆସିବ । ଆସ... I

ଟାଣି ହୋଇଗଲା ପ୍ରଭାତ । ଆଗ ଦ୍ଵାର ଖୋଲୁ ଖୋଲୁ ଜ୍ୟୋତି ପଛଦ୍ଵାର ଖୋଲି ଟାଣି ନେଇଗଲା ଭିତରକୁ । “ଉହୁଁ ଆଜି ମୋ ପାଖରେ ବସ... ଏଇଠି । ଡ୍ରାଇଭର – ଚାଲ’’ । ଫିଆଟ୍ ଆଗେଇ ଚାଲିଲା ଭୁବନେଶ୍ଵର ରାଜରାସ୍ତାର ଜନଗହଳିର ବକ୍ଷ ବିଦାରି ।

କିଛିକ୍ଷଣ ପରେ ଗୋଟାଏ ସୁରମ୍ୟ ଭଦ୍ୟାନ ସାମ୍ନାରେ ଗାଡ଼ି ବ୍ରେକ୍ ମାରିଲା । ସାମ୍ନାରେ ସୁନ୍ଦର ଗୋଟାଏ ବଗିଚା । ତା’ ପଛକୁ ସୁନ୍ଦର ଦ୍ୱିତଳ ପ୍ରାସାଦଟିଏ । କଣ୍ଢେଇ ଟିଏ ଭଳି ଲାଗୁଛି । ଆର୍ବିଟେକ୍ଟର ଗୋଟାଏ ସୁନ୍ଦର ନମୁନା ।

‘‘ଏଇ ଆଡ଼କୁ ଆସ ପ୍ରଭାତ.. I ଅମୀୟ... ଓ ଅମୀ ଦେଖିଲ କିଏ ଆସିଛନ୍ତି ।’’

ଘିଅ ରଙ୍ଗର ଟ୍ରାଉଜର ପଞ୍ଜାବୀ ପରିହିତ ଅମୀୟ ବାବୁ ସୋଫା ଉପରେ ବସି ପେପର ପଢ଼ୁଥିଲେ । ଆଖି ଉଠାଇ ଦେଲେ ସାମ୍ନାରେ ପ୍ରଭାତ । ଆରେ ପ୍ରଭାତ ଯେ ଓଃ ଆଜି କି ଅହୋ ଭାଗ୍ୟ । କେତେ ଦିନ ପରେ ଦେଖାହେଲା... କେମିତି ଏୟାଡ଼େ ଚାଲି ଆସିଲ ଯେ... ।”

 

ହଠାତ୍ ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଚିନ୍ତା କରୁ କରୁ ଜ୍ୟୋତି କହି ଉଠିଲେ “ଓହୋ... ଅମୀ... ଏକାଥରେ ଏତେଗୁଡ଼ାଏ ପ୍ରଶ୍ନ ? ଆଗ ବସିବାକୁ ଦିଅ । ଟିକିଏ ଜଳଖିଆ ହୋଇ ସାରିଲା ପରେ କଥାବାର୍ତ୍ତା ହେବା । ଆଛା ଅମୀ ଆଜି ରବିବାର, ଚାଇନା ଟିକିଏ ପୁରୀ ବୁଲିଯିବା । ସମୁଦ୍ରକୂଳରେ ଟିକିଏ ବୁଲି ଆସିବା ।

 

ଅମୀୟ ଚାହିଁଥିଲା ଜ୍ୟୋତିକୁ, ପ୍ରଭାତ ଚାହିଁଥିଲା ଅମୀୟର ଆଶ୍ଚର୍ଯ୍ୟାନ୍ୱିତ ଆଖି ଯୋଡ଼ିକୁ-। ଚାହାଣିରେ ଅବିଶ୍ୱାସର ଭାବ ପ୍ରକଟ କରୁଥିଲା, ଅମୀୟ ଅନ୍ତରର ଆଶ୍ଚର୍ଯ୍ୟାନ୍ୱିତ ଭାବଧାରାକୁ । କିଛି ବୁଝିପାରୁ ନଥିଲା ପ୍ରଭାତ ।

 

‘‘ନା ନା ଅମୀ... ଆମେ ଆଜି ପୁରୀ ଯିବାନି । ଯିବା ଚନ୍ଦ୍ରଭାଗାକୁ । ପୁରୀ ବେଳାର ଭିଡ଼ ଅପେକ୍ଷା ଚନ୍ଦ୍ରଭାଗାର ନିରୋଳା ଝାଉଁ ବଣ ବରଂ ଭଲ । ନିରୋଳା ପରିବେଶରେ ବାସ୍ ତୁମେ ମୁଁ ଆଉ ପ୍ରଭାତ ।’’

 

ହଉ ହଉ ହେଲା ବାବା... ତୁମେ ପରା କହୁଅଲ ଆଗ ଜଳଖୁଆଟାଏର ବ୍ୟବସ୍ଥା ପରେ କଥାବାର୍ତ୍ତା ଆରମ୍ଭ ହେବ । ମାତ୍ର ଏ କ’ଣ ତୁମେ ହିଁ ତ କହିଚାଲିଛି ।

 

ଦିନ ସାଢ଼େ ୧୧ଟାରେ ଗାଡ଼ି ପାର୍କକଲା ବନ୍ଦ୍ରଭାଗାର ବେଳାରେ । ଗାଡ଼ିରୁ ଦରି, ହଟ୍ କେସ୍, ୱାଟର ବଟଲ, ଥର୍ମସ୍ ଆଦି ନିଜ ହାତରେ ବାହାର କଲା ଜ୍ୟୋତି । ଟିକିଏ ଅପେକ୍ଷାକୃତ ଘଞ୍ଚ ହୋଇଥିବା ଝାଉଁ ଗଛ ମୂଳରେ ନିଜେ ଦରି ବିଛେଇ ସବୁ ସଜାଇ ରଖିଲା । ଅମୀୟ ଭିଡିଅକନ୍‍ ୱାକି ସେଟର ଇୟରଫୋନ୍‍କୁ କାନରେ ଲଗାଇ ତା ନିଜ ଦୁନିଆରେ ମସ୍‍ଗୁଲ ଥିଲାବେଳେ ପ୍ରଭାତ କିଂକର୍ତ୍ତବ୍ୟବିମୂଢ଼ । ପରକ୍ଷଣରେ ସ୍ୱୟଂ ଲହଡ଼ି ଭାଙ୍ଗିବାର ମତ ଉତ୍‍ଥାପନ କରି କରି ପ୍ରଭାତକୁ ଜୋର କରି ଟାଣି ନେଇଗଲା । ଅମୀୟ ପ୍ରଥମରୁ ଅପ୍ରସ୍ତୁତ । ଦୀର୍ଘ ୫ ବର୍ଷର ଦାମ୍ପତ୍ୟ ଜୀବନ ମଧ୍ୟରେ ବେଶ୍ କେତେଥର ସେମାନେ ଆଉଟିରେ ଆସିଛନ୍ତି । ପ୍ରଥମ କେଇଥରର ଅନୁଭୂତି ଖୁବ ରୋମାଞ୍ଚକର । ତା ପରବର୍ତ୍ତୀ ସମୟରେ କେମିତି ଟିକିଏ ଟିକିଏ ତିକ୍ତତା ଏବଂ ଏଇ ନିକଟ ଅତୀତରେ ପରସ୍ପରଠାରେ ପ୍ରତି କାର୍ଯ୍ୟରେ ଅପ୍ରସ୍ତୁତତା ଅନୁଭବ କରିଆସିଛନ୍ତି ଦୁହେଁ । ଏଇ ବର୍ଷଟାଏ ହେଲା ଅନେକ ଥର ଦୁହେଁ ଅଲଗା ଅଲଗା ସମୟରେ ଅନେକ ଆଉଟିଙ୍ଗର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁ କରୁ ଅନ୍ୟଜଣଙ୍କର ଆତ୍ମୟତାହୀନ ଅପ୍ରସ୍ତୁତତାର ପରିପ୍ରକାଶ, ଅନ୍ତତଃ ପୂର୍ଣ୍ଣଚ୍ଛେଦ ଟାଣିଥାଏ ପ୍ରତିଟି ପ୍ରୋଗ୍ରାମରେ ।

 

ମାତ୍ର ଆଜି ଏ ବ୍ୟତିକ୍ରମର କାରଣ ଖୋଜି ପାଉନଥୁଲା ଅମୀୟ । ହଠାତ୍ ଦେଖିଲା, ପ୍ରଭାତ ଓ ଜ୍ୟୋତି ହାତ ଧରାଧରି ହୋଇ ସମୁଦ୍ରକୁ ଓହ୍ଲାଇ ଯାଉଛନ୍ତି । ହାତ ଧରା ଧରି ହୋଇ ଲହଡ଼ି ଭାଙ୍ଗୁଛନ୍ତି ଦୁହେଁ । ଅଣ୍ଟାଏ ପାଣି ଭିତରେ, ଆହୁରି ଭିତରକୁ ଯିବାକୁ ଜ୍ୟୋତିର ଆଗ୍ରହ । ପାଣି ଛିଟାରେ ଜ୍ୟୋତିର ଶାଢ଼ି, ବ୍ଲାଉଜ୍ ଦେହରେ ଅଠାପରି ଲାଗିଯାଇଛି । ଯୌବନ ଫୁଟିପଡ଼ୁଛି । ଜ୍ୟୋତି ଫେରି ଯାଇଛି ୫୭ ବର୍ଷର ଅତୀତକୁ । ବୟସଟା କେମିତି ସ୍ଥାଣୁ ହୋଇଯାଇଥିଲା ଜ୍ୟୋତିଠି ମାତ୍ର ଆଜି ଚଳଚଞ୍ଚଳ ହୋଇଉଠିଛି । କଟି ନିତମ୍ବର ଭାଙ୍ଗ ବଳ ଖାଉଛି । ବାକୁ ଚାତୁରୀ ମଧ୍ୟ ମୁଖରା ହୋଇଉଠୁଛି । ଅମୀୟ ଦେଖୁଛି ପ୍ରତିଟି ଲହଡ଼ି ପାରକଲା ବେଳେ ଜ୍ୟୋତିର ଶରୀର କେମିତି ଜଡ଼ି ଯାଉଛି ପ୍ରଭାତର ଅଙ୍ଗ ଅଙ୍ଗରେ ।

ବୁଲାବୁଲି ସାରି ସାଢ଼େ ୫ଟାରେ ଘରକୁ ଫେରିଲେ ତିନିହେଁ । ଅମୀୟର ମସ୍ତିଷ୍କ ଖୁବ ଚଳଚଞ୍ଚଳ ହୋଇଯାଇଛି ଇତିମଧ୍ୟରେ । କିଛି ଗୋଟାଏ ହେଉଛି ଯଦି ହୋଇଯାଉ... କିଛି ନୂତନ ସୃଷ୍ଟିର ଦ୍ୱାର ଖୋଲିଯାଉ ... ଆଜି ଅନେକ ଶ୍ଲୀଳ ଅଶ୍ଲୀଳ ଚିନ୍ତା... । ଆଠଟା ବେଳେ ଟିଭି ପାଖରୁ ପ୍ରଶାନ୍ତକୁ ଡାକି ନେଲେ ଛାତ ଉପରକୁ, ‘ଆସ ଟିକିଏ ଗପିବା’ କହି । ‘‘ତୁମେ ରୋଷେଇ ମନ ଦେଇ କର ଜ୍ୟୋତି ଏବଂ ଆମକୁ ଆଉ ଡିଷ୍ଟର୍ବ କରିବୁନି-। ଆମେ ବି ଆଉ ତୁମକୁ ଡିଷ୍ଟର୍ବ କରିବୁନି-। ଡିନର ମଷ୍ଟ ବି ଡିନର ଲାଇକ୍‍ ।’’ କହି ଆଗେ ଆଗେ ଚାଲିଲେ ଅମୀୟ ଅନୁଗାମୀ ପ୍ରଭାତ ।

‘‘ପ୍ରଭାତ, ତୁମେ ମୋତେ ଦେଇଛି ଅନେକ । ଏଇ ଯେମିତି ଖାସ୍ ତୁମରି ପାଇଁ ମୁଁ ଜ୍ୟୋତିକୁ ପାଇପାରିଲି ।’’ ବିନା ଭୂମିକାରେ କହି ପକାଇଲା ଅମୀୟ... ‘‘ଆଜି ମୋତେ ଆଉ କିଛି ଦେଇ କୃତାର୍ଥ କର ପ୍ରଭାତ ।’’

‘‘ମୁଁ କିଛି ବୁଝିପାରୁନି ଅମୀୟ ଭାଇନା... ଆପଣ କ’ଣ ସବୁ କହି ଯାଉଛନ୍ତି । ଆପଣ କ’ଣ ଚାହାନ୍ତି... ଆପଣଙ୍କ ସ୍ନେହ ଶ୍ରଦ୍ଧାର ପ୍ରତିବଦଳରେ ମୁଁ ମୋ ନିଜକୁ ମଧ୍ୟ ବିନା ଦ୍ୱିଧାରେ ସମର୍ପି ଦେଇ ପାରିବି ଆପଣଙ୍କର ପାଦରେ । ଆପଣଙ୍କର କ’ଣ ଦରକାର ମୋ ପାଖରୁ କହନ୍ତୁନା ପ୍ଲିଜ୍... ।

କହିବି... ପ୍ରଭାତ, କହିବି... ଏଇଥିପାଇଁ ତୁମକୁ ମୁଁ ଏ ନିରୋଳାକୁ ଡାକି ଆଣିଛି । ଗୁରୁଗମ୍ଭୀର କଣ୍ଠରେ କହିଲେ ଅମୀୟ ।

ଦେଖ ପ୍ରଭାତ, ତୁମେ ତ ଦେଖିଥିଲ ଜ୍ୟୋତିକୁ ନାଗପୁରରେ । କେତେ ସୁନ୍ଦର ଥିଲା ସେ ଚଳଚଞ୍ଚଳା ଝରଣାଟାଏ ପରି । ଆରେ କେତେ ସୁରା...କେତେ ସୁପ୍ତ...କେତେ ଚଞ୍ଚଳତା ଥିଲା ଠିକ୍ ହରିଣ ପରି । ମାତ୍ର ବାହାଘରର ଏଇ ପାଞ୍ଚ ବର୍ଷ ଭିତରେ ତା ପାଖରୁ ଧୀରେ ଧୀରେ ସବୁ ହଜିଯାଇଛି । ତା’ ଅନ୍ତରରୁ ଆର୍ଦ୍ରତା ଚିପୁଡ଼ି ହୋଇଯାଇଛି । ସେ କ୍ରମେ ପାଲଟିଯାଇଛି ଏକ ଶୁଷ୍କ ମରୁଲତା । ସ୍ଥାଣୁ... କ୍ରୀବ ପାଲଟିଯାଉଛି କ୍ରମେ କ୍ରମେ । ମାତ୍ର... ।

ପ୍ରଶାନ୍ତ ଲକ୍ଷ୍ୟକଲା, କହୁଥିବା ବାକ୍ୟପରି ଅମୀୟର ଆଯୋଡ଼ିକ କ୍ରମେ । ଶୁଷ୍ଠ ଓ ଭାବହୀନ ହୋଇପଡ଼ୁଥିଲା । ମାତ୍ର ହଠାତ୍ ସେଥିରେ ଭାବର ଉଦ୍ରେକ ସହ ପୁଲକର ଚମକ ଲକ୍ଷ୍ୟ କଲା ପ୍ରଭାତ ।

‘‘ମାତ୍ର ଆଜି ସକାଳେ ତୁମେ ଆସିଲା ପରଠୁ ମୁଁ ଲକ୍ଷ୍ୟ କରିଛି । ହଁ ମୁଁ ଲକ୍ଷ୍ୟ କରିଛି ତା’ର ଯେପରି ପୁନର୍ଜନ୍ମ ହୋଇଛି । ତା’ର ଅଣ୍ଟାରେ ବଳ, ଚାଲିର ଠାଣିରେ ଆଜି ମୁଁ ଲକ୍ଷ୍ୟ କରିଛି ମୃଦୁତା... ମତା... ଠିକ୍ ପାଞ୍ଚ ବର୍ଷ ତଳୁ ପରି । ତୁମେ ଦୟାକର ପ୍ରଶାନ୍ତ, ତା’ର ଏ ଖୁସି ଚିରଦିନ ପାଇଁ ଜୀବୀତ କରିଦିଅ ପ୍ରଭାତ... ପ୍ରିକ୍ତ ପ୍ରଭାତ... ପ୍ଲିଜ୍‍ ।

ମୁଁ କିଛି ବୁଝିପାରୁନି ଅମୀୟ ଭାଇନା... ମୁଁ କ’ଣ ଯେ କହିପାରିନି । କେମିତି ମୁଁ ତାକୁ ଖୁସି କରି ପାରିବି ???

ତୁମେ ଜାଣିଛ ତା’ର ଶୁଷ୍କତାର କାରଣ !! ହଁ ହଁ ମୁଁ ହିଁ ସେଥିପାଇଁ ଦାୟୀ । ତାକୁ ମୁଁ ସବୁ ଦେଇଛି, ଐଶ୍ଚର୍ଯ୍ୟ... ଭରିଦେଇଛି ତାର ଆଂଚଳରେ । ମାତ୍ର ତା’ର ଲୋଡ଼ା ମାତୃତ୍ୱ, ସେୟା ହିଁ ତାକୁ ମୁଁ ନେଇପାରିନି ।

ମାତ୍ର ମୁଁ ।

 

ହଁ ପ୍ରଭାତ... ଅତ୍ୟାଧୁନିକ ମେଡ଼ିକାଲ ସାଇନ୍‍ସ ମଧ୍ୟ ମୋ ପକ୍ଷରେ ନିଷ୍ପଳ ହୋଇଯାଇଛି । ଆଜି ତୁମେ ଦୟାକର... ମୋତେ ପିତୃତ୍ଵ ଦାନକର ପ୍ରଭାତ । ବୋଧ ହୁଏ ଜ୍ୟୋତି ବି ସେଇଆ ଚାହେଁ ।

 

“ମୁଁ ପିତୃତ୍ୱ... ନା... ଏହା ଅସମ୍ଭବ ।’’ ସମ୍ଭବ ପ୍ରଭାତ... ସମ୍ଭବ । ଜ୍ୟୋତି ଇଜ୍ ପରଫେକ୍‍ଟଲି ଫିଟ୍ ମେଡିକାଲି । ତା’ପରେ ଆଜି ତା’ର ଏପିରିଅଡର ଏଇଥ ଡେ । ତୁମେ ହିଁ କୁହ ପ୍ରଭାତ... ପ୍ଲିଜ୍...ମାତ୍ର ଜ୍ୟୋତି... ନା...।

 

ସେ କଥା ତୁମେ ଚିନ୍ତା କରନା । ମୁଁ ତା’ର ବ୍ୟବସ୍ଥା କରିଦେବି । ଜ୍ୟୋତି କିଛି ଜାଣି ପାରିବନି । ଏଇ ଦେଖ... ମୁଁ ରାତି ଏଗାରାଟାରେ ଯାଏ ବେଡ୍ରୁମକୁ । ଠିକ୍ ଏଗାର । ମୁଁ ଗଲା ପରେ ପଲଙ୍କ କଡ଼ରେ ତକିଆ ଲଗାଇ ଦିଏ ଜ୍ୟୋତି । ମୁଁ ସେଇଠି ଡେରି ହୋଇ ବସେ । ସେ ଉଠିପଡ଼ି ମୋ କୋଳରେ ମୁଣ୍ଡରଖି ଶୁଏ । ମୋ ପଞ୍ଜାବି ବୋତାମରେ ଖେଳେ । ମୁଁ ତା'ର ମୁଣ୍ଡ ଆଉଁଶି ଦିଏ । ଅଧ ଘଣ୍ଟାଏ ପରେ ତା'ର ହାତ ମୋ ବୋତାମ ପାଖରେ ସ୍ଥିର ହୋଇଯାଏ... ମୁଁ ଧିରେ ଧିରେ ତାର ମୁଣ୍ଡକୁ କୋଳରୁ ହଟାଇ ତକିଆ ଉପରେ ଥୋଇଦିଏ ଏବଂ ବେଡ୍ରୁମରୁ ଚାଲି ଆସି ବାହାର ଘରେ ଶୁଏ । ପ୍ରଥମେ ପ୍ରଥମେ ଖୁବ ବିରକ୍ତିରେ ମୁଣ୍ଡବାଳ ଓଟାରୁଥିଲି । କିଛି ଦିନ ଅସହାୟ ହୋଇ କାନ୍ଦିଲି, ମାତ୍ର ଏବେ ସବୁ ଦେହସୁହା... ସେ ବୋଧହୁଏ ଏବେ କିଛି ଭାବୁନି ଏକଥା । ଅନ୍ୟ କୌଣସି ଏକ ଚିନ୍ତାରେ ମଗ୍ନ ହୋଇ ସୁଦ୍ଧା ମେସିନ୍‍ଟିଏ ପରି ମୋ ପାଇଁ ତକିଆ ଲଗାଇଦିଏ । ମୋ କୋଳରେ ମୁଣ୍ଡ ରଖ୍ ମୋ ବୋତାମରେ ଖେଳୁ ଖେଳୁ ଶୋଇଯାଏ । ଏହା ନିତ୍ୟ ନୈମିତ୍ତିକ ।

 

ତେବେ ...

 

ହଁ, ଆଜି ବି ସେଇୟା ହେବ । ମାତ୍ର ମୋ ବଦଳରେ ଥିବ ତୁମେ ଏବଂ ଏ ଅବସରରେ ଜ୍ୟୋତିଠାରେ ମାତୃତ୍ଵର ସନ୍ତକ କରିବ ତୁମେ । ଏବେ ଆସ ଯିବା ।

 

ଉତ୍ତର ଦେବାକୁ ବାକ୍ୟ ନାହିଁ ପ୍ରଭାତର ।

 

ଭାବିଲା... କୌଣସି ଏକ ଦୁର୍ବଳ ମୁହୂର୍ତ୍ତହେର ହୁଏତ ଏୟା ହିଁ କାମନା କରିଥିଲା ସେ । ଏ ମନ ଚାହୁଁଥାଏ ଯାହା... ନ୍ୟାୟରେ ବୋଧହୁଏ ଭଗବାନଙ୍କର ଏୟା ଇଚ୍ଛା ଭାବି ନିରବ ରହିଲା ।

 

ରାତି ଏଗାର । ପ୍ରଭାତ ଅମୀୟର ଟ୍ରାଉଜର ପଞ୍ଜାବି ପିନ୍ଧିଲା । ସେଇ ସେଣ୍ଟ । ସ୍ପ୍ରେ କଲା କଲାରରେ କାଖରେ, ମୁଣ୍ଡରେ ତଥା ଛାତିରେ । ଧୀରେ ଧୀରେ ଆଗେଇଲା । । ବେଡ୍‍ରୁମ୍ ଆଡ଼କୁ-। ବାହାରେ ନିଶ୍ଵାସ ଚାପି ଅପେକ୍ଷା କଲା ଅମୀୟ ।

 

ପ୍ରଭାତ ଦେଖିଲା ପାରଦର୍ଶୀ ନାଇଟ୍ ଗାଉନ୍ ପିନ୍ଧି ଶୋଇଛି ଜ୍ୟୋତି । ଯୌବନ ଏବେ ବି ଅଫୁରନ୍ତ । ଆଗେଇଲା ପଲଙ୍କ ପାଖକୁ । ଯବପରି ହଲ୍ ଚଲ ହେଲା ଜ୍ୟୋତି । ତକିଆ ଲଗାଇ ଦେଲା ପଲଙ୍କ ଆଡ଼ିରେ । ଗୋଡ଼ ଉଠାଇ ଡେରି ହୋଇ ବସିଲା ପ୍ରଭାତ । କୋଳରେ ମୁଣ୍ଡ ରଖିଲା ଜ୍ୟୋତି । ପ୍ରଭାତ ଦେଖିଲା ଏବେ ବି ଆଶ୍ ଖୋଲିନି ଜ୍ୟୋତି ।

 

ଏବେ କ’ଣ କରିବ ଭାବୁ ଭାବୁ ଶୁଣିଲା.. ତୁମେ ଏ କ’ଣ ଭାବୁଛି । ଜାଣିଛି ନା ଯୋଉ ଦିନ ପ୍ରଥମ କରି ଦେଖୁଥିଲି ପ୍ରଭାତଙ୍କୁ... ସେ ଦିନ ଫଟୋଟା ଚିରି ଯାଇଥିଲା ବୋଲି କହିବାକୁ ଆସିଥିଲା... ତା ମୁହଁରେ ଦେଖୁଥିଲି ଗୋଟାଏ କୁନି ପୁଅର ଚେହେରା । ଅବୋଧ୍ୟ ମାତ୍ର ଅସହାୟ... ସେଇ ମୁହଁଟି ମୋର ମନ ମସ୍ତିଷ୍କରେ ଛପି ଯାଇଥିଲା । ଆଜି ଦେଖିଲି ସକାଳେ... ସେଇ ମୁହଁଟି ମୋର ମନେପଡ଼ିଲା... ମୋର ସିନା ପୁଅ ନାହିଁ ମାତ୍ର ଥିଲେ ଠିକ୍ ସେଇ ପରି ସରଳିଆ ଅବୋଧ ପିଲାଟିଏ ହୋଇଥାନ୍ତା ନା । ଆଜି କାହିଁକି କେଜାଣି ମୋତେ ଲାଗିଲା ମୁଁ ମୋର ମାତୃତ୍ୱ ପାଇଗଲି । ମୋ ପୁଅକୁ ମୋ ହାତପାଆନ୍ତାରେ ପାଇଗଲି । ସେଇଥିପାଇଁ ଆଜି ଦିନଟି ମୋ ପାଇଁ ଗୋଟାଏ ଶୁଭ ଦିନ ଭାବୁଛି ।

 

ଧୀରେ ଧୀରେ ହାତ ବୋତାମ ଉପରେ ଧୁମେଇ ପଡ଼ିଲା ଏବଂ କିଛି କ୍ଷଣରେ ସ୍ଥିର ହୋଇଗଲା ।

 

ସନ୍ତର୍ପଣରେ ମୁଣ୍ଡ ଉଠାଇ ତକିଆ ଉପରେ ଥୋଇଲା ଏବଂ ପଲଙ୍କରୁ ଓହ୍ଲାଇ ବାହାରକୁ ବାହାରିଲା ପ୍ରଶାନ୍ତ ।

 

ବାହାରେ ଅମୀୟ । ଉତ୍ସୁକତାର ପ୍ରଶ୍ନ... କ’ଣ ହେଲା... ?

 

କ’ଣ କହିବ । ସକେଇ ଉଠିଲା ପ୍ରଭାତ ।

 

କ’ଣ ହେଲା ପ୍ରଭାତ ? ଏଥର ରାହାଧରି କାନ୍ଦି ଉଠିଲା ପ୍ରଭାତ ।

 

ଧଡ୍ ପଡ଼୍ ହୋଇ ଉଠି ପଡ଼ି ବାହାରକୁ ଆସିଲା ଜ୍ୟୋତି । କ’ଣ ହେଲା କହି ପ୍ରଭାତକୁ ଜାବୁଡ଼ି ଧରୁ ଧରୁ ଦେଖିଲା ଅମୀୟର ପୋଷାକରେ ଆବୃତ ପ୍ରଭାତ । କିଛି ବୁଝିଲା... କିଛି ନ ବୁଝିଲା ଆଖିରେ ଚାହିଁଲା ଅମୀୟକୁ ।

 

ଅମୀୟର ଆଖି ଧୀରେ ଧୀରେ ନଇଁଗଲା... ଗୋଟାଏ ଅମାନବୀୟ ଜୁଆରିଆ ତରଙ୍ଗ କୂଳରେ ପିଟିହୋଇ ଧୀରେ ଧୀରେ ମିଳେଇଯାଉଥିଲା ଅମୀୟର ଅନ୍ତରରେ । ଦୀର୍ଘଶ୍ୱାସଟାଏ ପକାଇ ଅମୀୟ ଡ୍ରଇଂରୁମକୁ ଝଡ଼ ପରି ଚାଲିଗଲା ।

 

ଜ୍ୟୋତି ପ୍ରଭାତକୁ ସାନ୍ତନା ଦେଉ ଦେଉ ତା’ରି କୋଳରେ ଶୁଆଇ ପକାଇଲା ।

Image

 

ଅପୂର୍ଣ୍ଣା

ଶେଷ ଚିଠି

 

ନିରଞ୍ଜନା,

 

ସମ୍ଭାଷଣର ଆବଶ୍ୟକତା ଆଉ ନାହିଁ ବୋଧହୁଏ । ତେବେ ଆଜି ଯେତେବେଳେ ମୋ ଭଲ ମନ୍ଦର ପ୍ରଶ୍ନ ଉଠେ, ଅନ୍ୟକୁ ଦୋଷାରୋପ କରିବା ଅପେକ୍ଷା ଆତ୍ମସମୀକ୍ଷା ଅଧିକ ସମୀଚୀନ ମନେହୁଏ ।

 

ମୁଁ ନିରାକାର । ସ୍ଵୟଂ ତ ସ୍ୱତନ୍ତ୍ର ଆକାରବିଶିଷ୍ଟ ମାତ୍ର ମୋ କଳ୍ପନା, ଭାବଧାରା ସବୁ ନିରାକାର । ହାରାହାରି ଉଚ୍ଚତାର ମଣିଷଟିଏ ମୁଁ । ମୁଖ ମଣ୍ଡଳରେ ମୁଗ୍‍ଧତାର ଔଜ୍ଜଲ୍ୟ । ଚାଲିଚଳଣ ବେଶ୍ ଆକର୍ଷଣୀୟ । ରୁଚି ଖୁବ ମାର୍ଜିତ ଏବଂ ପୋଷାକାଦି ପରିପାଟିପୂର୍ଣ୍ଣ । ବେଶ୍ ଏଇ ସବୁ ବୋଧହୁଏ ଆଜିକାର ମଧ୍ୟମ ବର୍ଗ ତରୁଣୀଙ୍କୁ ଆକର୍ଷିତ କରିବାକୁ ଯଥେଷ୍ଟ ।

 

ସାଥିରେ ଖେଳକୁଦ ପୁସ୍ତକାଦି ପଠନ, ଲେଖନୀ ଚାଳନ ଏବଂ ସଙ୍ଗୀତରେ ରୁଚି ତଥା ପ୍ରତ୍ୟେକ କ୍ଷେତ୍ରରେ ସମ୍ୟକ୍ ସଫଳତା ଅନେକଙ୍କ ସହ ମିଶିବାର କ୍ଷେତ୍ର ପ୍ରସ୍ତୁତ କରିଥିଲା । ଭାବୁକ ହୃଦୟର ଖିଆଲି ମନ ତ ଆକର୍ଷିତ ହେବାକୁ ବା ଆକର୍ଷିତ କରିବାକୁ ସଦା ତତ୍ପର । ମାତ୍ର ନିଜେ ଅଚଳ ରହି ଅନ୍ୟ ହୃଦୟରେ ଘା’ କରିବାର ପ୍ରୟାସରେ ମୋର ନିଜ ହୃଦୟଟିକୁ ଖଣ୍ଡ ଖଣ୍ଡ କରି ପକାଇଛି ଆଜି ମୁଁ । ଆଜିର ଏ ପକ୍ୱତା, ମୋର ବିଗତ ଜୀବନର ଶୈଳୀ ପାଇଁ ମୋ ଓଠରେ ବେଳେବେଳେ ତାତ୍ସଲ୍ୟର ହସଟାଏ ହସି ଦେଉଛି ତ ବେଳେବେଳେ ମୋର ଭଗ୍ନ ଛିଦ୍ର ବିଛିଦ୍ର ହୃଦୟଟିକୁ ଚିପୁଡ଼ି ପକାଉଛି । ଆଉ ମୁଁ ନିରବରେ, ଏକାନ୍ତରେ ଅଶ୍ରୁମୋଚନ କରୁଛି । ଚେଷ୍ଟା କରୁଛି ମୋ ଆଖିର ଲୁହ ଦ୍ଵାରା ବିଗତ ଜୀବନର ଦାଗଗୁଡ଼ିକୁ ଧୋଇପକାଇବାକୁ ମୋ ଅନ୍ତରର କୋହ ଦ୍ଵାର ମୋ ହୃଦୟର ପୀଡ଼ା ଉପଶମ କରିବାକୁ ।

 

ନିସଙ୍ଗ ମୁଁ । ପୁଷ୍କରିଣୀ ମଧ୍ୟଭାଗର ଖମ୍ବଟିଏ ପରି । ଶରତ ଚିର ଦିନ ପାଇଁ ବିଦାୟ ନେଇ ସାରିଛି । ମୁଁ ଜାଣେ ମୋ ଚୁଡ଼ା ପର୍ଯ୍ୟନ୍ତ ଆଉ କେବେ ପାଣି ଉଠିବନି । ଭ୍ରମରେ ସୁଦ୍ଧା ମୋ ପାଖକୁ ହଂସରାଳି ଆଉ ଦୋଳି ଖେଳି ଆସିବନି ।

 

ମୁଁ ଜାଣେ ଲୀନା, ମିନା, ଲିଲି, ସିଟି, ସ୍ମିତା ସମସ୍ତେ ମୋର ଇସାରାକୁ ଅପେକ୍ଷା କରିଥିଲେ । ମାତ୍ର ମୁଁ ଗର୍ବରେ ନୁହଁତ, ହାତ ପାଆନ୍ତିରେ ଅନେକ ଗୁଡ଼ାଏ ହୀରା ପାଇ ଜୋହରୀ ହୋଇଯାଇଥିଲି । କଷଟି ପଥରରେ ବାରମ୍ବାର ପରୀକ୍ଷା କରି ଜିରାରୁ ଶିରା କାଢ଼ୁଥିଲି । ମୁଁ ଜାଣିଥିଲି ସେମାନେ ସମସ୍ତେ ଭଲ, ତୁମେ ବି । ମାତ୍ର...

 

ଜାଣିଛି, ଯେଉଁଦିନ ପ୍ରଥମ କରି ଲିଲି ପ୍ରକାଶ କରିଥିଲା, ତା'ର ଅନ୍ତରର କଥା ମୋ ସାମ୍ନାରେ । ଖୁବ ସରଳତା କିନ୍ତୁ ସତର୍କତାର ସହ କହୁ କହୁ ଭାବ ପ୍ରବଣତାର ଶିକାର ହୋଇଯାଇଥିଲା । ମାତ୍ର ମୁଁ ଯେତେବେଳେ ତା'ର କଥାକୁ ହାଲୁକା ଭାବରେ ଗ୍ରହଣ କରି ହୋ ହୋ ହୋଇ ହସି ଉଠିଥିଲି, ସେତେବେଳେ ମୁଁ ଠିକ୍‍ ଲକ୍ଷ୍ୟ କରିଛି ଦୁଇ ବୁନ୍ଦା ମୁକ୍ତା ତା’ ଆରୁ ଝରି ପଡ଼ି ମୋ ବୁଟ୍ ଉପରେ ସନ୍ତକ ଛାଡ଼ି ଯାଇଥିଲା । ସେଇଟା ବୋଧହୁଏ ମୋ ପାଇଁ ତା’ର ଶେଷ ପ୍ରୀତି ଉପହାର । ଯେଉଁଦିନ ସେ ତା’ର ବିବାହ ନିମନ୍ତ୍ରଣପତ୍ରଟା ବଢ଼ାଇ ଦେଲା ମୋ ହାତକୁ ମୁଁ ଲକ୍ଷ୍ୟ କରିଛି ତା'ର କମ୍ପିତ ଓଠ ଦୁଇଟିକୁ । ସଜଳ ଢଳ ଢଳ ଆଖି ଯୋଡ଼ିକର ସେ ଚାହାଣି ଖୁବ୍ ପ୍ରଶିଳ । ଗମ୍ଭୀର ମୁଖମଣ୍ଡଳ ଖୁବ୍ ଭାବପୂର୍ଣ୍ଣ ।

 

କଂଗ୍ରାଚୁଲେସନ୍‍ସ, କମ୍ ଅନ୍ ଲେଟ୍ ଅସ୍ ସେଲିବ୍ରେଟ୍‍ । ସ୍ୱଭାବସୁଲଭ କଣ୍ଠରେ ମୋର ଏଇ ଉକ୍ତିଟି ତା’ ମନରେ କି ଭାବ ଉଦ୍ରେକ କଲା କେଜାଣି, ହଠାତ୍ ବୁଲିପଡ଼ି ରିକ୍ସା ଉପରକୁ ଚଢ଼ୁ ଚଢ଼ୁ ଭ୍ୟାନିଟି ବ୍ୟାଗ୍‍ରୁ ରୁମାଲ କାଢ଼ୁଥୁଲା, ଲୁହ ପୋଛିବାକୁ ବୋଧହୁଏ ।

 

ତୁମେ ତ ଦେଖିଛ ତା’ର ବାହାଘର ଦିନ ମୁଁ କେତେ ବ୍ୟସ୍ତ ଥିଲି । ତୁମମାନଙ୍କର ସ୍ୱର ରିପ୍ଲାଇ ମଧ୍ୟ ଠିକ୍ ଭାବରେ ଦେଇ ପାରିନଥିଲି । ତେବେ ତାକୁ ବିଦା କରିସାରିଲା ପରେ ମୁଁ ଯେବେ ମୋ ଘରକୁ ଫେରିଲି ସବୁ କିଛି ସ୍ୱାଭାବିକ ଥିଲା । ମାତ୍ର ଯେତେବେଳେ ବିଛଣାରେ ପଡ଼ି ଆଖି ବନ୍ଦକଲି, ସେତେବେଳ କାହିଁକି କେଜାଣି ମୋ ଭାବନା ରାଜ୍ୟରେ କେବଳ ଗୋଟାଏ ଚେହେରା ଛାଇଗଲା, ସେଇଟା ଲିଲିର । ଏଇଟା ଅସ୍ୱାଭାବିକ କାରଣ ମୋ ଭାବନାର ରାଜ୍ୟ ସର୍ବଦା ବହୁ ଶାସିତ । ତେବେ ତା’ ପରଦିନଠାରୁ ମୋର ସେଇ ବୁଟ ହଳକୁ ଆଉ ପିନ୍ଧିବାକୁ କାହିଁକି କେଜାଣି ଇଚ୍ଛା ହେଲାନି । ଜାଣିଛ ଏବେ ବି ତା’କୁ ସାଇତି ରଖିଛି ।

 

ଛାଡ଼ ଏତ ଗଲା ଲିଲି କଥା । ସେ ବୋଧହୁଏ ସୁଖରେ ସଂସାର କରୁଛି । ହେଲେ ସେ ଯିବା ପରଠୁ କାହିଁକି କେଜାଣି ମନଟା ଖୁବ ନିସଙ୍ଗ ବୋଧହେଲା । ସାଥୀଟିଏ ଯେ କି ଖୁବ ସମ୍ବେଦନଶୀଳ ହୋଇଥିବ, ମାର୍ଜିତ ରୁଚିସମ୍ପର୍ଣ୍ଣ ତଥା ଭାବଗ୍ରାହୀ ହୋଇଥିବ ହୃଦୟ ଚାହିଁଲା ।

 

ତୁମର ନିକଟତମ ସାଙ୍ଗ ମୀନା, ଯେ ମୋ ଲେଖନୀ ନିଃସୃତ ପ୍ରତ୍ୟେକଟି ସୁଜନୀକୁ ଖୁବ ଭଲପାଏ । ରିମାଇଁ ଦିଏ । ମୋ ମନ କେଜାଣି କେମିତି ସବୁ ଇପସିତ ଗୁଣାବଳୀ ତା’ଠାରେ ଲକ୍ଷ୍ୟକଲା । ତୁମେ ତ ଦେଖୁଛ ସେ ସେତେଟା ସୁନ୍ଦର ନୁହଁ ଦେଖିବାକୁ । ତେବେ ମନେ ମନେ ସିଦ୍ଧାନ୍ତ ନେଲି ତାକୁ ସାଥୀ କରିବାକୁ ଏବଂ ପରବର୍ତ୍ତୀ ଦିନଗୁଡ଼ିକରେ ମୋ ଲେଖନୀ କେବଳ ତା’କୁ ହିଁ ବର୍ଣ୍ଣନା କରିବାରେ ଲାଗିଲା ।

 

ଏଇ, ମନେ ଅଛିନା, ସେ ଦିନ ତୁମେ ହଠାତ୍ ମୋର କବିତାଟାଏ ପଢ଼ି କହିଲ, ‘‘କ’ଣ ନିରାକାର ବାବୁ, ଏବେ ତ ଖୁବ୍ ରୋମାଣ୍ଟିକ୍ ଲେଖି ବସିଲଣି । କ’ଣ କାହା ସହିତ ରୋମାନ୍‍ସ ଚାଲିଛି ନା କ’ଣ ?" ମୁଁ ତୁମର ଏଇ ପ୍ରଶ୍ନରେ ସେ ଦିନ ହଡ଼ବଡ଼େଇ ଯାଇ ହଁ ନା କ’ଣ ଗୋଟେ କହି ଦେଇ କଥାଟାକୁ ଟାଳି ଦେଇ ଚାଲି ଗଲାବେଳେ କେଜାଣି ତୁମେ କ’ଣ ଭାବୁଥୁଲ, ମାତ୍ର ପରବର୍ତ୍ତୀ ଦିନଗୁଡ଼ାକରେ ତୁମେ ନିଶ୍ଚିତ ଭାବରେ ଲକ୍ଷ୍ୟ କରୁଥିବ, ମୁଁ ଏବଂ ମୀନା ଖୁବ ସମ୍ବେଦନଶୀଳ ହୋଇ ପଡ଼ୁଥିଲୁ ପରସ୍ପର ପ୍ରତି । ଆଉ ଯୋଉଦିନ ସେ ବର୍ଷର ବାର୍ଷିକ ଉତ୍ସବ ହେଲା, ତୁମ କଲେଜର ସମସ୍ତଙ୍କ ତରଫରୁ ତୁମେ ହିଁ ମୋତେ ଆମନ୍ତ୍ରଣ କରିଥିଲ ସେଦିନ । ମୁଁ ଜାଣିଛି ସେଦିନ ମଧ୍ୟ ରାତ୍ରିରେ କଲେଜ ଲନ୍‍ରେ ମୀନା ସହ ଦୁଇଘଣ୍ଟା କଟାଇଥିବାର ଜାଣି ତୁମ ମନରେ ଦୁଃଖ ହୋଇଥିଲା । କେବଳ ତୁମର କାହିଁକି ସ୍ୱୀଟି, ସ୍ମିତା ଏବଂ ଲୀନା ମଧ୍ୟ ଖୁବ୍ ଦୁଃଖିତା ହୋଇଥିଲେ । ପରେ, ଯେବେ ତୁମମାନଙ୍କର ବାକ୍ୟବାଣ ସହି ନପାରି ମୀନା ତୁମ ସାମ୍ନାରେ ଘୋଷଣା କଲା ହଁ ସେ ମୋତେ ଭଲପାଏ, ପ୍ରେମକରେ, ସେତେବେଳର ତୁମମାନଙ୍କର ମନର ସ୍ଥିତି ମୁଁ ଏବେ ଅନୁଭବ କରୁଛି ।

 

ତା’ ପରଦିନଠୁ ମୀନାକୁ ତୁମେମାନେ ବାକ୍ୟବାଣରେ ଘାଏଲ କରି ଦୂରେଇ ଦେଲ । ମୀନା ଧୀରେ ଧୀରେ କମ୍ପ୍ଲେକ୍‍ସର ଶିକାର ହେଲା । କ୍ରମେ କଲେଜ ଯିବା ବନ୍ଦ ହେଲା । ମୋ ସହ ମିଳାମିଶା ମଧ୍ୟ ସୀମିତ କରିଦେଲା ।

 

ସେଦିନ ମୁଁ ଯେବେ ତାକୁ ଏ ସବୁର କାରଣ ପଚାରିଲି, ଶାନ୍ତ ସରଳ ପ୍ରଶ୍ନଟିଏ ମାଧ୍ୟମରେ ଉତ୍ତର ଦେଲା ସେ, “ତୁମେ ମୋ ସହ କାହିଁକି ଏ ସମ୍ପର୍କ ରଖିଛ କହିଲ ନିରାକାର । ?’’ ମୁଁ ପରିସ୍ଥିତିର ଓ ତା’ର ପ୍ରଶ୍ନର ଗୁରୁତ୍ୱ ଉପଲବ୍‍ଧି ନ କରି ସ୍ଵଭାବ ସୁଲଭ ବ୍ୟଙ୍ଗ କରି କହିଥିଲି, ‘‘ତୁମେ କ’ଣ ଜାଣିନା, ମୁଁ ଏତେ ଲୋକଙ୍କ ସହ ସମ୍ପର୍କ ରଖେ କାହିଁକି ? ଲୋକଙ୍କର ଭାବଧାରା, ଜୀବନ ଧାରା ଓ ଚିନ୍ତାଧାରାର ସୁକ୍ଷ୍ମତାକୁ ଆବିଷ୍କାର କରି କଲମ ମୁନରେ ତାର ପରିସ୍ଫୁଟନ ପାଇଁ । ହେଲେ ତୁମ ସହ ... ।’’

 

କହୁ କହୁ ମୋ କୋଳରୁ ଉଠିପଡ଼ି କହି ପକାଇଲା ଧୋକାବାଜ, ହ୍ୱାଟ୍ ହାର୍ମ ହାଡ୍ ଆଇ ଡନ୍ ଟୁ ୟୁ ?’’ (ମୁଁ ତୁମର କି କ୍ଷତି କରିଥିଲି ?)

 

କ୍ଷିପ୍ର ଗତିରେ ଘରମୁହାଁ ହେବାବେଳକୁ ମୁଁ ବହୁତ ଚେଷ୍ଟା କରିଥିଲି ମୋର ମନକଥା ଖୋଲି କହିଦେବାକୁ । ବହୁବାର ପଛରୁ ଡାକି ଥିଲି । ଘର ପର୍ଯ୍ୟନ୍ତ ଅନୁଧାବନ କରିଥଲି ମଧ୍ୟ ।

 

ପରେ ସବୁକଥା ବୁଝାଇ ଚିଠିଟାଏ ଲେଖି ପୋଷ୍ଟ କରିଥିଲି । ମାତ୍ର ତା’ ମନର କମ୍ଲେକ୍‍ସ ମୋର କୌଣସି କଥାକୁ ଗ୍ରହଣ କରି ନଥିଲା । ସବୁ ଛଳନା ବୋଲି ଭାବିନେଲା ସେ । ଯାହା ବାସ୍ତବରେ ଛଳନା ତାକୁ ସତ୍ୟ ଭାବି, ସବୁ ସତ୍ୟକୁ ଛଳନା ବୋଲି ଭାବିବାଟା ବିଡ଼ମ୍ବନା ନୁହଁ ତ ଆଉ କ’ଣ ।

 

ଦିନ ପରେ ଦିନ ବର୍ଷଟାଏ ଅପେକ୍ଷା କଲି । ମୋର କବିତା ମାଧ୍ୟମରେ ହୃଦୟର ଭାବନାକୁ ପ୍ରକାଶ କରି ତା ପାଖକୁ ପଠାଇଲି । ମାତ୍ର ତା ଅନ୍ତରର ସମସ୍ତ ସ୍ନେହ ଶ୍ରଦ୍ଧା ଘୃଣାର ରୂପ ନେଇ ସାରିଥିଲା ବୋଧହୁଏ । ଯେଉଁ କବିତାଗୁଡ଼ିକୁ ସେ ବାରମ୍ବାର ପଢ଼ୁଥିଲା, ବାରମ୍ବାର ଭିନ୍ନ ଭିନ୍ନ ଅର୍ଥ କରି ନିଜକୁ ନାୟିକା ରୂପେ କଳ୍ପନା କରୁଥିଲା, ସେଇ କବିତାଗୁଡ଼ିକ ତା’ର ବିରକ୍ତିର କାରଣ ହେଲା ।

 

ତା’ ସହ ମୋର ମିଶିବାଟା ମୋର ସମୟ ବିତାଇବାର ଉପାୟ ଏବଂ ଜୈବିକ କ୍ଷୁଧାର ଉପଶମର ନିଦାନ । ନ ହେଲେ ମୋ ଭଳି ସୌମ୍ୟ ଯୁବକ ସହ ତା’ ଭଳି ଅସୁନ୍ଦରୀ ଯୁବତୀର ମେଳ କେଉଁଠି ? ଏ କଥା ସେ କହିଲା ତୁମ ସାମ୍ନାରେ । ସତରେ ଭାରି ବଢ଼ ଆଘାତ ଲାଗିଲା ମୋ ମନରେ ସେ ଦିନ । ପ୍ରଥମେ ବିଶ୍ୱାସ ହୋଇ ନଥିଲା ଏକଥା ସତ ବୋଲି । ସେଇଥିପାଇଁ ସେଦିନ ହଠାତ୍ ତୁମକୁ ମୁଁ କେତେ କ’ଣ କହିପକାଇଲି ।

 

ହାଓ ଡେୟର ୟୁ ସେ ଦିସ୍ ? ଡୁ ୟୁ ନୋ ହ୍ୱାଟ୍ ମୀନା ଇଜ୍‍ ଟୁ ମି ? ନାଓ ପ୍ଲିଜ ଗେଟ୍ ଲଷ୍ଟ !

 

ତୁମେ ହୁଏତ ସେ ଦିନ ଠିକ୍ କହିଥିଲ । ଡୋଣ୍ଟ୍ ବି ଫୁଲ, ଟ୍ରାଇ ଟୁ ଫେସ୍ ଦି ଟ୍ରୁଥ୍‍ ଏଣ୍ଡ ହାଓ ଟୁ ବିହେବ୍‍ ୱିଥ୍‍ ଏ ଗାର୍ଲ ।

 

ତୁମେ ତ ଚାଲିଯାଇଥିଲ ସେଦିନ ଏଇ କଥା କେଇ ପଦ କହି । ମାତ୍ର ତା’ ପରଠାରୁ ମୋର ମାନସିକ ଅବସ୍ଥା ଯାହା ହୋଇଛି.... ।

 

ମୀନା ହୃଦୟର ଘୃଣା ଧୀରେ ଧୀରେ ସଂକ୍ରମିତ ହେଲା ମୋ ହୃଦୟକୁ । ତା’ ପୁଣି ପରିବର୍ତ୍ତିତ ହେଲା ଗ୍ଲାନିରେ ।

 

ମାନସିକ ଗ୍ଲାନିଜର୍ଜରିତ ଦିନଗୁଡ଼ାକ କଟାଇନେଲା ବେଳକୁ ମଝିରେ ମଝିରେ ସ୍ମିତା, ସ୍ୱିଟୀ ଓ ଲୀନାର ବିବାହ ନିମନ୍ତ୍ରଣପତ୍ରଗୁଡ଼ିକ ମୋର ହସ୍ତଗତ ହୋଇଥିଲା । ମାତ୍ର କୌଣସି ଉତ୍ସବରେ ଯୋଗଦାନ କରିବାକୁ ମାନସିକ ପ୍ରସ୍ତୁତି ମୁଁ କରିପାରୁ ନଥିଲି ।

 

ମୋ ଲେଖନୀ ମୁନରୁ କାରୁଣ୍ୟ ରସସ୍ରାବକୁ ଲକ୍ଷ୍ୟ କରି ଥରେ ମୋର ଜଣେ କବିବନ୍ଧୁ କହିଥିଲେ, ‘‘ତୁମ ଲେଖା ପଢ଼ିଲେ ମନେହୁଏ ତୁମ ହୃଦୟ ଗୋଟେ କାରୁଣ୍ୟର ଆଗ୍ନେୟଗିରି । ଉଦ୍‍ଗୀରଣ ହେଲେ ବୋଧହୁଏ ସାରା ଧରା ଲୁହମୟ ହୋଇଯିବ । ଏ କଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ଏଇ ବିଗତ ଦିନଗୁଡ଼ିକରେ ମୋର ମାନସିକ ସ୍ଥିତି ଦର୍ଶାଇବାର ଅଭିଳାଷ ।

 

ଗତ ବର୍ଷ ଯେଉଁ ଦୁଃଖଦ ସମାଚାରଟି ମୋତେ ଜଣାଇଥିଲ, ସେ ଖବର କେବଳ ମୋର ମନକୁ ନୁହଁ ମୋର ଜୀବନଶୈଳୀ ରୂଚି ସବୁକିଛି ବଦଳାଇ ପକାଇଲା । ମୀନା ଆତ୍ମହତ୍ୟା କରିଥିଲା । ଚାରି ପାଞ୍ଚ ଜଣ ପିଲା ତାକୁ ଦେଖି ଫେରି ଯାଇଥିଲେ ନାପସନ୍ଦ କରି । କେହି ତା’ର ଅସୁନ୍ଦର ରୂପ ଦେଖି ତ କେହି ତା’ର ଇତିହାସ କାଣି । ତେବେ ସେ ଯେ ଇତିମଧ୍ୟରେ ମୋତେ ଠିକ ବୁଝି ପାରିଥିଲା ବୋଲି ଯାହା ତୁମେ କହିଥିଲ, ସେ କଥା, ତୁମେ ତ ଭାବିଥିଲି ସାନ୍ତନା ଦେବ ମୋ ମନକୁ । ହେଲେ ପ୍ରକାରାନ୍ତରେ ସେ ହେଲା ମୋ ଘା’ ପାଇଁ ଲୁଣଛିଟା । ରିୟଲ୍ ଆଇ ଲଭଡ୍‍ ହର ସୋ ମଚ୍‍ ।

 

ମୋର ଭଲ ମନ୍ଦ ଜାଣିବାର ଇଚ୍ଛା କରିଛି । ବଞ୍ଚିଛି, ନିସଂଗ ଆଗ୍ରହହୀନ ଜୀବନ ଜୀଉଁଛି-। ଅତୀତ ନୈରାଶ୍ୟମୟ ଭବିଷ୍ୟତ ଅନ୍ଧକାରମୟ । ମନରେ ନା ଅଛି ଉଦ୍‍ବେଗ ନା ଉତ୍କଣ୍ଠା । ସବୁ ଦିଗରୁ ହତୋତ୍ସାହିତ । ଜୀବନ ପ୍ରତି ବୀତସ୍ପୃହ ହୋଇପଡ଼ୁଛି ମୁଁ ଦିନକୁ ଦିନ ।

 

ଯେଉଁ ଚପଳତା ଦୀର୍ଘ ତିରିଶ ବର୍ଷ ମୋର ପିଛା ଛାଡ଼ି ନଥିଲା, ଏଇ ବର୍ଷ ପାଞ୍ଚଟାରେ ଏମିତି ପକ୍ଵତା ଠାରେ ହାର ମାନିଯିବ ଏ କଥା ମୁଁ କଳ୍ପନା ସୁଦ୍ଧା କରି ନଥିଲି । ଜାଣିଛ, ଯେତେ ଚେଷ୍ଟାକଲେ ବି ଏବେ ମୋ କବିତାରେ ମୁଁ ପୂର୍ବର ଆର୍ଦ୍ରତା ଭରିପାରୁ ନାହିଁ । ମୋ କବିତା କ୍ରମେ ଶୁଷ୍କ ହୋଇପଡ଼ୁଛି ।

 

ତୁମେ ବିବାହ ନ କରିବାର ସିଦ୍ଧାନ୍ତ ନେଇଥିବା ଜାଣି ମୁଁ ଦୁଃଖିତ । କାହିଁକି ନିଃସଙ୍ଗ ଜୀବନକୁ ଆମନ୍ତ୍ରଣ କରୁଛ ? ଜାଣିରଖ, ନିଃସଙ୍ଗ ଜୀବନ ଯେତେ ସୁପରିକଳ୍ପିତ ହେଲେ ମଧ୍ୟ ହଳାହଳମୟ । ମରୁ ମରୀଚିକା ପରି ।

 

ଇତି

ନିରାକାର

 

ସୁନ୍ଦର ପ୍ରେମ ମଧ୍ୟରେ ଆବଦ୍ଧ ନିରଞ୍ଜନାର ଫଟୋ ତଳେ ଚିଠିଟିକୁ ଯତ୍ନ ସହକାରେ ଚଉତି ରଖିଦେଲେ ନିରାକାର ଏବଂ ଆଖିରୁ ଚଷମା କାଢ଼ି ଲୁହ ପୋଛିଲେ । ଆଖି ଉଠାଇ ଦେଖିଲା ବେଳକୁ ଧୂପକାଠିର ଧୂଆଁ ନିରଞ୍ଜନାର ହସ ହସ ମୁହଁ ଉପରେ ସ୍ଥିର ରେଖାଟାଏ ସୃଷ୍ଟି କରିଛି । ଦୀର୍ଘଶ୍ୱାସଟାଏ ଛାତି କ୍ଷୀଣ ପାଦରେ ଖଟ ପାଖକୁ ଯାଇ ବିଛଣାରେ ଗଡ଼ିପଡ଼ିଲେ । ଉର୍ଦ୍ଧ୍ୱକୁ ମୁହଁ କରି ଭାବି ଚାଲିଲେ ସେ ।

 

ଏଇ ଚିଠିଟା ନିରଞ୍ଜନାକୁ ତାଙ୍କର କେତେ ନିକଟକୁ ନେଇଆସିଥିଲା । ପାଞ୍ଚ ବର୍ଷର ନୈରାଶ୍ୟମୟ ଜୀବନର ଅବସାନ ଘଟାଇ ପୁଣି ନୂଆ ଆଶା ଓ ପ୍ରେରଣା ଯୋଗାଇଥିଲା ନିରଞ୍ଜନା-। କେତେ ଗୋଧୂଳି ତାଙ୍କରି ସାହଚର୍ଯ୍ୟରେ ସୁସଂଧ୍ୟାରେ ପରିଣତ ହୋଇ ଶୁଭରାତ୍ରିରେ ଅୟମାରମ୍ଭ କରିଥିଲା । ସତରେ ଏଇ ସାତଟି ବର୍ଷ କେତେ ସୁଖକର ଥିଲା ।

 

ନିରଞ୍ଜନା କେବେ ମା’ ବନି ପାରିବନି । ଏ କଥା ସେ ଜାଣିଥିଲା ଏବଂ ସେଇଥିପାଇଁ ସେ ବିବାହ ନ କରିବାକୁ ନିଷ୍କତ୍ତି ନେଇଥିଲା । ମାତ୍ର ସାଥୀଟିଏ ଭାବରେ ତ ସେ ନିଶ୍ଚିତ ଭାବେ ସର୍ବୋତ୍ତମ । ନିଃସଂଗ ଜୀବନର ଅବସାନ ଘଟାଇବା ପାଇଁ ତଥା ନିଜର ସମ୍ବେଦନଶୀଳ ହୃଦୟଟିଏ ଖୋଜିବାକୁ ଯାଇ ନିରାକାର ନିଜେ ନିରଞ୍ଜନାର ସିନ୍ଧାନ୍ତର ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିଲା । ତା’ରି ଫଳ ସ୍ଵରୂପ ପରବର୍ଷ ଏକାନ୍ତ ଜୀବନର ପରିସମାପ୍ତି ଘଟାଇ ଜନ୍ମ ଜନ୍ମାନ୍ତର ପାଇଁ ବାନ୍ଧି ହୋଇ ଯାଇଥିଲେ ଦୁହେଁ ଏକ ଅତୁଟ ବନ୍ଧନରେ, ବିବାହ ଯାହାର ସଂଜ୍ଞା ।

 

ଏକ ଦୁଇ କରି ୫/୬ ବର୍ଷ କଟି ଗଲା ପରେ ହଠାତ୍ ଦୁହିଁଙ୍କର ସନ୍ତାନ ଲାଳସା ଜାଗ୍ରତ ହୋଇଥିଲା ତା’ର କୌଣସି ସୃଷ୍ଟି କାରଣ ନଥିଲେ ମଧ୍ୟ କ୍ରମେ ତାହା ପ୍ରବଳତର ହୁଅନ୍ତେ ଭିନ୍ନ ଭିନ୍ନ ଡାକ୍ତରଙ୍କ ସହ ପରାମର୍ଶ ଚାଲିଲା । ଆଶାର ଦୀପଶିଖା କ୍ରମେ ବୃଦ୍ଧି ପାଉପାଉ ହଠାତ୍ ସେ ଦିନ ଅପରେସନ୍ ଟେବୁଲ ଉପରେ ନିର୍ବାପିତ ହୋଇଗଲା । ଗୋଟାଏ ସ୍ଵପ୍ନର ବାଲି ଘର ମୁଣ୍ଡ ଟେକୁ ଟେକୁ ହଠାତ୍ ନିୟତିର କରାଳ ଢେଉରେ ମିଲେଇ ଗଲା ।

 

ଟେଷ୍ଟ ଟ୍ୟୁବ୍ ବେବି ବିଷୟରେ ପେପର୍‍ରେ ପଢ଼ିବାଟା କେତେ ସୁଖକର, ମାତ୍ର ନିଜ ଜୀବନରେ ଏମିତି ଉପଲବ୍‍ଧି... ଓଃ କି ଦୁଃଖଦ ଅନୁଭୂତି !

 

ଆଜି ନିରଞ୍ଜନା ବହୁତ ଦୂରରେ । ନିରାକାର ଏବେ ବି ନିଃସଙ୍ଗ । ସ୍ମାରକୀ ଏଇ ଚିଠିଟି ।

 

ରାତି ଗଭୀର ହେଉଛି । ଅଳ୍ପ ସମୟ ପରେ ହୁଏତ ଚରମ ସୀମା ଛୁଇଁବ । ତା’ପରେ ବିଲୟ ।

 

ଆଖି ବୁଜି ପଡ଼ିରହିଛି ନିରାକାର ବିଛଣା ଉପରେ । ସ୍ଵପ୍ନ ରାଇଜରେ ଖୋଜୁଛି । କାହାକୁ ବୋଧ ହୁଏ । କାହାକୁ ?

 

ନିରଞ୍ଜନା.. . ମୀନା... ନା ଲିଲିକୁ ???

Image

 

‘‘ମୋ ତନୁ ଦଗ୍‍ଧ ହେଲେ...’’

 

ସୁଜି !

 

ସମ୍ୱାଧନଟା ଲେଖୁ ଲେଖୁ ହାତ ଥରିଉଠିଲା ସଞ୍ଜୟର । କମ୍ପି ଉଠିଲା ହୃଦୟର ଗହନ ପ୍ରଦେଶ ।

 

ସେ ଦିନ ବି ଠିକ୍‍ ଏଇ ପରି ସମ୍ବୋଧନଟାଏ କରିପକାଇଥିଲା ଅପ୍ରତ୍ୟାଶିତ ଭାବେ ସୁଜାତାକୁ ଲକ୍ଷ୍ୟ କରି... ସୁଜି !

 

ସୁଜାତା ପଟ୍ଟନାୟକ । ତା’ଙ୍କ ଅଫିସ୍‍ର ଷ୍ଟେନୋ । ଅତ୍ୟାଧୁନିକ ରୂଚି ସଂପନ୍ନା ମହିଳା । ଖୁବ୍ ଡେମ୍ କେୟାର । ଏମିତି ତ ସମସ୍ତେ ଅଫିସ୍‍ରେ କାମ ପଡ଼ିଲେ ତା’ଙ୍କୁ ମିସ୍ ପଟ୍ଟନାୟକ ବୋଲି ସମ୍ବାଧନ କରନ୍ତି ଏବଂ ସାଧାରଣ ଭାବେ ସଞ୍ଜୟ ମଧ୍ୟ । ମାତ୍ର ସେ ଦିନ ହଠାତ୍‍ ଡିକ୍‍ଟେସନ୍‍ର କରେକ୍‍ସନ୍ କରୁ କରୁ ମୁହଁରୁ ବାହାରି ଆସିଲା ସୁଜି... ! ଆତ୍ମୀୟତାର ଏକ ଝଲକ-

 

ମାଇଣ୍ଡ୍ ୟୁ ? କିଛି ମନେକଲେକି ? ସଂଭ୍ରମର ପ୍ରଶ୍ନଟିଏ ପରିସ୍ଥିତିର ଗାମ୍ଭୀର୍ଯ୍ୟ ଅନୁଭବ କରି କରିପକାଇଲା ସଞ୍ଜୟ ।

 

ନେଭର୍‍ ସାର୍, ଗ୍ୟାଦର୍‍ ହାପି ଟୁ ବି କଲ୍‍ଡ୍ ସୋ ସାର୍ । ଘରେ ବି ତ ସମସ୍ତେ ମୋତେ ସୁଜି କହନ୍ତି । ଲାଳିତ୍ୟମୟ କଣ୍ଠରେ ଉତ୍ତର ଦେଇଥିଲେ ସେ ।

 

ସଞ୍ଜୟ ଭାବିଥିଲା ଏହା ଚାଟୁକାରି, ସାଇକୋଫାନ୍ସି ଉପରିସ୍ଥ ଅଫିସରଙ୍କ ପ୍ରତି ଷ୍ଟାଫଙ୍କର ଅବ୍ଲିଗେସନ୍ ।

 

ମାତ୍ର ସେ ଦିନ କମ୍ପାନୀର ବାର୍ଷିକ ଉତ୍ସବ ଅବସରରେ ଡାନ୍‍ସିଂ ଫ୍ଲୋର ପାଖରେ ଯେବେ ସଞ୍ଜୟ ଅନୁରୋଧ କରିଥିଲା ‘‘ଇଜ୍ ଇଟ୍ ଅଲଲାଇଟ୍ ଫର ଏ ବିଟ୍ ଅଫ୍ ଡାନ୍ସ ମିସ୍ ପଟ୍ଟନାୟକ ?’’ ଓଃ, ନୋ ସାର, ଓନଲି ଇଫ୍ ୟୁ କଲ୍ ମି ସୁଜି ସାର ।

 

ସ୍ତମୀଭୂତ କରିଥିଲା ସଞ୍ଜୟକୁ ସେଦିନ ସୁଜାତାର ବ୍ୟବହାର । ପ୍ରତ୍ୟେକଟି ଶୈଳୀରେ ଫୁଟି ଉଠୁଥିଲା ଆତ୍ମୀୟତାର ଝଲକ । ଖୁବ୍ ନିକର ମନେ ହେଉଥିଲା କ୍ଷଣୁ କ୍ଷଣ । ପରକ୍ଷଣରେ ଡାନ୍‍ସିଂ ଫ୍ଲୋରରେ ଦୁଇଟି ଶରୀରର ହାଲୁକା ନାଚ ତାଳେ ତାଳେ ଦୁଇଟି ହୃଦୟର ଭାବ ବାନ୍ଧି ହୋଇଗଲେ ଆବେଗ ବନ୍ଧନରେ ।

 

ପରବର୍ତ୍ତୀ ଦିନଗୁଡ଼ିକରେ ସଞ୍ଜୟର ମନେ ହେଲା, ତା’ପାଇଁ ସୁଜାତା ଗୋଟେ ଦୁର୍ଲଭ ଲକ୍ଷ୍ୟ । ଦୁର୍ମୂଲ୍ୟ ରତ୍ନ । ହାତ ପାଆନ୍ତିରେ ମାତ୍ର ସ୍ୱାଧିକାରଠାରୁ ବହୁତ ଦୂରରେ ସୁଦର୍ଶନା, ମାର୍ଜିତା, କଳ୍ପନାବିଳାସୀ, ସୁଶ୍ରୀ ଲଳନା । ନିଜର କରିବାର ଇଚ୍ଛା ବେଳୁ ବେଳୁ ବଳତ୍ତର ହେଲା ।

 

ସ୍ମୃତି ପ୍ରଦେଶର ରାଜୁତି ଧୀରେ ଧୀରେ ଖସିଗଲା ସୁନ୍ଦରୀ ଲଳନାର ସହଚର୍ଯ୍ୟର କଳ୍ପନାର ହାତକୁ । ଇତିହାସ ହଜିଗଲା କଳ୍ପନାର ଆଢ଼ୁଆଳ ଅନ୍ଧାରି ବନ୍ଧରେ । ଭୁଲିଗଲା ସଞ୍ଜୟ ନିଜର ଐତିହ୍ୟ ।

 

ସଞ୍ଜୟ ମହାପାତ୍ର । ଏକ ନିମ୍ନ ମଧ୍ୟବିତ୍ତ ପରିବାରର ପଟଭୂମି ଉପରେ ପରିସ୍ଫୁଟିତ ଏକ ଆଦର୍ଶବାଦୀ, ଚେତନାଶୀଳ ସୌମ୍ୟ ଯୁବକ । ଆମ୍ବନିଷ୍ଠା ତଥା କର୍ତ୍ତବ୍ୟପରାୟଣତାର ପଥରେ ପଥିକ । ଏଯାଏ ବହୁତ ବାଟ ଆଗେଇ ସାରିଛି ତଥାପି ଯିବାକୁ ଆହୁରି ଅନେକ ବାକି । ଚାଟର୍ଡ ଆକାଉଣ୍ଟାଣ୍ଟନ୍‍ସି ପାସ୍ କଲା ପରେ ସହକାରୀ ପ୍ରବନ୍ଧକ ଭାବେ ଏଇ କମ୍ପାନୀରେ ଏଇମାତ୍ର ଯୋଗଦେଇଛି । ହୃଦୟରେ ବହୁ ଉଚ୍ଚକାମନା, ମାତ୍ର ମନରେ ଏକ ରଙ୍ଗୀନ ମାନସୀର ସହଚର୍ଯ୍ୟର କାମନା ।

 

ଖୁବ କମ୍ ଦିନ ପରେ, ସେ ଦିନ ଚହଳ ପଡ଼ିଗଲା କମ୍ପାନୀ ଅଫିରେ । ସଞ୍ଜୟ ଏବଂ ସୁଜାତାଙ୍କର ପ୍ରେମ ଡୋର ସାମାଜିକ ସ୍ୱୀକୃତି ପାଇ ପରିଗଣିତ ହୋଇଗଲା ବିବାହ ବନ୍ଧନରେ । ଅଫିସ୍‍ର ସବୁଠୁ ସୁନ୍ଦରୀକୁ ନିଜର କରିପାରିବାଟା ନିଶ୍ଚିତ ଭାବରେ ଗୋଟାଏ ଆଚିଭ୍‍ମେଣ୍ଟ୍‍ ତଥା ଜଣେ ଉଚ୍ଚପଦସ୍ଥ ଅଫିସରଙ୍କୁ ସାଥୀ ଭାବେ ପାଇବାଟା ବି ଗୋଟାଏ ବିରଳ କୃତିତ୍ୱ । ଏହି ଭାବଧାରା ସଞ୍ଜୟ ଓ ସୁଜାତାଙ୍କୁ ଖୁବ୍ ପ୍ରେରିତ କରିଥିଲା । ଏବଂ ପରିଶେଷରେ କୋର୍ଟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଦୁହେଁ ଶପଥ ପାଠ ପୂର୍ବକ ପରସ୍ପରକୁ ସ୍ୱୀକାର କରିଥିଲେ । ପରେ ରିସେପ୍‍ସନ୍‍ରେ ଅଭିନନ୍ଦନର ଧୂନିର ତାଳେ ତାଳେ ନାନା କଟୂକ୍ତି, ଟିପ୍ପଣୀ, ସମାଲୋଚନାର ଚାପା ଗୁଞ୍ଜରଣ ସହ ଆରମ୍ଭ ହୋଇଥିଲା ଜୀବନଧାରାର ପ୍ରବାହ ।

 

ମାତ୍ର କଳ୍ପନା ଓ ବାସ୍ତବତା.... ଦୁର ଓ ନିକଟ,... ଆଶା ଆକାଂକ୍ଷା ଓ ତା’ର ଫଳାଫଳ... । କି ଜଟିଳ ଏ ସମୀକରଣ । ଦୁର୍ବୋଧ୍ୟ ।

 

ସୁନ୍ଦରତାର ଛାଇ ତଳେ କି ଜଟିଳତା !

 

ସେ ଦିନ ସଞ୍ଜୟ ବିଛଣା ଉପରେ ସୁଜାତାକୁ କୋଳ ଉପରକୁ ଟାଣି ଆଣି ମୁଣ୍ଡବାଳକୁ ଆଉଁସି ଆଉଁସି କହିଥିଲା... ସୁଜି, ଆମେ କେତେ ଜଲ୍‍ଦି ଦୁଇରୁ ଏକ ହୋଇଗଲେ ୟା ମଧ୍ୟରେ । ଦେଖନା ପରସ୍ପର ବିଷୟରେ ଭଲକରି ଜାଣି ବି ପାରିନାହେଁ । ଚାଲ ଆଜି ମୁଁ ମୋ କଥା କହୁଛି ।

 

‘‘ଏଇଠୁ ୬୦ ମାଇଲ ଦୂରରେ ସୁନ୍ଦର ପାହାଡ଼ଟିଏ । ସେଇଠୁ ଝରି ପଡ଼ୁଛି ନିର୍ଝର “ ସାରଙ୍ଗା’’ । ତା’ରି କୂଳରେ ଛୋଟ ଗାଁ ଟିଏ ଏବଂ ସେଇ ଗାଁ ମୁଣ୍ଡରେ ଚାଳ ଛପରର ଘରଟିଏ । ସେଇଠି ମୁଁ ଜନ୍ମ ନେଇଥିଲି । ଜାଣିଛ ଗାଁରେ ଏବେ ବି ମୋ ବାପା ରହୁଛନ୍ତି । ଗାଁ ସେମୁଣ୍ଡରେ ପୋଖରୀ ତ ହିଡ଼ରେ କିଆବୁଦା, ତଳକୁ ଆମ୍ବତୋଟା... ।

 

ଓଃ ସଞ୍ଜୁ ! ଡୋଣ୍ଟ ବି ସିଲି, କାହିଁକି ମୁଡ଼ ଖରାପ କରୁଛ ? ଗାଁ ଗାଁରେ ରହିଛି । ସେଇଠି ଥାଉ... ଚାଲନା..Let.....us...

 

ରାତିରେ ନିଦ ହୋଇନଥିଲା ସେ ଦିନ ସଞ୍ଜୟର । କ’ଣ ଭାବିଥିଲା ସେ ଆଉ ଏ କ’ଣ । ନିଜେ ସୁଜାତାକୁ ଜୀବନ ସଙ୍ଗିନୀ ବନାଇବାର ନିଷ୍ପତି ନେବା ପୂର୍ବରୁ ବହୁତ ଭାବି ଚିନ୍ତି ବାପା ପାଖକୁ ଲେଖି ଜଣାଇଥିଲା ସବୁକିଛି । ମାତ୍ର ଉତ୍ତର ପାଇ ନଥିଲା । ପରେ ଟେଲିଗ୍ରାମ୍ ଟାଏ କରି ରିସେପ୍‍ସନ୍ ବି ଡକାଇଥିଲା ମାତ୍ର । ମାତ୍ର ତା’ ବାପା ଆସିନଥିଲେ । ସେ ଯେ ଏ ବିବାହରେ ଖୁସି ନୁହଁନ୍ତି ଏହା ସୃଷ୍ଟି । ମାତ୍ର ବିରୋଧ କରିବାର ସାମର୍ଥ୍ୟ ମଧ୍ୟ ନାହିଁ, କାରଣ ତାଙ୍କର ମତାମତି ପର୍ଯ୍ୟନ୍ତ ତ ପୁଅ ଅପେକ୍ଷା କରିନଥିଲା । ତେବେ ସେ ଭାବିଥିଲା, ବିବାହ ପରେ ସୁଜାତାକୁ ସବୁ ଜଣାଇଦେବ । ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ କଥା ବର୍ଣ୍ଣନା କରିବ । ସେଥିରେ ଆକୃଷ୍ଟ ହୋଇ ସେ ଗାଁକୁ ଯିବାକୁ ଇଚ୍ଛା କରିବ । ଗାଁର ପ୍ରକୃତିରେ ଆଭିଭୂତ ହେବ । ଆଉ ପ୍ରକୃତିରାଣୀର ସୌନ୍ଦର୍ଯ୍ୟରେ ଥରେ ମନ ଦେଲେ ପ୍ରକୃତି ପରି ସରଳ ଓ ସହଜ ହୋଇଯିବ ସବୁକିଛି । ସେତେବେଳେ ବାପାଙ୍କୁ ବୁଝାଇ ମତାନ୍ତର ଦୂର କରିନେବ । କିନ୍ତୁ ଏ ତ ଗାଁ ଶବ୍ଦ ଶୁଣିବାକୁ ନାରାଜ-

 

ସଞ୍ଜୟ କ୍ରମେ କ୍ରମେ ମାନସିକ ଗ୍ଲାନିର ଶିକାର ହେଲା । ବାପାଙ୍କଠାରେ ସମାଜଠାରେ ନିଜକୁ ଅପରାଧୀ ମଣିଲା । ସର୍ବଦା ବାଟବଣା ହେଲା ପରି ଅନୁଭବ କଲା ।

 

ସୁଜାତାର ସୌନ୍ଦର୍ଯ୍ୟର ଆକର୍ଷଣ କ୍ରମେ କମିଗଲା । ପାଇବା ବେଳର ଉତ୍କଣ୍ଠା ପାଇଲା ପରର ବିରକ୍ତିର ରୂପ ନେଲା । ତା’ର ଅତ୍ୟାଧୁନିକତା କ୍ରମେ ଅଶ୍ଳୀଳ ମନେ ହେଲା । ତା’ର ନାରୀ ସ୍ୱାଧୀନତାର ଧ୍ୱନି କ୍ରମେ ଶସ୍ତା ଚାଲ୍ ମନେ ହେଲା । କ୍ରମେ କ୍ରମେ ମନର ଅଧୋଗତି ହେଲା । ସୁଜାତାର ସଦା ଉର୍ଦ୍ଧ୍ୱଗାମୀ ମନ ସହ ସଞ୍ଜୟର ଅଧୋଗାମୀ ମନ ତାଳ ଦେଇ ପାରିଲାନି । କ୍ରମେ କ୍ରମତର ପାର୍ଥକ୍ୟ ବୃଦ୍ଧି ହେବାକୁ ଲାଗିଲା ।

 

ଆଉ ସେଦିନ ଗ୍ରାଣ୍ଡ ସିନେମାରୁ ଫେରି ଯାହା ହେଲା... ‘‘ଦେଖ ସୁଜି ! ତୁମର ସମସ୍ତଙ୍କ ସାମ୍ନାରେ ପୁରୁଷ ଲୋକଗୁଡ଼ାଙ୍କ ସହ ଏମିତି ମିଳାମିଶାଟା ଠିକ୍ ହେଉନି । ୟୁ ଆର ମ୍ୟାରେଡ୍‍ ନାଓ...’’ ‘‘...ଓଃ ସଞ୍ଜୁ ହି ଇଜ୍‍ ଆନ୍ ଓଲଡ୍ ଫ୍ରେଣ୍ଡ... ବହୁତ ଦିନ । ପରେ ଦେଖା ହେଲା ।’’

 

“ଏମିତି ସମସ୍ତଙ୍କ ସାମ୍ନାରେ ହେଣ୍ଡସେକ୍ କରି ନଥିଲେ କ’ଣ ଚଳି ନଥାନ୍ତା ? ମୋତେ ତା’ସହ ପରିଚୟ କରି ଦେଇଥିଲେ କ’ଣ କିଛି ଅସୁବିଧା ହୋଇଥାନ୍ତା ?

 

“ହି ଇନ୍ ଆନ୍ ଓଲ୍ ଫ୍ରେଣ୍ଡ... ସେ ଏଇଠି ରହୁନି ।’’

 

“ଏଇଟା ମୋର ପ୍ରଶ୍ନର ଉତ୍ତର ନୁହଁ । ଆଇ ଡୋଣ୍ଟ ଲାଇକ୍ ଦିସ୍ ।’’ “ତୁମର କ’ଣ ହୋଇଛି ସଂଜୁ । କମ୍ ଅନ୍ ରିଲାକ୍ସ ଡାର୍ଲିଂ ।’’ ଦେଖ ସୁଜି, ଆଇ ଏମ୍ ସିରିୟାସ୍, ଏ ସବୁ ଭଲ ଲାଗୁନି । ମୁଁ ତୁମକୁ କହିଦେଉଛି ମୁଁ ଏ ସବୁ ପସନ୍ଦ କରେନି । ‘‘ବି ବ୍ରଡ୍‍ ୟାର, ଇଟ୍ ଇଜ୍ କଲ୍‍ଡ ମଡର୍ଣ୍ଣିକିମ୍, ପାର୍ଟଅଫ୍ କଲଚର ।’’

 

“କଲ୍‍ବର ତୁମେ ଜାଣିଛ କଲଚର ମାନେ କ’ଣ ? ଭାରତୀୟ ସଂସ୍କୃତି କ’ଣ ତୁମେ ଜାଣିଛ ? ତୁମେ ଜଣେ ଭାରତୀୟ ନାରୀ; ଲଜ୍ଜା ଯାର ଆଭୂଷଣ । ଏ କୋଉଠିକାର କଲଚର...ଆଇଏମ୍ ୟୋର୍‍ ହଜ୍‍ବ୍ୟାଣ୍ଡ, ୟୁ ମୋଷ୍ଟ୍ ଓବେ ।’’ “ସେ ସୀତା ମାତାର ଯୁଗ ଗଲାଣି ସଞ୍ଜୁ । ଯୁଗ କୋଉଠି ହେଲାଣି ଆଉ ତୁମେ କଣ କହୁଛି ।”

 

“ସୁଜାତା... !!!’’

 

ତୁମେ ତ ଗାଁରେ ଜନ୍ମ ହେଲ । ଗାଁରେ ବଢ଼ିଲ । ଖାଲି ଡିଗ୍ରୀ କେତେଟା ପାଇଗଲେ କେହି କଲ୍‍ଚରର୍ଡ ହୋଇଯାଏ ନାହିଁ । କଲଚର ନିଡ୍‍ସ ଟୁ ବି କଲ୍‍ଜର୍ଡ ।" “ସୁଜାତା ତୁମେ କ’ଣ ସବୁ କହୁଛ ?

 

“ଠିକ୍ ତ କହୁଛି । ବଏ ଫ୍ରେଣ୍ଡ ଟା ସହ ହାତଟା ଟିକିଏ ମିଳାଇ ଦେଲି ଯେ ଏତେ କଥା କହିଯାଉଛି । ଦେଖ କହି ଦେଉଛି...ୱି ୱାଣ୍ଟ ଲିବର୍ଟି । ଜୀବନ ସାରା ପୁରୁଷର ଦାସତ୍ୱର ବନ୍ଧନ ଆମେ ଚାହୁଁନା । ତୁମର ଗାଉଁଲି କଞ୍ଜରଭେଟିବ୍‍ ମୁଣ୍ଡଟା ଯଦି... ।’’

 

ଠାଏ, ଶକ୍ତ ଚାପୁଡ଼ାଟାଏ ସୁଜାତାର କଅଁଳ ଗାଲକୁ ରକ୍ତିମ କରିବା ସଂଗେ ସଂଗେ ବାହାରି ଆସୁଥିବା ତିକ୍ତ ଶବ୍ଦଗୁଡ଼ାକୁ ଜୋର କରି ଗୁଞ୍ଜି ଦେଲା ଓଠ ଭିତରକୁ ।

 

‘‘ୟୁ... ୟୁ ବିଟ୍ ମି...ୟୁ କୁଡ୍‍...ତୁ...ଇଟ୍ ! ତୁମେ ଏତେ ତଳକୁ ଯାଇ ପାରିଲ । ଆଇ... ଆଇ ହେଟ୍‍ ୟୁ ।’’

 

ଶୁଣିବାର ଧୈର୍ଯ୍ୟ ନଥିଲା ସଂଞ୍ଜୟର । କବାଟ ଖୋଲି ଡ୍ରଇଂ ରୁମ୍‍ର ସୋଫା ଉପରେ ତକିଆ ଲଗାଇ ଶୋଇ ପଡ଼ିଲା ସେ । ଦୀର୍ଘଦିନର ଅବସନ୍ନ ମାନସିକ ଗ୍ଲାନିଜର୍ଜରିତ ମନର ପ୍ରତିକ୍ରିୟା ଆଜି ଚାପୁଡ଼ା ମାଧ୍ୟମରେ ପ୍ରକାଶିତ ହେବା ପରେ ମନ ଟିକିଏ ହାଲୁକା ହୋଇଯାଇଥିଲା-। ଦୀର୍ଘଦିନ ପରେ ସେଦିନ ସୁନିଦ୍ରା ହୋଇଥିଲା । ଦିନ ଆଠଟାରେ ନିଦ ଭାଙ୍ଗିଥିଲା । ଉଠିଲା ବେଳକୁ ଦାଣ୍ଡ କବାଟ ଖୋଲା । ବେଡ୍ ରୁମ, କିଚନ, ବାଥ, କରିଡର, ନା କୋଉଠି ନାହିଁ, ଆଖି ଖୋଜୁଥିଲା ସୁଜାତାର ରୂପ । ଛୋଟ ଛୋଟ ସ୍ମରଣିକା ବ୍ୟତିରେକେ ସମ୍ପୂର୍ଣ୍ଣ ଅନ୍ତର୍ଦ୍ଧାନ ।

 

ଆଚ୍ଛା ଜଣେ ସ୍ତ୍ରୀ ଲୋକ ହୋଇ ଏତେ... ଠିକ ଅଛି... ।

 

ପରଦିନ ଅଫିସ୍‍ରେ ଦେଖା ହେଲା । ପରସ୍ପର ଦେଖି ନ ଦେଖିଲା ପରି ମୁହଁ ଫେରାଇନେଲେ ପରସ୍ପରଠାରୁ ଅପରିଚିତ ପରି । ଅନେକ ଦିନ ବିତିଯାଉଛି ଇତିମଧ୍ୟରେ । ଅନେକ ଦୁର୍ବଳ କ୍ଷଣରେ ସୁଜାତାର ଅନୁପସ୍ଥିତି ଅନୁଭବ କରିଛି ସଞ୍ଜୟ । ଅନେକ ନିଃସଙ୍ଗ ଘଡ଼ିରେ ସୁଜିର ସାହଚର୍ଯ୍ୟ ଦରକାର କରି ନିରାଶ ହୋଇଛି ସଞ୍ଜୟ ।

 

ସମୟ ମଧ୍ୟ ଅନେକ ମୌକା ଦେଇଛି । ଅନେକ ଥର ପରସ୍ପରକୁ ପାଖାପାଖି ଛାଡ଼ିଦେଇଛି ନିର୍ଜନତାର ଉପହାର ଦେଇ । ହୃଦୟ ପ୍ରେମର ଫଲ୍‍ଗୁ ଝରାଇଛି । ମାତ୍ର ସ୍ୱାଭିମାନ ଅଡ଼ିରହିଛି । ପ୍ରତ୍ୟେକ କ୍ଷେତ୍ରରେ ହୃଦୟର ଉଦ୍‍ବେଳନ ଚାପି ପରସ୍ପର ଜାହିର କରିଛଛି ତିକ୍ତତା, ଘୃଣାର ତୋଫାନ । ଭିତରେ ବୁନ୍ଦା ବୁନ୍ଦା ଫଲ୍‍ଗୁ.. ବାହାରେ ହଳା ହଳ ଲାଭା ।

 

ଆଜି ଏମିତି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ.... ।

 

...ପୁଣି ପଢ଼ିଲା ଗାଁରୁ ଆସିଥିବା ଚିଠିଟାକୁ ।

 

ସଞ୍ଜୟ,

 

ମରଣ ମୁହଁରୁ ମୋର ସ୍ନେହ ଜାଣିବୁ । ତୋତେ ନେଇ ମୁଁ ଅନେକ କଳ୍ପନା କରିଥିଲି । ମାତ୍ର ଭାଗ୍ୟ ଡୋର ତ ଏକା ଜଗା ହାତରେ ନା... ଛାଡ଼ । ତୁ ଶେଷଥର ପାଇଁ ଯେଉଁ ଚିଠି ତଥା ଟେଲିଗ୍ରାମ୍ ପଠାଇଥିଲୁ ତାହା ମୁଁ ପାଇଥିଲି । ମୋତେ ନ ପଚାରି ନିଜେ ନିଷ୍କତ୍ତି ନେଇଥିବାରୁ ମୁଁ ଅଭିମାନରେ ଯାଇନଥିଲି ତୋ ପାଖକୁ । ସେତେବେଳେ ଏ ବୁଢ଼ା ଦେହରେ ଏବେ ଅପେକ୍ଷା ଖୁବ ବେଶୀ ବଳ ଥିଲା କି ନା, କିନ୍ତୁ ଏବେ ମୁଁ ଚାଲିପାରୁ ନାଇଁରେ । ସପ୍ତାହକରୁ ଅଧିକ ହେବ ବିଛଣାରେ ପଡ଼ିଛି । ଆମ ପଡ଼ିଆ ରାଧିମା ଟିକିଏ ପେଜ ତୋରାଣି ଦେଖାକରୁଛି । ଶୁଖିଲା ପତର, ସମୟ ସୁଅରେ ବେଳୁବେଳ ଭାରି ହୋଇପଡ଼ୁଛି, କେଜାଣି କେତେବେଳେ ବୁଡ଼ିଯିବ ।

 

ତୁ ବୋହୂ ସହ ଖୁସିରେ ଥିବୁ ବୋଲି ମୋର ଆଶା । ବୋହୂଟି କେମିତି ମୁଁ କିଛି ନଜାଣି ଖାଲି ସ୍ୱାଭିମାନରେ ବିରୋଧୀ ହୋଇଯାଇଥିଲି । ପରୀଟିଏ ହୋଇଥିବ ନିଶ୍ଚୟ । ଏବେ ଶେଷ ସମୟରେ ବୋହୂକୁ ଦେଖିବାକୁ ଇଚ୍ଛା ହେଉଛି । ତୋତେ ନେହୁରା ହେଉଛି । ବୋହୂକୁ ଧରି ଥରୁଟିଏ ଗାଁକୁ ଆସିବୁ । ମୁଁ ବୋହୂକୁ ଦେଖି ଆଖି ବୁଜିବି ।

 

ଟେଲିଗ୍ରାମ୍‍ଟାଏ କରି ଦେବି ବୋଲି ଭାବୁଥିଲି । ରାଧିମା କହିଲା ନିଜେ ଚିଠିଟାଏ ଲେଖ-। ପାଇଲେ ସଞ୍ଜୁ ନିଶ୍ଚୟ ଆସିବ । ଆସିଲେ ଆମେ ବି ବୋହୂକୁ ଦେଖି ଖୁସି ହେବୁ । ନ ଆସିବାର କରିବୁ ନାଇଁ ।

 

ଇତି

ତୋର ବାପା

 

ଚିଠିଟି ପଢ଼ିସାରି ଟେବୁଲ ଉପରେ ଥୋଇ ପେପର୍‍ ପ୍ୟାଡ୍‍ଟା ଉଠାଇ ଲେଖି ବସିଲା ସଞ୍ଜୟ...

 

ସୁଜି, ଶୁଭେଚ୍ଛା...

 

କ’ଣ ଲେଖିବି, କିଛି ଠିକ୍ ଲାଗୁନି... ।

 

ନାଇଁ, ଯାଇକରି ସବୁ ମୁହଁରେ କହିବ । ହାତ ଯୋଡ଼ି ପ୍ରାର୍ଥନା କରିବ, ତା’ର ବାପାର ଶେଷ ଇଚ୍ଛା ପୂରଣ କରିବା ପାଇଁ । ମାତ୍ର ସୁଜାତା କ’ଣ ମାନିବ... ।

 

ରାତି ସାଢ଼େ ୧୦ଟାରେ ସମୀକ୍ଷା ମେସ୍‍ର ୧୪ ନମ୍ବର ରୁମ୍‍ ସାମ୍ନାରେ ଠିଆ ହୋଇ କବାଟରେ କରାଘାତ କଲା ସଞ୍ଜୟ ।

 

କିଛି ସେକେଣ୍ଡ ପରେ କବାଟ ଖୋଲିଲା । ସାମ୍ନାରେ ଗାଉନ୍ ପରିହିତା ସୁଶ୍ରୀ ତନ୍ୱୀ ସୁଜାତା... ସାମ୍ନାରେ ସଞ୍ଜୟ ।

 

ସ୍ନେହର ଆବିଳତା ରୁନ୍ଧି ହୋଇଆସିଲା ଦୁଇଟି ହୃଦୟର । ମାତ୍ର ପରମୁହୂର୍ତ୍ତରେ କପଟ କ୍ରୋଧ ସଜୋରେ ମୁହଁ ବୁଲାଇ ଦେଲା ସୁଜାତାର । ପାଦ ଯୋଡ଼ିକୁ ସଜୋରେ ଅନ୍ତର୍ମୁଖୀ ହେବାକୁ ପ୍ରବର୍ତ୍ତାଇଲା ।

 

‘‘ସୁଜି’’ କମ୍ପିତ କଣ୍ଠରେ ସମ୍ବୋଧନ କଲା ସଂଞ୍ଜୟ । ‘‘ମୋତେ ଟିକିଏ ଶୁଣ ସୁଜି... ମୁଁ ଭାରି ଅଡ଼ୁଆରେ ପଡ଼ିଛି । ପ୍ଲିଜ... ।’’

 

‘‘ଜ୍ଵଳନ୍ତ ଚକ୍ଷୁ ଯୋଡ଼ିକ ନିପତିତ ହେଲା ସଞ୍ଜୟର ମୁଖମଣ୍ଡଳରେ । ସଞ୍ଜୟର ଓଠ ବନ୍ଦ । ପରକ୍ଷଣରେ ବଢ଼ାଇ ଦେଲା ବାପାଙ୍କର ସେଇ ଚିଠିଟା ।

 

ଦ୍ୱିଧାଗ୍ରସ୍ତ ସୁଜାତ ସଂକୋଚର ସହ ହାତ ବଢ଼ାଇ ଚିଠିଟା ନେଲା ।

 

କେଜାଣି କେତେ ଥର ପଢ଼ିଲା, ଚିଠି ଉପରୁ ଆଖି ଉଠାଇ ସଞ୍ଜୟର ମୁହଁକୁ ଚାହିଲା ବେଳକୁ ସଞ୍ଜୟ ଆଖିରେ ଅନୁରୋଧ କରୁଥିଲା, “ମୋତେ ଏ ସଂକଟରୁ ଉଦ୍ଧାର କର ସୁଜି ।’’

 

ସୁଜାତାର ମନଶ୍ଚକ୍ଷୁ ପଛକୁ ଫେରି ଚାହିଁଲା । ନିସଂଗତବୋଧ ଜର୍ଜରିତ ବର୍ଷଟାଏ ।

 

ନିସଂଗ କୁମାରୀ ଲଳନାର ଆତଯାତ ସମୟରେ ସାମୟିକ ଅସୁବିଧା ଉପୁଜାଇବା ପାଇଁ ସମାଜରେ ଯେତିକି ଉପାଦାନ ମହଜୁଦ, ସେଥିରୁ ଉଦ୍ଧାର କରିବା ପାଇଁ ସ୍ଵତଃ ଆଗଭର ହେଉଥିବା ଉପାଦାନ ମଧ୍ୟ ସେତିକି ମହଜୁଦ । ମାତ୍ର ବିବାହ ପରେ ନିସଂଗ ଜୀବନ... ଓଃ କି ଦାରୁଣ । କି କମ୍ପ୍ଲେକ୍‍ସ୍‍ ... ଲୋକଙ୍କ ଆଖିରେ କେମିତି ଗୋଟେ ଅପ୍ରାକୃତିକ ଅଶ୍ଲୀଳ ଖିଞ୍ଚା । ବାସ୍ତବରେ ଅନେକ ସମୟରେ ଅସହନୀୟ ।

 

ତେବେ ସେ କ’ଣ ସଂଜୟ ଆଖିର ଅନୁଗ୍ରହକୁ ସ୍ୱୀକାର କରିବ ?

 

ମାତ୍ର ତା'ର ସ୍ୱାଭିମାନ... ତା’ର ଉଚ୍ଚାକାଂକ୍ଷା... ତା’ର ଗର୍ବ ଏକାଜୀଇଁ ପାରିବାର ସାମର୍ଥ୍ୟ... ନାଇଁ...ହଁ...ନାଇଁ...ହଁ ।

 

ଆଖି ଉଠାଇ ଚାହିଁଲା ସୁଜାତା, ସଞ୍ଜୟର ଆଖି ଆତଙ୍କିତ, ଆଖିରେ ଆଖି ମିଶିଲା । ଆଖିରେ ଆଖିରେ ସବୁ ହଁ ନାହିଁ ଏକାକାର ହୋଇ ଦୁଇବୁନ୍ଦା ଲୁହ ହୋଇ ଝରିପଡ଼ିଲା ସୁଜାତାର ଆଖିରୁ । ତା’ପରେ ଝର ଝର ଶ୍ରାବଣୀ... ଚାରୋଟି ଆଖି । ବାଷ୍ପାଙ୍କୁଳ କଣ୍ଠସ୍ୱର... ସଞ୍ଜୁ...ସୁଜି... । ଆଗେଇଯାଇ ଆଉଜି ପଡ଼ିଲା ସୁଜାତା ସଞ୍ଜୟର ଚଉଡ଼ା ଛାତିରେ । ଓଃ କି ଶାନ୍ତି । ଆବେଗରେ ଭିଡ଼ି ଧରିଲା ସଞ୍ଜୟ ।

 

‘‘ଗଡ୍ ବ୍ଲେସ୍ ୟୁ ବୋଥ ।’’ ପାଖରେ ପ୍ରେୟାର କ୍ୟାଣ୍ଡଲ୍ ଧରି ଠିଆ ହୋଇଥିବା ମେସ୍ ପରିଚାଳିକା ମିସ୍ ମେରୀର କଣ୍ଠସ୍ୱର ଶୁଣି ସଂବିତ୍ ଫେରିପାଇଲେ ଦୁହେଁ ।

 

ଦୁଇ ମାସ ପରେ ରୋଟାରୀ କ୍ଲବ୍‍ର ମହିଳା ଶାଖା ଆନୁକୂଲ୍ୟରେ ‘‘ଭାରତୀୟ ନାରୀ ପରମ୍ପରା’’ ଉପରେ ସାରଗର୍ଭକ ଭାଷଣ ଦେଲାବେଳେ ସୁଜାତା ଯେତେବେଳେ ଆବୃତ୍ତିକଲା ସ୍ଵଭାବକବିଙ୍କର ସ୍ୱଭାବିକ ପଦ

 

“ମୋ ତନୁ ଦଗ୍‍ଧ ହେଲେ ହେବ ତ କ୍ଷାର ।

 

ତାକୁ କରିବ ନେଇ ପାଦପେ ସାର ।

 

ସେ ପାଦପ ଦେଇ ବର୍ଦ୍ଧକି ହସ୍ତେ

 

କରାଇ ଦେବ ପ୍ରଭୁ ପାଦୁକା ମୋତେ’’

 

ସାମ୍ନା ଲାଇନ୍‍ରେ ବସିଥିବା ଭଦ୍ରବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୃଦ୍ଧ ଆଖିରୁ ଲୁହ ପୋଛୁଥିଲେ । ପାଖ ଲୋକେ କହନ୍ତି ସେ ସୁଜାତାର ଶ୍ୱଶୁର । ବୁଦ୍ଧ କହନ୍ତି... ଏତେ ସୁଧାର ବୋହୂକୁ ସେ ଭୁଲ୍‍ ବୁଝି ଏତେ ଦିନ ଦୂରରେ ରହିଲେ ।

 

ମିସ୍ ମେରୀକହେ, ‘‘ଏ ମୋ ପ୍ରେୟାର ଫଳ ।’’

Image

 

ଘୃଣାରେ ବାତ୍ସଲ୍ୟ

 

“କିରେ ଅଳପେଇସାଟା ଉଠୁନୁ । କୁକୁଡ଼ା ଡାକି ପରା ଘଡ଼ିଏ ହେଲାଣି । କେତେବେଳକୁ ଆଉ ରିକ୍‍ସା ନବୁ ଯେ । ଆରେ ଯୋଗିନିଖିଆ ଉଠୁ ।’’

 

ଥର ଥର କଣ୍ଠରେ ମାତ୍ର ଅତି ରୁକ୍ଷ ଭାବରେ କହି ଚାଲିଥିଲା ୬୫ ବର୍ଷର ବୁଢ଼ୀଟା । ବାଁ ହାତରେ ବାଡ଼ିଟାଏ ଏବଂ ଡାହାଣ ହାତରେ ଝାଡ଼ୁମୁଠାଟା ଧରି ଏପାଖ ସେପାଖ କରି ଏ ପର୍ଯ୍ୟନ୍ତ ଦୁଇ ତିନିଥର ଓଳେଇ ସାରିଲାଣି । ବାଡ଼ ପାଖର ନିମ୍ବ ଗଛଟାର ପତ୍ରଗୁଡ଼ାକ ଦୁଆର ସାରା ବିଛେଇ ହୋଇ ପଡ଼ିଥିଲା । ବୁଢ଼ୀ ଲୋକ, ଓଳଉ ଓଳଉ କେଉଁଠି ରହି ଯାଉଛି, ପୁଣି ଦେଖିଲେ ତାକୁ ଓଳଉଛି । ମଝିରେ ମଝିରେ ଖପା ହୋଇ ନାତିଟା ଉପରେ ଗାଳି ବର୍ଷୁଛି ।

 

ପଞ୍ଚଷଠି ବର୍ଷର ବୁଢ଼ୀଟା । ଅଣ୍ଟା ବାଙ୍କିଗଲାଣି । ଠିକ୍ ଭାବେ ଚାଲି ପାରୁନି । ଆଖିକୁ ବି ଭଲ କରି ଦେଖାଯାଉନି । ବାଡ଼ିଟା ହଁ ଆଶ୍ରା ।

 

“କିରେ ଉଠୁନୁ’’ ଏଥରକ ଖୁବ୍‍ ବିରକ୍ତିର ସହ ହାତରେ ଧରିଥିବା ଝାଡ଼ୁଟା ତଳେ ଫୋପାଡ଼ି ଦେଇ କହିଲା, “ଚଉଁରା ମୂଳେ ଦୀପ ଜଳିବା ବେଳୁ ମାଇକିନିଆଟା ସାଙ୍ଗରେ ଶୋଇଛୁ ଯେ ଦିନ ଘଡ଼ିଏ ହେବାକୁ ତର ତରେଇଲାଣି, ଉଠୁ ନାହୁଁ । କିରେ ବେଉସା ନକଲେ ବଂଚିକୁ କେମିତି ?’’ ଭିଡ଼ି ମୋଡ଼ି ହୋଇ ଖୁବ୍ ବିରକ୍ତିର ଭାବ ନେଇ ଉଠିଲା ଶନିଆ । ହଁ ଏଇ ନା ତା’ର । ବୁଢ଼ୀ ଦେଇଛି । କାଳେ ଜନ୍ମ ହେଉଣୁ ଶନି ଭଳି ଆସି ବୁଢ଼ୀର ହସୁଥିବା ସଂସାରଟାକୁ ଗ୍ରାସି ପକାଇଛି । ଜନ୍ମ ହେବାର ପାଞ୍ଚଟା ବର୍ଷ ନ ହେଉଣୁ ବାପା, ମା’ ଦୁହିଁଙ୍କୁ ଖାଇଛି ।

 

‘‘କାହିଁକି ରାହାବାଳୀ ପାଟିଟା କରୁଛୁ ଶୁଣେ । ତତେ ତ ରାତି ସାରା ନିଦ ନାହିଁ । ପାହାନ୍ତିଆ ତାରାଟା ଉଠୁ ନ ଉଠୁଣୁ ତୁ ଆଗ ଉଠିପଡ଼ୁ । ଦେଖୁଲୁ ପଡ଼ାସାରା କିଏ ଉଠିଲାଣି ? ତୁଟା ମରୁନୁ କାହିଁକି କେଜାଣି ? ଏକା ସାଙ୍ଗରେ ସବୁରାଗ ଝାଡ଼ି ପକାଇ ତମ ତମ ହୋଇ କାନ୍ଦି ଖୁରାରୁ ଗୁଡ଼ାଖୁ ଟେଳାଟାଏ ଡବାରୁ କାଢ଼ି ଶାଳ କାଠି ଖଣ୍ଡେ କାଖରେ ଜାବି ଗାମୁଛା ଧରି ପୋଖରୀ ଆଡ଼କୁ ମୁହାଁଇଲା ଶନିଆ ।

 

‘‘ହଁ ରେ ଶନି... ବାପ, ମା’କୁ ତ ଖାଇଛୁ । ଏବେ ମୁଁ ରହିଚି । ମୋତେ ବି ଖାଇବ । ତୋ ମା’ ଅଳପେଇସିଣୀ କେଜାଣି କୋଉ ଲଗ୍ନରେ ମୋ ଘରେ ପାଦ ଦେଲା ଯେ ବାର ବରଷ ବାଞ୍ଝ ରହିଲା । କେତେ ପୂଜା କେତେ ଅଧିଆ ପଡ଼ିବାରୁ ତୁଟା ଜନମ ହେଲୁ । କେତେ ତପଇସା କରି ତୋତେ ପାଇଲି ଯେ ଆସୁ ଆସୁ ମା’କୁ ଖାଇଲୁ । ତୋ ମା’ ଅଳପେଇସିଣୀ ବାଂଝଆଣି ପୁଅ ତ ବେଇଲା ହେଲେ ପୁଅର ମା’ ଡାକ ଶୁଣିଲାନି... ସାଙ୍ଗରେ ମୋ ପାଞ୍ଚ ହାତିଆ ପୁଅଟାକୁ ବି ନେଇଗଲା । ତୁଟା ଲାଳ ଜୁଡ଼ୁବୁଡ଼ୁ ହେଇପଡ଼ିଥିଲୁ । ମୁଁ ସାଇତିଲାରୁ ଏଡେଟାଏ ହେଇଚୁ । ମୁଁ ଜାଣିଛିରେ ତୁ ମୋ ପୁଅକୁ ମାରିଚୁ । ମୁଁ ତୋତେ ମାରି ଦେଇଥାନ୍ତିରେ, ହେଲେ ମୋ ପୁଅର ଚିହ୍ନ ବୋଲି ଏ ଯାଏ । ତୋ ମୁହଁ ଦେଖୁଚିରେ..., ହେଲେ... ।

 

କେଜାଣି କେତେ କ’ଣ ବକି ଚାଲିଥାଏ ବୁଢ଼ୀ,... ଶମ୍ପୁଥାଏ କାଟୁଥାଏ, ପୁଣି ଲୁହ ଜକେଇଲେ କାନ୍ଦୁଥାଏ । ଏଇଟା ତା’ର ବିଗତ ୧୭ ବର୍ଷର ନିତିଦିନିଆ ଘଟଣା । ଏଇ ଶନିଆ, ତା’ର ପରମ ଶତ୍ରୁ । ତା’ର ହସୁଥିବା ସଂସାରର ବିନାଶର କାରଣ । ସେ ହିଁ ତା’ର ପୁଅର ମରଣ ପାଇଁ ଦାୟୀ । ପୁଣି ଏଇ ଶନିଆ, ତା’ର ପୁଅର ଶେଷ ଚିହ୍ନ, ଅତି ଆପଣାର ନାତି, ମୁହଁଟା ଦେଖୁବାକୁ ଠିକ୍ ତା’ର ପୁଅ ପରି ।

 

ବୁଢ଼ୀ ଶନିଆର ସୁଖ ଦେଖିପାରେ ନାହିଁ । କାରଣ ସେ ତା’ର ପରମ ଶତ୍ର । ପୁଣି ତା’ର ଦୁଃଖ ବି ଦେଖିପାରେ ନାହିଁ, କାରଣ ସେ ତା’ର ଆଦରର ନାତି । ଏଇ ଗତବର୍ଷ ଖେଳୁ ଖେଳୁ ଶନିଆ ଗାଁମୁଣ୍ଡ ସେପାରିର ଦାସଘର ନାତିକୁ ଟିକିଏ କ’ଣ କହି ଦେଲା କି ଚାପୁଡ଼େ ବିଧେ ଦେଲା ଯେ ସଞ୍ଜ ରତ ରତକୁ ଦାସବୁଢ଼ା ପୁଅ ସାଙ୍ଗରେ ଆଉ ଗୋଟେ ଲୋକକୁ ଧରି ଆସି ଶନିଆକୁ ଘରୁ ଟାଣି ଆଣି ମାରି ମାରି ଦରମରା କରି ଛାଡ଼ିଲା । ବୁଢ଼ୀ ଦେଖି କରି ସହି ପାରିଲା ନାହିଁ । ଧାରୁଆ ପନିକିଟା ଧରି ଧାଇଁଗଲା, ଯେ ଏକା ଚୋଟକେ ଆର କାଳିଆ ଲୋକଟାର କଚଟି ଠାରୁ ଅଲଗା କରି ଦେଲା । ଆଉ ସେଇ ଜୋର୍‍ରେ ଧକ୍‍କାଟିଏ ଖାଇ ଛିଟିକି ଆସି ବାଡ଼ କାନିରେ ପଡ଼ିଲା । ତା’ରି ଫଳ ସୂରୁପ ଗାଲ, ଛାତି, ଆଉ କପାଳରେ ଆଞ୍ଚୁରା ଦାଗ ଏ ପର୍ଯ୍ୟନ୍ତ ଯାଇନାହିଁ । ବୁଢ଼ୀର ରାହାବାଳୀ କାନ୍ଦଣା ଶୁଣି ଗାଁ ଲୋକେ ଆସୁ ଆସୁ ସେ ଦୁଇଟା ପଳାଇଗଲେ ନ ହେଲେ...।

 

ସେଇ ଦିନଠୁ ବୁଢ଼ୀର ମୁଣ୍ଡକୁ ଗୋଟିଏ ଚିନ୍ତା ଢୁକିଲା ଯେ ସେ ସିନା ଏକା ଥିବାରୁ ଦାସ ପୁଅ ଏତେ ବଡ଼ ସାହସଟାଏ କଲା । ନାଇଁ ଏଥର ଯେମିତି ହେଲେ ଶନିଆଟାକୁ ହାତକୁ ଦି ହାତ କରିଲେ ଯାଇ ହେବ ।

 

ମିଶ୍ର ବୁଢ଼ା ଓ ନିଧିଆ ନନା ମିଶିକରି ଅନେକ ବୁଝାଇଲେ ବୁଢ଼ୀକୁ । ପିଲାଟା ଛୋଟ ହୋଇଛି । ଆଉ ୪/୫ ବର୍ଷ ଯାଉ, ବଡ଼ ହେଲେ ବାହାଘର କରାଇଦେବୁ । କିନ୍ତୁ ବୁଢ଼ୀ ନାରାଜ, ଏକାବେଳକେ ଜିଦ୍‍ଦି । ଶନିଆ ବି ତା’ ସାଙ୍ଗରେ ପାଳି ଧରିଲା, ବାହାହେବ କହି ।

 

ତେବେ ବହୁତ ଖୋଜା ଖୋଜି ପରେ ଏଇ ରାଧୀ ସଂଗେ ତା’ର ଗତ ସନ ଫଗୁଣ ମାସରେ ବାହାଘର ହେଲା । ରାଧୀ ମାଇକିନିଆଟାଏ । ଅତି କମରେ ୩୦(ତିରିଶ) ବର୍ଷ ହେବ । ଏଇ ଗାଁର ଝିଅ । ଚନ୍ଦ୍ରପୁର ଚଉଧୁରୀ ବୁଢ଼ା, ବୁଢ଼ାକାଳକୁ ଏଇ ମାଇକିନିଆଟାକୁ ଦୁତୀୟ କରି ରଖିଥିଲା । ବୁଢ଼ୀ ମଲାରୁ ତା’ର ପ୍ରଥମ ସ୍ତ୍ରୀର ପିଲାମାନେ ୟାକୁ ତଡ଼ି ଦେଲେ । ଗତ ଦୁଇ ବର୍ଷ ହେଲା ଗାଁରେ ବୁଲୁଥିଲା । ଏଠି ସେଠି ଦାସନ ମଜାମଜି କରି ଚଳୁଥିଲା । ବୁଢ଼ୀ ଦେଲା ଖାସା ମାଇକିନିଆଟାଏ । ମଜବୁତ ଦେହ । ଶନିଆକୁ ଖୁବ୍ ମାନିବ । ଏଇ ଟିକିଏ ବଡ଼ ହେଲେ କ’ଣ ହେବ, ଚଳିବ ।

 

ବାହା ହେଲା ଦିନଠୁ ମିଶ୍ର ପୁଅ ରିକ୍ସା ଖଣ୍ଡେ କିଣି ଦେଇଛନ୍ତି, ଶନିଆ ପାଇଁ । ଦିନକ ୨୦/୨୫ ଟଙ୍କା ରୋଜଗାର କରି ସଞ୍ଜକୁ ଫେରେ । ରାଧୀ ହାତଟା ଟାଣି ଆଣି ଟଙ୍କାଗୁଡ଼ାକୁ ଗୁଞ୍ଜି ଦେଲେ ସେ ଚଟ୍‍କରି ଯାଇ ବୁଢ଼ୀକୁ ଦେଇଦିଏ । ମାତ୍ର ବୁଢ଼ୀ କହେ ମୁଁ ବୁଢ଼ୀ ହେଲିଣି ଲୋ ମା’ତୁ ଏ ଘରର ବୋହୁ, ତୁ ଏ ସବୁ ରଖ ।

 

ରାଧୀ ଉପରେ ବୁଢ଼ୀର ଭାରି ଭରସା । ରାଧୀ ବି ସେମିତି । ସବୁ କାମକୁ ଆଗୁଆ । ରାଧୀ ସହ ବୁଢ଼ୀର ଭଲ ପଡ଼େ । ହେଲେ ଶନିଆକୁ ସେ ସବୁଦିନ ଗାଳିଦିଏ । କାରଣ ସେ ତା’ର ପୁଅକୁ ତା'ଠାରୁ ଛଡ଼ାଇ ନେଇଛି । ସେ ହିଁ ତା’ର ହସୁଥିବା ସଂସାରକୁ ଭାଙ୍ଗି ଚୁରମାର କରି ଦେଇଛି । ସେ ତା’ର ପରମ ଶତ୍ରୁ ।

 

ପୋଖରୀ ତୁଠରୁ ଏକା ସାଙ୍ଗେ ଗାଧୁଆ ପାଧୁଆ ସାରି ଶନିଆ ଘରେ ପାଦ ଦେଲା ବେଳକୁ ଦେଖିଲା ବୁଢ଼ୀ ନିମ୍ବ ଗଛ ମୂଳଟାରେ ଚୁପ୍ ହୋଇ ବସିଛି । ରାଧୀ ରାତିର ଅଇଁଠା ବାସନ କେତେଟାକୁ ମାଜି ଧୋଉଛି । ବେଳ ବାହାରିବ ବାହାରିବ ହେଉଛି ।

 

ଶନିଆକୁ ଦେଖି ବୁଢ଼ୀର ଛାତିରେ ପ୍ରାଣ ପଶିଲା । ପୁଣି ସେଇ ସ୍ୱରରେ ପାଟିକଲା । କିରେ ପୋଖରୀଟା ଏମିତି କେତେ ଦୂରକୁ ଘୁଞ୍ଚିଯାଇଥିଲା କିରେ ନା ତୁ ହାତିରେ ବସି ଆସିଲୁ ଯେ ଏତେ ଡେରି ହେଲା । ‘‘ଦେଲୋ ରାଧି ପଖାଳ ଗଣ୍ଡେ ବାଡ଼ିଦେ । ପେଟଟା ନ ଭରିଲେ ପଞ୍ଜରା ତଳେ ବଳ ଆସିବ କୁଆଡ଼ୁ । ଦେଲୁ, ଜଲଦି କଲୁ । ଅଳପେଇସାଟା ଜଲ୍‍ଦି କାମକୁ ଯାଉ ।’’

 

କଂସାଏ ପଖାଳ ଫଡ଼ାଏ ଆମ୍ବୁଲ ସାଥିରେ ଠୁଙ୍କି ଦେଇ ଅଣ୍ଟାରେ ଗାମୁଛା ଭିଡ଼ି ରିକ୍ସା ଧରି ସହଳ ହୋଇ ବାହାରିଗଲା ଶନିଆ ।

 

ବେଳ ମୁଣ୍ଡ ଉପରକୁ ଚଢ଼ି ପୁଣି ବାଁ ଆଡ଼କୁ ଢଳିଲାଣି । ନିମ୍ବ ଗଛର ଛାଇ ଅଗଣାରେ ପଡ଼ିଲାଣି । ହେଲେ ଶନିଆଟା ଏ ଯାଏ ଖାଇବାକୁ ଆସିଲାନି । ସବୁଦିନ ତ ଆସେ । ବୁଢ଼ୀ କେତେଥର ଦାଣ୍ଡକୁ ଯାଇ ଦେଖିଲାଣି । ସାଇକେଲ ଘଣ୍ଟି ଶୁଣିଲେ ବାଡ଼ ଆଡ଼େଇ ଦାଣ୍ଡକୁ ଚାହିଁଛି-। ଦୁଇ ଚାରିଥର ରାଧୀକୁ ତାଗିଦ୍ କଲାଣି ଭାତ କଂସା ବାଢ଼ି ଥୋଇବାକୁ ।

 

ବେଳ ଗଡ଼ି ଗଡ଼ି ପାହାଡ଼ ଉପରେ ଆଥାନ ଜମେଇବାକୁ ବସିଲାଣି । ଟାଣ ଖରା କଅଁଳି କଅଁଳି ରଙ୍ଗ ଧରିଲାଣି । ହେଲେ ଶନିଆ ଫେରିଲାନି ।

 

ଏଥର ଗାଳି ବର୍ଷଣ ଆରମ୍ଭ ହୋଇଗଲା ବୁଢ଼ୀ ମୁହଁରୁ । ‘‘ଅଳପେଇସାଟା ଯାଇଚି ରିକ୍ସାଟା ନେଇ ବେଳ ବାହାରୁଣୁ ଯେ ଏ ଯାଏଁ ଦେଖା ନାହିଁ, ଖାଇବା ପିଇବାରେ ଠିକଣା ନାହିଁ । କେଜାଣି କୋଉ ଯମପୁରକୁ ଯାଇଚି ଯେ ଅଟକିଯାଇଚି । ଏଇଟା ମରିଯାନ୍ତା ହେଲେ, ... ଜଂଜାଳରୁ ମୁକ୍ତି ପାଇଯାନ୍ତି । ସବାଖିଆଟା... ମାଇପ ଆଣିଛି ବୋଲି କ’ଣ ଦିହପା ନାହିଁ । କିରେ କେତେ ରୋଜଗାର କରିବୁ ଯେ... କଅଁଳିଆ ଦେହଟା... “କେଜାଣି କୋଉ ଡାହାଣୀ ହାବୁଡ଼ରେ ପଡ଼ିଛି ଯେ ଘରକଥା ମନେପଡ଼ୁନି ।’’

 

ବେଳ ରତ ରତ ହୋଇ ଅନ୍ଧାର ହେଲା । ତଥାପି ଶନିଆର ଦେଖା ନାହିଁ । ରାଧିର ମନ ଉଚ୍ଛନ୍ନ ହେଲା । ଗେରସ୍ତ ସିଏ । କୋଳରେ ଥିଲେ ପୁଅ ଭଳି ଲାଗେ ସିନା, ହେଲେ ପୋଡ଼ା କପାଳକୁ... । ଭାରି ବ୍ୟସ୍ତ ହେଲା । ସାଙ୍ଗକୁ ବୁଢ଼ୀର ଶମ୍ପାକଟା... । ଦୁଇ ଚାରି ଥର ବୁଢ଼ୀକୁ ନେହୁରା ହେଲାଣି, “ଭିତରକୁ ଆସ । ବତି ଜାଳି ଦେଇଚି । ହେଲେ ବୁଢ଼ୀ ସେଇ ନିମ୍ବ ଗଛଟା ମୂଳରେ ବସି ଚବର ଚବର ହେଉଛି ।

 

ଶନିଆ... ଆଜି ବେଶ୍ ଭଲ ଦିନଟାଏ । ଭଲ ରୋଜଗାର ହୋଇଛି । ବେଳ ବସିଲାଣି ଏବେ ଫେରିବ । ଟଙ୍କା ମୁଣିଟାକୁ ଭଲ ଭାବେ ଅଣ୍ଟାରେ ଗୁଞ୍ଜି ରିକ୍ସା ଛୁଟାଇଲା ପଡ଼ା ଅଭିମୁଖେ । ଘର ପାଖେଇ ଆସିଲା ବେଳକୁ ମନ ବେଶି ଖୁସି । ମୋଟ ୫୫ ଟଙ୍କା ରୋଜଗାର ହୋଇଛି ।

 

ଗାଁ ତୋଟା ପାର ହେଲା । ମଶାଣି ଭୂଇଁ ପାର ହେଲା । ତା’ପରେ ଖଜୁରି ଗଛଘେରା ନିକଟ । ଏଇତ ସାହୁ ପୁଅର ଦୋକାନ, ସେପାଖରେ ତା’ର ଘର ଦେଖୁଦେଖୁ ପହଞ୍ଚିଗଲା ।

 

ରିକ୍ସାର ସର୍‍ ସର୍‍ ଶବ୍ଦ ତଥା ଘଣ୍ଟି ଶବ୍ଦ ଶୁଣି ବୁଢ଼ୀ ମନରେ ଛନକା ପଶିଲା । ଏଇ ଥର ନିଶ୍ଚୟ ଶନିଆ ଆସିଲା । ଦାଣ୍ଡକୁ ଯାଇ ଦେଖିବାର ଇଚ୍ଛା ବଳାଇଲା ବୁଢ଼ୀର । ବାଡ଼ିଟା କେଉଁଠି ପଡ଼ିଛି ଖୁଆଲ ନାହିଁ । ସିଧା ଉଠି ପଡ଼ିଲା । ଅଣ୍ଟାଟା ରକ୍‍ କଲା । ପାଦଟା ଉଠାଉ ଉଠାଉ ଖସି ପଡ଼ିଲା ଚିତ୍ ହୋଇ । ପାଖରେ ଶିଳଟା ମୁଣ୍ଡଟା ଛେଚି ହୋଇଗଲା... ଉଠି... ଅଳପେଇସାଟା... । ବାସ୍... ।

 

ରାଧୀ ଦୁଆର ମୁହଁରେ ବସିଥିଲା । ଶାଶୁ ବୁଢ଼ୀଟାକୁ ପଡ଼ି ଯିବାର ଦେଖି ଦଉଡ଼ି ଆସିଲା-। ଉଠଉ ଉଠଉ, ଶନିଆ ବି ରିକ୍ସା ଥୋଇ ସେଠି ହାଜର । ଶନିଆର ମନ ଆଜି ଖୁସି, ରାଧୀ ଦେହ ମୁହଁରେ ଟିକିଏ ହାତ ମାରି ଦେଲା, ପୁଣି ଦୁହେଁ ମିଶି ଦେଲେ । ମୁଣ୍ଡଟା ଶିଳରେ ପଡ଼ି ଛେଚି ହୋଇଯାଇଛି । ଶିଳଟା ଲାଲ ହୋଇଯାଇଛି ରକ୍ତରେ । ବୁଢ଼ୀ ଆଖି ବନ୍ଦ କରି ପଡ଼ିଛି । ମୁଣ୍ଡରୁ ରକ୍ତର ଧାର ଛୁଟିଛି ।

 

ବୁଦ୍ଧି ଦେଖା ଗଲାନି ଶନିଆକୁ । ରାଧୀ ନିଧିଆ ନନାକୁ ଡାକି ଆଣିବାକୁ କହିଲା । ଶନିଆ ପ୍ରାଣମୂର୍ଚ୍ଛା ଦଉଡ଼ିଲା । ପାଠ ପଢ଼ାଉଥିଲେ ନିଜ ନାତି ନାତୁଣୀଙ୍କୁ ନିଧି ନନା । ଗାଁର ଜାଣିବା ଲୋକ ସେ । ଔଷଧ ବିଷୟରେ ଜାଣନ୍ତି ସେ । ଜିଗର କରି ଧରିଆସିଲା ଶନିଆ ।

 

ନିଧିଆ ନନା ବୁଢ଼ୀକୁ ଦେଖିଲେ । ନାଡ଼ି ଚିପି ପରୀକ୍ଷା କରି ଦେଖିଲା ପରେ ମୁହଁଟାକୁ ଛୋପରା କରି ପାକୁଆ ପାଟିରେ କହିଲେ, “ବୁଢ଼ୀ ଆଉ ନାହିଁରେ ଶନି ।’’

 

ଶୁଣି ବି ନ ଶୁଣିଲା ପରି ରହିଲା ଶନିଆ । କ’ଣ କରିବ । ନିଧି ନନା ହିଁ ସବୁ ବ୍ୟବସ୍ଥା କରିଦେଇଗଲେ ।

 

ଟେକି ନେଇ ନାଳ କଡ଼ରେ ବୁଢ଼ୀକୁ ପୋତି ଦେଇ ଆସି ରାଧୀ ସଂଗେ ଶୋଇଲା ଶନିଆ-। ଶୋଇଲା କ’ଣ ଖାଲି ଭାବିଲା । ଏଇ ବୁଢ଼ୀ... ତା’ର ସ୍ନେହର ଦାଦିମା, ନାଇଁ ତା’ର ମା’... ନା ଯେ ତା’ର ଶତ୍ରୁ ଥିଲା । ଜନ୍ମ ହେଲା ବେଳଠୁ ଘଡ଼ିଏ ଶାନ୍ତିରେ ରହିପାରିନି ୟାରି ଯୋଗୁ-। ୟେ ତା’ର ପରମ ଶତୁ ।

 

ଭାବିଲା, ଯାହା ହେଉ ଏବେ ରା ରା ହେବାକୁ ଆଉ କେହି ନାହିଁ । ଗାଳି ଶୁଣିବାକୁ ପଡ଼ିବ ନାହିଁ । ...ବୁଢ଼ୀ ନଥିଲେ ତା’ର ଅବସ୍ଥା କ'ଣ ଏୟା ହୋଇଥାନ୍ତା । ...ବୁଢ଼ୀଟା ଚାଲିଗଲା !!!

 

କୁକୁଡ଼ା ଡାକିଲା । ରାତି ପାହିଲା ରାଧୀ ଉଠି ଦୁଆର ଓଳାଇଲା । ହେଲେ ଅଳପେଇସା ଉଠୁ ବୋଲି କେହି କହିଲେନି । ଧଡ଼ପଡ଼ ହୋଇ ଉଠିଲା ଶନିଆ । ଗୁମ୍ ହୋଇ ପିଣ୍ଡାରେ ବସିଲା-। ସାମ୍ନାରେ ନିମ୍ବ ଗଛ । ତାରିମୂଳରେ ପଡ଼ିଛି ବୁଢ଼ୀର ବାଡ଼ିଟା । ଧାଇଁ ଯାଇ ଗୋଟାଇ ପକାଇ ତାକୁ ଛାତିରେ ଲଗାଇ ପକାଇଲା । ଆଖିରେ ଲୁହ ଜକେଇଲା ।

 

ସେ କାନ୍ଦି ଉଠିଲା । ଭୋ ଭୋ ହୋଇ କାନ୍ଦିଲା ଆଉ କାନ୍ଦିଲା ।

Image

 

ପରିଣତି ଏକ ପ୍ରଶ୍ନବାଚୀ

 

ସବୁ ଶୀତ ସକାଳ ପରି ସେଦିନ ମଧ୍ୟ ସକାଳଟା ଖୁବ ଶୀତୁଆ ଥୁଲା । ସବୁଦିନ ପରି କୁହୁଡ଼ି ରହିଥିଲା ଚତୁର୍ଦ୍ଦିଗରେ । ମାତ୍ର ସର୍କଲ ଇନିସ୍ପେକ୍ଟର ଦେବାଶିଷ ବାବୁଙ୍କର ଉଦ୍‍ବେଳିତ ମନ କାହିଁକି କେଜାଣି ସବୁକିଛି ଅସ୍ୱାଭାବିକ ଓ ଖାପଛଡ଼ା ମନେ ହେଉଥିଲା । ଦିବସର ଅୟମାରମ୍ଭ ହୋଇଥିଲା ଫୋନର ଘଣ୍ଟି ଶୁଣି । ପୁରୁଣା ବଜାର ଆଉଟ୍‍ପୋଷ୍ଟରୁ ଫୋନ୍ ଥିଲା । କିଏ ଜଣେ ମରିଯାଉଛି ଟ୍ରକ୍ ତଳେ ଚାପି ହୋଇ । ଶୀତ ସକାଳର ମଜେଦାର ନିଦଟା ଭାଙ୍ଗି ଦେଇଛି ଏଇ ଦୁଃସମ୍ବାଦଟା ।

 

କାହିଁକି ଯେ ଲୋକଗୁଡ଼ାକ ମରନ୍ତି । ତା’ ପୁଣି କେଉଁ ରୋଡ୍ ଉପରେ ପୁଣି କେଉଁ ଟ୍ରକ୍ ତଳେ ଚାପିହୋଇ । ଜାଣନ୍ତି ତ ଟ୍ରକ ଡ୍ରାଇଭରଗୁଡ଼ାକ ଟ୍ରକ ଚଳାଇ ଶିଖିବା ବେଳଠୁ ହିଁ ଦୁନିଆ ସାରାର ରୋଡ୍ ଗୁଡ଼ାକୁ ନିଜ ବାପାର ନାଁରେ କରାଇ ନେଇଥାନ୍ତି... ଶଃ... । ସ୍ଵାଗତୋକ୍ତି କରୁ କରୁ ବାଧରୁମରେ ପଶିଲେ ଟାୱେଲ ନେଇ ଏବଂ ଖୁବ୍ କମ୍ ସମୟ ଭିତରେ ବାହାରିପଡ଼ିଲେ ପୁରୁଣା ବଜାର ଉଦ୍ଦେଶ୍ୟରେ ।

 

ରୋଡ୍ ମଝିଟାରେ ଲହୁ ଲଥ ପଥ ହୋଇ ପଡ଼ିଥିଲା ୧୦/୧୧ ବର୍ଷର ପିଲାଟିଏ । ବିଚାରାର ତଳି ପେଟରେ ଟ୍ରକ୍ ଚକା ମାଡ଼ି ଯାଇଥିଲା । ମୁହଁ ମାଡ଼ି ପଡ଼ିଥିଲା ପିଲାଟା । ଦେବାଶିଷ ବାବୁ ପ୍ରଥମେ ପ୍ରାରମ୍ଭିକ କାମ ସାରି ଶବ ଚିହ୍ନଟ କରିବାକୁ କନେଷ୍ଟବଳକୁ ଆଦେଶ ଦେଲେ ପିଲାଟାକୁ ଆଡ଼େଇ ଦେବାକୁ, ମାତ୍ର ଏକ’ଣ... ଏ ଯେ ତାଙ୍କର ରମୁ । ରମେଶ ପଟ୍ଟନାୟକ । ପାଦଟିଏ ଆଗେଇ ଯାଇ ଭଲ କରି ମୁହଁ ଦେହକୁ ଅଣ୍ଡାଳି ପକାଇଲେ ରମୁର । ହଁ ଏଇ ତାଙ୍କର ଗମୁ । ଏଇ ତାଙ୍କର ଏଗାର ବର୍ଷ । ତପସ୍ୟାର ଫଳ ।

 

ପୋଷ୍ଟମର୍ଟମ୍ ଆଦି ଫର୍ମାଲିଟି ସବୁ କରାଇସାରି ଶବଟିକୁ ନିଜ ତତ୍ତ୍ୱାବଧାନରେ ସତ୍କାର କଲେ । ଶେଷରେ ମୁଖାଗ୍ନି ମଧ୍ୟ ଦେଲେ ସେ । ନ ଦିଅନ୍ତେ ବା କିପରି । ରମୁର ତାଙ୍କ ଛଡ଼ା ଆଉ କିଏ ବା ଅଛି ?

 

ରମୁର ପାର୍ଥିବ ଶରୀର ଲେଲିହାନ ଶିଖାରେ ଲୀନ ହୋଇଯାଉଥିଲା । ବାୟୁ, ତେଜ, ଜଳ, ମୁଣ୍ମୟ ସମସ୍ତେ ନିଜ ନିଜର ଅଂଶ କାଢ଼ିନେଉଥିଲେ ରମୁର ପାର୍ଥିବ ଶରୀରରୁ । ଆତ୍ମା ତ କେବେଠାରୁ ଘଟି ଛାଡ଼ି ଅନ୍ୟ କୌଣସି ଘଟ ସନ୍ଧାନରେ ବ୍ୟସ୍ତ ।

 

ଧୂଆଁର କୁଣ୍ଡଳି ଭିତରୁ କିନ୍ତୁ ଦେବାଶିଷ ବାବୁ ଦେଖୁଥିଲେ ରମୁର ଅତୀତ । ପଢ଼ୁଥିଲେ ତା’ର କ୍ଷୁଦ୍ର ଜୀବନୀର ଇତିହାସ ।

 

ଏଗାର ବର୍ଷ ତଳେ ସବ୍ଇନିସ୍ପେକ୍ଟର ଭାବେ ଯୋଗ ଦେଇଥିଲେ ନୟାଗଡ଼ରେ । ପୋଲିସ୍ ଚାକିରିର ଶୃଙ୍ଖଳିତ ଜୀବନ ମଧ୍ୟରେ କର୍ତ୍ତବ୍ୟ ନିଷ୍ଠା ମାଧ୍ୟମରେ ନିଜର ଯୌବନର ଉଦ୍ଦାମତାକୁ ସୀମିତ ରଖି ବେଶ୍ ଅଗ୍ରସର ହେଉଥିଲେ ପ୍ରଗତି ପଥେ । ସେଦିନ ମଧ୍ୟ ଏଇପରି ରୋଟାଏ ଶୀତ ସକାଳର କୌଣସି ଏକ କର୍ତ୍ତବ୍ୟର ଆହ୍ୱାନରେ ମୋଟର ବାଇକ୍ ଯୋଗେ ଚାଲିଥିଲେ ପୁରୀ ଅଭିମୁଖେ । ରାସ୍ତାକଡ଼ରେ ରକ୍ତ ନାଳରେ ଜୁଡ଼ୁ ବୁଡ଼ୁ ହୋଇ ସଦ୍ୟଜାତ ଶିଶୁଟାଏ କାନ୍ଦୁଥିବାର ଦେଖୁ ଆପଣାଛାଏଁ ତାଙ୍କର ପାଦର ଛାପ ପଡ଼ିଥିଲା ବ୍ରେକ୍ ଉପରେ । ଚତୁର୍ଦ୍ଦିଗ ନିରୀକ୍ଷଣ କରି ଦେଖୁଥିଲେ ସେ କାଳେ କେଉଁଠାରେ ସନ୍ତାନର ମାତା କୌଣସି କାର୍ଯ୍ୟରେ ବ୍ୟସ୍ତ ଥାଇପାରନ୍ତି । ମାତ୍ର ବୃଥା, ସେତେବଳେ ସୂର୍ଯ୍ୟ ମଧ୍ୟ ତାଙ୍କର ଯାତ୍ରା ଆରମ୍ଭ କରିନଥିଲେ । ଏକ ସଂଗେ ଅନେକଗୁଡ଼ାଏ ଚିନ୍ତା ତାଙ୍କର ମନକୁ ଚାଲି ଆସିଥିଲା । ତେବେ ସେ ଯନ୍ତ୍ରଚାଳିତ ପରି ବାଇକ୍‍ରୁ ଓହ୍ଲାଇ ନିଜର ଜ୍ୟାକେଟ୍ ଖୋଲି ସେଇଥିରେ ଛୁଆଟାକୁ ଗୁଡ଼ାଇ ଧରି ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ତାକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଛାଡ଼ି ଦେଇ ନିଜ କର୍ମସ୍ଥଳକୁ ଚାଲି ଯାଇଥିଲେ ।

 

ପ୍ରାୟ ସାତ ଦିନ ପରେ ପୁଣି କୌଣସି କାମରେ ପୁରୀ ଯିବାବେଳେ ରାସ୍ତାର ଠିକ୍ ସେଇ ସ୍ଥାନରେ ତାଙ୍କର ସ୍ମୃତି ଫେରି ଆସିଥିଲା । ଛୁଆଟିର ଅବସ୍ଥା ଜାଣିବା ପାଇଁ ଉତ୍କଣ୍ଠିତ ହୋଇ ସ୍ୱୟଂଚାଳିତ ଭାବେ ଯାଇଥିଲେ ସେଇ ଡାକ୍ତରଖାନାକୁ । ଦେଖୁଥିଲେ ସେଇ ବାଳୁତ ଚେହେରାଟିକୁ । ଦେବାଶିଷ ବାବୁଙ୍କୁ ଦେଖି ହଠାତ୍ ହସି ଦେଇଥିଲା ଛୁଆଟି । ବାସ୍ ସେତିକିରେ ହୃଦୟ ତରଳି ଯାଇଥିଲା ତାଙ୍କର । ଡାକ୍ତର ବାବୁଙ୍କ ସହ ପରାମର୍ଶକରି ନେଇଆସିଥିଲେ ନିଜ ଘରକୁ ଏବଂ ତାର ଦାୟିତ୍ୱ ଲଦି ନେଇଥିଲେ ନିଜ ମା’ଙ୍କ ଉପରେ । ତେବେ ପିଲାଟାରି ଭାଗ୍ୟ ଯୋଗୁ ହେଉ ଅବା ଦେବାଶିଷ ବାବୁଙ୍କର ଦୟା ଓ କର୍ତ୍ତବ୍ୟପରାୟଣତା ଯୋଗୁଁ ପିଲାଟା ବଂଚି ଯାଇଥିଲା । ଅବଶ୍ୟ ସେଥିପାଇଁ ଦେବାଶିଷଙ୍କ ମା’ଙ୍କର ପରିଶ୍ରମ କିଛି କମ୍ ମହତ୍ତ୍ୱ ରଖେ ନାହିଁ । ସମସ୍ତ ସୁବିଧା ଓ ସୁଯୋଗ ପାଇ ପିଲାଟି ବଂଚି ଯାଇଥିଲା ଏବଂ ଶୁକ୍ଳ ପକ୍ଷ ଚନ୍ଦ୍ରପରି ବଢ଼ି ଚାଲିଥିଲା । ରାମଙ୍କ ଦୟାରୁ ବଞ୍ଚିଯାଇଥିଲା । ଦେବାଶିଷଙ୍କର ରାମଭକ୍ତା ମା’ ପିଲାଟାର ନାମ ରଖିଥିଲେ ରାମୁ ।

 

ୟା, ଭିତରେ ସମୟର ଚକ ଗଡ଼ିଯାଇଛି । ଦେବାଶିଷ ବାବୁ ବିବାହ କରିଛନ୍ତି । ପତ୍ନୀ ସୁଲକ୍ଷଣା ଦେବୀ ଖୁବ ଶିକ୍ଷିତା ଓ ମାର୍ଜିତା । ସବୁ କଥାକୁ ଅତି ସହଜରେ ସାଧାରଣ ଭାବେ ଗ୍ରହଣ କରିନେଇଥିଲେ ସେ । ବିଭାହୋଇ ଆସୁ ଆସୁ ସେ ମା’ ହୋଇ ଯାଇଥିଲେ ଗୋଟାଏ ଦୁଇ ବର୍ଷର ପୁଅର । ପାଞ୍ଚ ବର୍ଷ ପରେ ସ୍କୁଲରେ ମଧ୍ୟ ରାମୁର ବାପା ନା ଜାଗାରେ ନିଜ ନା ଦେଇଥିଲେ ଦେବାଶିଷ ବାବୁ । ରାମୁ ମଧ୍ୟ ପରିସ୍ଥିତି ସହ ଖାପ ଖୁଆଇ ଖୁବ୍‍ ଚଳିଆସୁଥିଲା । ନ ଆସନ୍ତା ବା କେମିତି ? ସେ କ’ଣ ବା ଜାଣିଛି ତା ନିଜ ବିଷୟରେ । ବଡ଼ି ଭୋରରୁ ଉଠି ବ୍ୟାୟାମ କରିବା, ତା’ପରେ ଜଳଖିଆ ଖାଇ ହୋମୱାର୍କ କରିବା ଏବଂ ଦଶଟା ବେଳେ ସ୍କୁଲକୁ ଯିବା । ପୁଣି ସ୍କୁଲରୁ ଫେରି ସଂଧ୍ୟାରେ ଦେବାଶିଷ ବାବୁଙ୍କ ସହ କିଛି ସମୟ କଟାଇ କିଛି ଲେସନ୍ ପଢ଼ିବା ଓ ଖାଇ ଶୋଇବା ଥିଲା ତା’ର ଦୈନନ୍ଦିନର କାମ । ଉଭୟ ଦେବାଶିଷ ବାବୁ ଓ ସୁଲକ୍ଷଣା ଦେବୀଙ୍କ ଠାରୁ ସେ ପାଉଥିଲା ସ୍ନେହ ଓ ମମତା, ରାଜୁ ଓ କଲ୍ୟାଣୀଙ୍କ ଠାରୁ ମଧ୍ୟ ବଡ଼ ଭାଇର ଇଜତ ପାଉଥିଲା ।

 

ଏଇମିତି କଟି ଯାଇଥିଲା ଏଗାର ବର୍ଷ ।

 

ମାତ୍ର ସେ ଦିନ ସୁଲକ୍ଷଣା ଦେବୀଙ୍କର ପଢ଼ା ସାଙ୍ଗ ସୁପ୍ରଭା ଦେବୀ ଆସିଥିଲେ ନିଜ ସଖୀଙ୍କ ପାଖକୁ ସାକ୍ଷାତ ପାଇଁ । ରାମୁ ସ୍କୁଲକୁ ଯାଇଥିଲା ପୁଅ ରାଜେଶ ଓ ଝିଅ କଲ୍ୟାଣୀଙ୍କ ସହିତ । ଦେବାଶିଷ ବାବୁ ଅଫିସ ଯାଇଥିଲେ । ଦୁଇ ସଖୀ ନିର୍ଜନତାର ଖୁବ ଲାଭ ଉଠାଇ ଫେରି ଯାଇଥିଲେ ଏଇ ୯/୧୦ ବର୍ଷର ବିଗତ ଜୀବନଟିକୁ ଦୋହରାଇବାକୁ । ସୁଖ ଦୁଃଖ ମଧ୍ୟରେ ସୁଲକ୍ଷଣା ଦେବୀ କହି ଚାଲିଥିଲେ ସେ କିପରି ଶାଶୁଘରେ ପାଦ ଦେଉ ନ ଦେଉଣୁ ଗୋଟାଏ ଦୁଇବର୍ଷର ପୁଅର ମା’ ହୋଇ ଯାଇଥିଲେ । କେଜାଣି କୋଉ ସ୍ତ୍ରୀର ପାପ ସହ ସେ ଦୀର୍ଘ ନ ବର୍ଷ ହେଲା ଘାଣ୍ଟି ହୋଇଆସିଛନ୍ତି । ଗୋଟାଏ ଜାରଜର ପ୍ରତି ମା ଡାକରେ ତାଙ୍କର ମାତୃତ୍ୱ କିପରି ଖିନ୍ନ ଭିନ୍ନ ହୋଇଯାଇଛି । ତଥାପି ସେ ସବୁ ସହିଛନ୍ତି କେବଳ ଦେବାଶିଷ ବାବୁଙ୍କ ପାଇଁ ।

 

‘‘ଯୌବନରେ ପାଦ ଦେଉ ନ ଦେଉଣୁ ସାଥୀଟିଏ ବାଛି ଯୌବନକୁ ତ ଉପଭୋଗ କରିନିଅନ୍ତି ମାତ୍ର ଭଗବାନଙ୍କର ଦାନଟିକୁ ପାପ ଭାବି ରାସ୍ତା କଡ଼ରେ ଫିଙ୍ଗି ଦେଇ ସତୀ ବନିଯାନ୍ତି ନିର୍ଲଜଗୁଡ଼ାକ ।’’

 

ରାମୁ ସେ ଦିନ ଜଲ୍‍ଦି କ୍ଲାସ୍ ସସ୍‍ପେଣ୍ଡ ହେବାରୁ ଏକା ଏକା ଆଗ ଚାଲି ଆସିଥିଲା ଘରକୁ କାରଣ ରାଜେଶ ଓ କଲ୍ୟାଣୀର ଡ୍ରିଲ୍‍ କ୍ଲାସ୍ ଚାଲିଥିଲା । ଘର ଦରବାଜା ଉପରେ କରାଘାତ କରିବା ପୂର୍ବରୁ ସେ ଶୁଣିଥିଲା ସୁଲକ୍ଷଣା ଦେବୀକର କଣ୍ଠସ୍ୱର । ତା’ ନିଜ ବିଷୟରେ କଥା ଚାଲିଛି ଜାଣି ଉତ୍କଣ୍ଠାରେ ଅପେକ୍ଷା କଲା ଶୁଣିବାକୁ ଚେଷ୍ଟା କରି । ମାତ୍ର ଏ କଣ କରୁଛନ୍ତି ସୁଲକ୍ଷଣା ଦେବୀ ତା’ର ମା' । ଏହା କ’ଣ ସତ ! ତେବେ ସେ କ’ଣ ଜାରକ ! ! ଏକ ଅବୈଧ ସନ୍ତାନ !!! ତେବେ ଏତେ ସ୍ନେହ, ଏତେ ମମତା ସବୁ କ’ଣ ଅପ୍ରାକୃତିକ ?

 

ବହି ବ୍ୟାଗଟା ସେଇ ବାରଣ୍ଡା ଉପରେ ଥୋଇଦେଇ ଗୋଟିଏ ଗୋଟିଏ କରି ପାହାଚରୁ ଓହ୍ଲାଇ ଯାଇଥିଲା ରାଜରାସ୍ତା ଉପରକୁ ରମୁ । ତା’ପରେ ଲକ୍ଷ୍ୟହୀନ ଭାବରେ ଚାଲିଥିଲା ରାଜରାସ୍ତା ଉପରେ । ନିଜ ଅଜାଣତରେ ଏବଂ ସମସ୍ତଙ୍କର ଅଜାଣତରେ । ତା’ର ମନରେ କେବଳ ସେଇ ଗୋଟାଏ ପ୍ରଶ୍ନ । ସେ କ’ଣ ଜାରଜ ସତରେ ? ଏତେ ସ୍ନେହ, ପ୍ରେମ କ’ଣ ମିଥ୍ୟ, ଛଳନା !!

 

ଏଣେ ସଂଧ୍ୟାରେ ରାଜେଶ ଓ କଲ୍ୟାଣୀ ସ୍କୁଲରୁ ଫେରିବାରୁ ଖୋଜା ଚାଲିଲା ରାମୁକୁ । କାହାରି ମନରେ କୌଣସି ଶଂକା ନଥିଲା । ହୁଏତ କେଉଁଠି ଅଟକି ଯାଇଥିବ । ପିଲାଲୋକ, ସଂଧାକୁ ଫେରିବ ।

 

ଫେରିଲେ ଦେବାଶିଷ ବାବୁ ମାତ୍ର ଫେରିଲାନି ରାମୁ । ସବୁ ଘଟଣା ଅବଗତ ହେଲେ ଦେବାଶିଷ ବାବୁ । ଘରକୁ ନ ଆସିବାର କୌଣସି କାରଣ ଭାବି ପାରିଲେନି । ତଥାପି ଡେରି ରାତିଯାଏ ଖୋଜା ଚାଲିଲା । ପଡ଼ିଶା ଘର ଓ ଅନ୍ୟ ବନ୍ଧୁ ବାନ୍ଧବଙ୍କର ଘର । ମାତ୍ର ମିଳିଲାନି ।

 

ଆଉ ପରଦିନ ସକାଳେ, ଏବେ ଯେଉଁ ମିଳିଲା, ସେଇ ରାମୁ ତ ନଥିଲା, ଥିଲା କେବଳ ତା’ର ସ୍ମୃତି, ତା’ର ପାର୍ଥିବ ଶରୀର ।

 

ଦେବାଶିଷ ବାବୁ ପ୍ରକୃତିସ୍ଥ ହେଲା ବେଳକୁ ଆଉ ଲେଲିହାନ ଶିଖା ନଥିଲା । କି ଧୂମକୁଣ୍ଡଳୀ ମଧ୍ୟ ନଥିଲା । ସବୁ ମୁଠାଏ ପାଉଁଶ ହୋଇ ଭୂଇଁରେ ପଡ଼ିରହିଥିଲା ।

 

ଭାରାକ୍ରାନ୍ତ ମନ ଓ ଶରୀର ନେଇ ସେଦିନ ଘରକୁ ଫେରିଲେ ଦେବାଶିଷ ବାବୁ । ପତ୍ନୀ ସୁଲକ୍ଷଣା ଦେବୀ ଆଶ୍ଚର୍ଯ୍ୟ ହୋଇ ଅନେକ ପ୍ରଶ୍ନ ପଚାରିଥିଲେ । ରାମୁ ବିଷୟରେ ଏବଂ ଚାକିରି ବିଷୟରେ । ମାତ୍ର ଯାହା ଶୁଣିଲେ, ସେ ମଧ୍ୟ ମର୍ମାହତ ହୋଇପଡ଼ିଲେ ଦୁଃଖରେ । ଅବାରିତ ଅଶ୍ରୁଧାରା ବୋହି ଚାଲିଲା ତାଙ୍କ ଦୁଇ ନୟନରୁ ।

 

ପୋଲିସ ଅଫିସର୍‍ର ଅଭିସନ୍ଧିତ୍ସୁ ମନ ଶାନ୍ତ ନ ହୋଇ ଅନେକ ପ୍ରଶ୍ନ ଉଦ୍ରେକ କଲା ଦେବାଶିଷଙ୍କ ମସ୍ତିଷ୍କରେ । ସେ ପୁନର୍ବାର ଘଟଣାବଳୀ ବିଷୟରେ ପ୍ରଶ୍ନ କଲେ ପତ୍ନୀଙ୍କୁ । ସୁଲକ୍ଷଣା ଦେବୀ ମଧ୍ୟ ସବୁ ଘଟଣା ବର୍ଷନା କରି ଉଲ୍ଲେଖ କରିଥଲେ ଦୁଇ ସଖୀଙ୍କର କଥୋପକଥନକୁ ।

 

ସବୁ ଶୁଣି ସାରି ଥକା ହୋଇ ବସି ପଡ଼ିଲେ ଆରାମ୍ ଚେୟାର ଉପରେ ଦେବାଶିଷ ବାବୁ-। ଠିକ୍ ଠିକ୍ ସବୁକଥା ଏବେ ବୁଝା ପଡ଼ୁଥିଲା ତାଙ୍କୁ । ଚା’ ଟିକିଏ ପାଇଁ ଅନୁରୋଧ କରି ଅଣ୍ଟା ସିଧାକଲେ ସେ । ତାଙ୍କର ବେଦନାଶକ୍ତ, ପ୍ରତିଟି ଜୀବକୋଷ ଅବଶ ହୋଇପଡ଼ୁଥିଲା ବେଳେ ମସ୍ତିଷ୍କରେ କେବଳ ଗୋଟାଏ ପ୍ରଶ୍ନ ଉଙ୍କିମାରୁଥିଲା । ରାମୁର ମୃତ୍ୟୁ ପାଇଁ ଦାୟୀ କିଏ ?

 

ତା’ର ଜନ୍ମଦାତ୍ରୀ ମା’ ଯିଏ ଯୌବନର କ୍ଷଣିକ ଉନ୍ମାଦନାର ବଶବର୍ତ୍ତୀ ହୋଇ ସରଗର ଫୁଲଟିକୁ ଆମନ୍ତ୍ରିତ କଲା ? କିନ୍ତୁ ସମାଜ ଭୟରେ ପାପ କହି ତାକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଶାନ୍ତ ହୋଇଗଲା ।

 

ତା’ର ବାପା ଯେ ତା’ର ପାଶବିକ ଯୌନକ୍ଷୁଧାକୁ ଚରିତାର୍ଥ କରିବା ପାଇଁ ଭବିଷ୍ୟତର ସମସ୍ତ ହାନିଲାଭର କଂକାଳକୁ ଭୁଲିଯାଇ ଦେହର କ୍ଷୁଧା ଶାନ୍ତ କଲା ଏବଂ ପରେ ସମାଜ ଭୟରେ ପଶୁ ପାଲଟିଗଲା ପ୍ରତାରକ ହୋଇ । ଅବା ତାଙ୍କ ସ୍ତ୍ରୀ... ଯିଏ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସଖୀଙ୍କ ଆଗରେ ସତ୍ୟ ଉଦ୍‍ଗୀରଣ କରିଥିଲେ ? ମାତ୍ର ତାଙ୍କର ବା ଦୋଷ କ’ଣ । ସେ ତ ଏକ ନିରାଟ ସତ୍ୟର ଆବୃତ୍ତି ମାତ୍ର କରିଥିଲେ ।

 

କି ସେ ନିଜେ ଯେ ଜାଣୁଥିଲେ ଯେତେହେଲେ ମଧ୍ୟ ତା’ର ପରିଚୟ ଜାରଜ ? ସେ ଜାରକ, ଜାରଜ ହିଁ ରହିବ । ଦୁନିଆକୁ ଯେତେ ଲୁଚାଇଲେ ମଧ୍ୟ ଏ ସତ୍ୟ କେବେ ଲୁଚି ରହିବନି । ଦିନେ ନା ଦିନେ ପ୍ରକାଶିତ ହେବ । ତଥାପି ସାଂସାରିକ ମାୟା ବନ୍ଧନରେ ତଥା ମୋହ ଡୋରରେ ବାନ୍ଧିହୋଇ ସେ ରାମୁକୁ ନେଇ ଅନେକ ସ୍ଵପ୍ନର ତାଜମହଲ ଓ ଅନେକ ଆଶାର ମୀନାର ତୋଳି ଚାଲିଥିଲେ । ମାତ୍ର ଆଜି ସବୁ ଧୂଳିସାତ୍‍ ।

 

ଅଥବା ଏ ସବୁ ପାଇଁ ଦାୟୀ ଆଜିର ଏ ସମାଜ ଯାହା ଭୟରେ ଏଗାର ବର୍ଷର କୋମଳମତି ବାଳକ ବାଛିନେଲା ମୃତ୍ୟୁ ପଥକୁ, ଯାହା ଭୟରେ ଏକ ମା’ ତାର ମାତୃତ୍ଵକୁ ବଳି ଦେଇ ସନ୍ତାନକୁ ଫିଙ୍ଗିଦେଲା ରାଜରାସ୍ତା ଉପରକୁ ଯାହାର ପ୍ରତାରଣା ଭୟରେ ପ୍ରେମିକ ପ୍ରେମିକାକୁ ପ୍ରତାରଣା କରିବାକୁ ବାଧ୍ୟ ହେଲା, ଯାହାର ଅଭିସନ୍ଧିତ୍ସୁ ଆଖିରୁ ଦୀର୍ଘ ଏଗାର ବର୍ଷ ପାଇଁ ଗୋଟାଏ ସତକୁ ଲୁଚାଇବାକୁ ପଡ଼ିଥିଲା ନାନା ପ୍ରକାର ମିଥ୍ୟାର ପ୍ରଶ୍ରୟ ନେଇ... ।

 

ତେବେ ଏଥପାଇଁ ଦାୟୀ କିଏ ? ଏ ପରିଣତି ଯାହା ଏକ ପ୍ରଶ୍ନବାଚୀ...ତା’ର ଉତ୍ତର କ’ଣ-?

Image

 

ଦୈନ୍ୟ ଭାଗ୍ୟର

 

ଗପଟିଏ ଲେଖିବାକୁ ମନ କରିଛି । କି ଗପ ଲେଖିବି ?

 

ବୁଢ଼ାବୁଢୀ ଗପ.. ବୁଢ଼ୀ ଅସୁରୁଣୀର କୁହୁକ କାହାଣୀ ବା ରାଜାରାଣୀର ଗପ ଅଥବା ରାଜକୁମାରୀ ଓ ସାତତାଳ ପଙ୍କ ଭିତରେ ଫରୁଆ ମଧ୍ୟରେ ଥିବା ଭଅଁର ଗପ... ଆଦି ଅନେକ ଅସରନ୍ତି ଗପମାଳା ତ ଯୁଗେ ଯୁଗେ ପ୍ରବାହିତ । ଶିକ୍ଷାଦାୟୀ, ରୋମାଞ୍ଚକର ମଧ୍ୟ । ଆଉ ଆଧୁନିକ ଗପ... ଏଇ ନିତିଦିନିଆ ଘଟଣାବହୁଳ ସମୟ ପ୍ରବାହ ମଧ୍ୟରୁ କିଞ୍ଚିତ୍‍ର ସମାବେଶ... ? ଏଇ ଯେମିତି...

 

ଭିକାରୁଣୀଟାଏ । ମୋ କ୍ୱାର୍ଟର ଦ୍ୱାର ସାମ୍ନାକୁ ପ୍ରତ୍ୟେକ ଦିନ ଆସିବାଟା ଏବେ ତା’ର ଅଭ୍ୟାସରେ ପରିଣତ ହୋଇଗଲାଣି । ଆଗ ଖୁବ୍‍ ବଡ଼ ପାଟିରେ ‘ଚାଉଳ ମୁଠେ ଦିଅଗୋ ବାଇ’ ବୋଲି ଚିତ୍କାର କରୁଥିଲା । ମାତ୍ର କ୍ରମେ ସେ ବି ଭଦ୍ର ପାଲଟିଗଲାଣି । ତୁମ ଚାପ ଗେଟ୍ ବାହାରେ ବସି ରହୁଛି । ମୋର ପିଲାମାନେ କିମ୍ବା ଚାକର ଟୋକା ତାକୁ ଦେଖିଲା ମାତ୍ରେ ଚାଉଳ ପ୍ଲେଟ୍‍ଟାଏ ଦେଇଦିଅନ୍ତି । ଦୀର୍ଘଶ୍ୱାସଟାଏ ମାରି ବିଚାରୀ ଅନ୍ୟଦ୍ଵାରକୁ ଚାଲିଯାଏ।

 

ଅବଶ୍ୟ ତାକୁ ମୁଁ ଆଗରୁ ଜାଣିଛି । ପିଲାବେଳଠୁ ଜାଣିଛି । ଏବେ ଯେମିତି ହାତରେ ଗୋଡ଼ରେ ବସ୍ତା ବାନ୍ଧି ବୁଲୁଛି ଆଗରୁ ସେମିତି ନଥିଲା ।

 

ଆଜିଠୁ ଠିକ୍ ପନ୍ଦର ବର୍ଷ ତଳେ ଏଇମିତି ମୁଁ ଏଇଠି ଚାକିରି କରୁଥାଏ । ନୂଆ ଚାକିରି , ଏକା ରହୁଆଏ । ନିଜେ ରୋଷେଇ କରି ଖାଇଥାଏ । କାରଣ ହୋଟେଲର ରଙ୍ଗକରା ଅଖାଦ୍ୟ ମୋ ଦେହରେ ଯାଏ ନାହିଁ । ତେବେ ଏଠାକୁ ଆସିବାର ମାସେ ଦୁଇମାସ ପରେ ନିଜେ ସବୁକାମ କରିବାକୁ ବିରକ୍ତିକର ଲାଗିଲା । ଏଣୁ ଭାବିଲି ଗୋଟାଏ ଚାକରାଣୀ ରଖୁବି । ଘରଦ୍ଵାର ଝାଡ଼ୁ କରିବ । ବାସନକୁସନ ଧୋଇବ । ଆଉ କେତେବେଳେ ବୋଲହାକଟେ କରିବ । ଏୟା ଭାବି ସବୁ ଚିହ୍ନା ପରିଚିତ ଲୋକ ତଥା ଅଫିସ୍ ଷ୍ଟାଫଙ୍କୁ ଏକଥା କହିଲି । ଆଉ ଦିନେ, ଆମର ଏଇ ‘ଶ୍ୟାମବାବୁ’ ଗୋଟାଏ କାଳିଆ ଧୂସୁରିଆ, ଭୁରସୁଣ୍ଡି ମୁଣ୍ଡୀ ଦଶଏଗାର ବର୍ଷର ଝିଅଟିଏ ଧରି ଆସି କହିଲେ, ‘‘ବହୁତ ଚେଷ୍ଟା ପରେ ଖୋଜି ଖୋଜି ଏଇ ଗୋଟିକୁ ପାଇଲି ଆଜ୍ଞା । ଇୟେ ସବୁ କାମ କରି ପାରିବ ।”

 

ଝିଅଟାକୁ ଦେଖି ଟିକିଏ ନାକ ସୁକୁଡ଼ାଇ ତଳୁ ଉପରକୁ ଦେଖିନେଲି । ତଥାପି ନାହିଁ ମାମୁ ଠାରୁ କଣା ମାମୁ ଭଲ ଭାବି ମନରେ ଖୁସି ଜାହିର କଲି ଏବଂ ଶ୍ୟାମ ବାବୁଙ୍କୁ ବିଦାକଲି । ଯଦିଓ ପ୍ରଥମେ ପ୍ରଥମେ ତା ବିଷୟରେ କିଛି ଜାଣିବାର ଜିଜ୍ଞାସା ମୋର ନଥିଲା । ତଥାପି ସବୁକିଛି ତା ବିଷୟରେ ଧୀରେ ଧୀରେ ମୁଁ ଜାଣିଗଲି ।

 

ସେଇଟାର ବାପା ମା’ ବୋଲି କେହି ନଥିଲେ । ଭାଇ ଭଉଣୀ ତଥା ରକ୍ତ ସମ୍ପର୍କୀୟ ଦାଦା ଖୁଡ଼ୀ ଆଦି କେହି ନଥିଲେ । ଥିଲା କେବଳ ଦୂର ସମ୍ପର୍କୀୟ ମଦୁଆ ମାମୁଟେ ରିକସା ଚଲାଏ, ଘରେ ତାର ଦ୍ୱିତୀୟା ପତ୍ନୀ । ତେଲୁଗୁ ମାଇକିନିଆଟାଏ । କାଳୀ ହୋଇ ମୋଟୀ ଟାଏ । ଖୁବ କମ୍ ଲମ୍ୱା କିନ୍ତୁ ମୋଟା କୁଞ୍ଚକୁଞ୍ଚିଆ ଚୁଟିବାଳଗୁଡ଼ାକ ତା’ର କଳା ବସନ୍ତ ଦାଗିଆ ମୁହଁଟାକୁ ଖୁବ ଭୟଙ୍କର କରି ଦେଉଥିଲା । ତାକୁ ଦେଲେ ଡରିଯାଏ ଛୁଆଟା । ସେଇ ମାଇକିନା ଦୁଇବର୍ଷ ହେଲା ଏଇ ଛୁଆଟାକୁ ଆଣି ରଖିଛି । ନହେଲେ ଏଇ ଛୁଆଟା ତାର ମା’ ହଇଜାରେ ମଲାଦିନୁ ଗତ ଦୁଇବର୍ଷ ତଳେ ବାପ ମଲାଯାଏ ଏ ଓଳି ସେ ପିଣ୍ଡା ହେଉଥିଲା ।

 

ସେମାନେ ତାକୁ ଝୁରୀ ବୋଲି ଡାକୁଥିଲେ । ହେଲେ ମୋତେ ସେ ନାଁଟା ଭଲ ଲାଗିଲା ନାହିଁ । ତେଣୁ ମୁଁ ତା'ନାଁ ଦେଇଥିଲି ରୀତା । ବେଶ୍ ଭଲ ଝିଅଟାଏ । ଗୋଟାଏ କଥା ପଚାରିଲେ ଦଶକଥା ବଜର ବଜର ହୋଇ କହି ପକାଏ । କିଛି କାମ ନଥିଲେ ଘରଟାକୁ ଦଶଥର ଏପଟୁ ସେପଟୁ ଓଳାଉଥାଏ । ମୋ ରୋଷେଇର ବଳକା ଖାଦ୍ୟ ମୁଠାଏକୁ ଭାରି ଶରଧାରେ ଖାଏ ଏବଂ ଖୁବ ତୃପ୍ତି ଲାଭକରେ । ମାସ ଦୁଇଟାରେ ତା’ର ଚେହେରା ସବୁ ବଦଳି ଯାଇଥିଲା... ମୁଣ୍ଡ ବାଳ ସଫା ହୋଇଯାଇଥିଲା ।

 

ମାତ୍ର ସେଇ ବର୍ଷଟା ନ ପୁରୁଣୁ ମୋର ଟ୍ରାନ୍ସଫର ହୋଇଯାଇଥିଲା । ଏବେ ଦୀର୍ଘ ୧୫ ବର୍ଷ ପରେ ଯେତେବେଳେ ସେଇ ଅଫିସ୍‍ର ସର୍ବୋଚ୍ଚ କର୍ତ୍ତାରୂପେ ଯୋଗ ଦେଲି ସେତେବେଳେ ୧୫ ବର୍ଷ ତଳର ସ୍ମୃତି ମୋର ଫେରି ଆସିଲା । ସବୁ ପରିଚିତ ନାଗରିକଙ୍କୁ ଦେଖାକରିବାର ଉତ୍କଣ୍ଠା ଜାତ ହେଲା ମୋ ମନରେ । ସମସ୍ତଙ୍କ ପରି ରୀତାର ଖବର ମଧ୍ୟ ଜାଣିବାକୁ ଇଚ୍ଛା ହେଲା-। ପ୍ରାୟ ସମସ୍ତଙ୍କ ସହିତ ଦେଖାହୋଇଗଲା । ମାତ୍ର ରୀତାର ଖବର ପାଇଲିନି । ମନେ ମନେ ତାକୁ ଖୁବ୍ ଖୋଜିଲି । ଚିହ୍ନିଲୋକଙ୍କୁ ତା’ କଥା ପଚାରିଲି । ମାତ୍ର କୌଣସି ଖବର ପାଇଲିନି-। ସତରେ ଯେଉଁଦିନ ମୁଁ ପ୍ରଥମ ଥର ପାଇଁ ତାକୁ ମୋର ଏଇ ଜାଗା ଛାଡ଼ି ଚାଲିଯିବାକଥା କହିଥିଲି, ସେ ପଚାରିଥିଲା ‘‘ମତେ ସାଙ୍ଗରେ ନେବ ବାବୁ ? ମୋ ପାଇଁ ମୋତେ ବହୁତ ପିଟେ-। ଏଇଠିକି ଆସିଲେ ଯାଇ ମୁଁ ତା ହାତରୁ ରକ୍ଷା ପାଏ । ମତେ ସାଙ୍ଗରେ ନେଇ ନିଅ ବାବୁ ।’’ ଏଇ କଥା ମୋର ବାରମ୍ବାର ମନେପଡ଼ୁଥିଲା ।

 

ଏବେ ଯେଉଁ ଦିନ ଅଫିସ୍ ବାହାରିବା ବେଳେ ପ୍ରଥମ କରି ଏଇ ଭିକାରୁଣୀର “ଚାଉଳ ମୁଠେ ଦିଅଗୋ ବାଇ’’ର ଡାକ ଶୁଣିଲି, ସ୍ୱରଟା କେମିତି ଟିକିଏ ଚିହ୍ନାଚିହ୍ନା ଲାଗିଥିଲା । ମାତ୍ର ସେଦିନ ବସ୍‍ଷ୍ଟାଣ୍ଡ ପାଖରେ ଜୋତା ପଲିସ୍ କରାଉ କରାଉ ପୁଣି ଯେତେବେଳେ ପଛପଟୁ ସେଇ ସ୍ୱର ଶୁଣିଲି “ପଇସାଟିଏ ଦିଅ ବାବୁ”, ପଛକୁ ଫେରି ଚାହିଁଲି, ଦେଖିଲି ସେଇ ଚେହେରା । ଭାବିଲି ଏଇ ନିଶ୍ଚେ ରୀତା, ପଚାରିଲି.... ତୁ ରୀତା ନା... ତୋର ଏ ଅବସ୍ଥା କେମିତି ??

 

ମୋତେ ବୋଧହୁଏ ଚିହ୍ନି ପାରିଥିଲା ସେତେବେଳକୁ । ସକେଇ ଉଠି କହିଲା...

 

“ସବୁ ମୋର ଭାଗ୍ୟ ବାବୁ, ସବୁ ମୋର ଭାଗ୍ୟ ।”

 

ଉତ୍କଣ୍ଠାରେ ପଚାରିଲି... ‘‘କାହିଁକି ! କ’ଣ ହେଲା ?’’

 

“ତୁମେ ଏଠାରୁ ଯିବାର ବର୍ଷେ ନ ପୂରୁଣୁ ମୋ ମାମୁ ମୋତେ ବାହାକରାଇଦେଲା ବାବୁ । ଆମ ବସ୍ତିର ସେ ମୁଣ୍ଡରେ ଏକୁଟିଆ ହୋଇ ଭଙ୍ଗା କୋଠାଟାରେ ଯେଉଁ କାଳିଆ ଦରବୁଢ଼ାଟା ରହୁନଥିଲା, ଯିଏ ବୋତଲ ବୋତଲ ମଦ କୋଉଠୁ ଆଣି ବସ୍ତିବାଲାଙ୍କୁ ବିକୁଥିଲା, ସେଇଟା ମୋର ବର ହେଲା । ମୁଁ ମନାକଲି, ବହୁତ କାନ୍ଦିଲି, ହେଲେ ମୋ ମାମୁ ମାଇଁ ମତେ ପିଟି ପିଟି ସେଇଠି ଛାଡ଼ି ଦେଇଗଲେ ।”

 

“ସେଇଟା ବଡ଼ ରୋଗୀଆଟାଏ ବାବୁ ।’’

 

‘‘ମୁଁ ତା’ ଘରକୁ ଯିବାର ଦିନ କେଇଟା ଭିତରେ ତା’ର ଘା’ଗୁଢ଼ାକ ବଢ଼ିଗଲା । ଲୋକେ ଜାଣିଲେ, ତା’ଠୁ କେହି ମଧ୍ୟ କିଣିଲେ ନାହିଁ । ତା’ର ବେଉସା ବୁଡ଼ିଲା । ଶେଷକୁ ଖାଲି ଗର ଗର ହୋଇ ମୋତେ ପିଟିଲା । ଭୋକ ଉପାଶରେ ରହି ଖାଲି ମାଡ଼ଖାଇଲି । ଥରେ ମାମୁ ପାଖକୁ ଚାଲିଯାଇଥିଲି ଯେ ମୋ’ ପାଇଁ ସଙ୍ଗେ ସଙ୍ଗେ ମୋତେ ବିଧା ଗୋଇଠା ମାରି ଘୋଷାରି ଘୋଷାରି ନେଇ ସେଇଠି ଛାଡ଼ିଦେଲା । ଆଉ ବେଳବୁଡ଼ାକୁ ମୋ ମାମୁ ଆସି ରୋଗିଆ ଲୋକଟାକୁ ପିଟି ପିଟି ନୟାନ୍ତ ହେଲା ପରେ ଯାଇଫେରିଲା ।’’

 

“ସେଇଟା ମରିଗଲା ବାବୁ । ସବୁ ଛିଣ୍ଡି ଛିଣ୍ଡି ଖାଲି ଗଣ୍ଡିଟାରେ ଗଡ଼ି ଗଡ଼ି ମରିଗଲା । ଖୁବ ସେବାକଲି ବାବୁ, ଏଇ ହାତରେ ତା’ର ଘା’ଗୁଡ଼ାକୁ ଧୋଇଛି । ଦେଖ ବାବୁ ତା’ରି ଫଳ ।’’ ନିଜର ବସ୍ତାଗୁଡ଼ାଇଥିବା ହାତ ଦୁଇଟା ଦେଖାଇ କହିଲା ବେଳକୁ ମୋ’ ଦୃଷ୍ଟି ତା’ ମୁହଁରେ ପଡ଼ିଲା । ଦୁଇ ଆଖୁରୁ ଲୁହଧାର ଗଙ୍ଗା ଯମୁନା ପରି ବୋହି ଚାଲିଥାଏ ତା’ର । ମୋ ଅଜାଣତରେ ମୋ ଆଖୁ ମଧ୍ୟ ଲୁହ ଜକେଇ ହୋଇଗଲା ।

 

କୋହରେ ବି ସେ ପୁଣି କହି ଚାଲିଥାଏ ।

 

“ସେଇ ଘରଟାରି ସବୁ ଜିନିଷପତ୍ର ସେଇଠି ଛାଡ଼ି ଦେଇ ମାମୁ ଘରକୁ ପଳାଇ ଆସିଲି । ସେତେବେଳକୁ ମୋର ଗୋଡ଼ ହାତ ଧଳା ହୋଇ ଆସୁଥାଏ । ମାଇଁ ମୋତେ ଦେଖିବା କ୍ଷଣି ଦାଣ୍ଡତାଟି ପାଖରୁହିଁ ମୋତେ ତଡ଼ି ଦେଲା, ରାହାବାଳୀ ପାଟି କରି–ବଡ଼ ରୋଗିଆ, ଗେରସ୍ତଖାଈ ଅଲକ୍ଷଣୀ ଆଦି ଗାଳିଦେଇ ମୋ ଚୁଟି ଧରି ଘୋଷାରି ଘୋଷାରି ଦାଣ୍ଡରେ ଛାଡ଼ିଲା । ତା’ପରେ ଆଉ କ’ଣ କରିଥାନ୍ତି ବାବୁ...ଏଇଠିକି ଚାଲିଆସିଲି, ଏଇ ୧୦-୧୫ ଟା ଭିକାରୁଣୀଙ୍କ ସାଙ୍ଗରେ ଯୋଗଦେଲି ।’’ ବାଷ୍ପାରୁଦ୍ଧ କଣ୍ଠରେ କହୁ କହୁ ଅଟକିଯାଇ ଦୀର୍ଘଶ୍ୱାସଟାଏ ନେଲା ।

 

ପୁଣି କହିଲା, “ମୋ ମାମୁ ରିକ୍ସା ଚଳାଇଲାବେଳେ ଏଇ କୋଉ ରାସ୍ତାକଡ଼ରେ ମୋତେ ଦେଖିଲେ ମୋ ଉପରକୁ ମେଣ୍ଡା ମେଣ୍ଡା ଛେପ ପକାଇ ଅନ୍ୟପଟକୁ ମୁଁହ ବୁଲାଇନିଏ । ହେଲେ ମୋ ମାମୁ ଘର ପାଖରେ ଯୋଉ ଆର ରିକ୍ସାବାଲାଟା ନୁହଁ, ଯୋଉ କାଳିଆ ଗେଡ଼ା ଲୋକଟା, ସିଏ ମୋ ସହିତ ଖୁବ କଥାହୁଏ । ଏଇ ଗଲା ବରଷ କହୁଥିଲା, ମୋ ମାମୁ କାଳେ ଦୁଇ ହପ୍ତା ଜରପଡ଼ିଲା । ଜରରୁ ଉଠି ମଦ ବିକଳରେ ପଇସା ପାଇଁ କା’ ଘରେ ପଶି ଚୋରି କରୁଥିଲା । ତାଙ୍କ ସାନ ପୁଅ ଦେଖି ପକାଇବାରୁ ତାକୁ ଛୁରା ଭୂଷି ପଳାଇଯାଉଥିଲା, ଧରାପଡ଼ି ଏବେ ଜେଲ୍ରେ ଅଛି ପରା । ଆଉ ମାଇଁଟା ତା ରାଇଜକୁ ଯାଇ ଆଉ କାହା ସହ ବାହାହୋଇ ରହିଛି ପରା । ସେଇଟା ହେଲେ ଏଇଠି ମରିଥାନ୍ତା !

 

ସବୁ କହିସାରି ଲୁହପୂର୍ଣ୍ଣ ଆଖିରେ ମୋ’ଆଡ଼କୁ ଚାହିଁଲା । ହାତ ପୂରାଇଲି ପକେଟରେ । ଟଙ୍କିକିଆ ସିକ୍‍କାଟାଏ ତା’ ହାତକୁ ବଢ଼ାଇଦେଇ ଟିକିଏ ସମବେଦନା ପ୍ରକାଶ କରିବା ବ୍ୟତୀତ ଆଉ ଅଧିକ କ’ଣ ବା କରିପାରିଥାନ୍ତି ।

 

ଏବେ ଭାବୁଛି, ଭାଗ୍ୟ ! ତୋଳିଦେଉଛି ଆପଣମାନଙ୍କ ହାତରେ ଏଇ ଭାଗ୍ୟକୁ ଦୈନ୍ୟ ଯାର ଆଭୂଷଣ, ରାସ୍ତାକୁ ଗୋଟେଇ ଯଦି ଦେଇ ପାରିବେ କିଛି ସ୍ଥିରତାର ଆଭୂଷଣ । ପାରିବେ ଯଦି କିଛି ଔଜ୍ୱଲ୍ୟ ଦେଇ ସଦା ଅନ୍ଧାରକୁ ଆବୋରି ନେଉଥିବା ପ୍ରାଣୀଟିକୁ ରାଜରାସ୍ତାକଡ଼ରୁ ଉଠାଇ ରାଜରାସ୍ତା ମଝିରେ ଠିଆକରାଇ ଆଗେଇଯିବାକୁ ପ୍ରେରିତ କରିବେ । ନଚେତ୍ ଏଇମିତି ରାସ୍ତାକଡ଼ରୁ ତଳକୁ ଗଡ଼ିଯିବ ଏ ଭାଗ୍ୟ । ଅନ୍ଧାରରେ ବିଲୁପ୍ତ ହୋଇଯିବ । ଏ ଭାଗ୍ୟ କେବଳ ରୀତାର ନୁହଁ, ଅନେକ ଭାଗ୍ୟ ରାସ୍ତାକଡ଼ରେ ଏବେ ବି ଅନ୍ଧାରମୁହାଁ ହୋଇ ବିଲୁପ୍ତପ୍ରାୟ ।

 

ବାସ୍ତବରେ ଚିନ୍ତନୀୟ ।

Image

 

ନିଷ୍ପତ୍ତି କାହା ପାଇଁ

 

“ଏଇ, ତୁମର କ’ଣ ହୋଇଛି...କାହିଁକି ମୋ ପ୍ରଶ୍ନର ଉତ୍ତର ଦେଉ ନାହିଁ ?” କିଛିଟା ବିରକ୍ତି ଭାବ ତଥା ଉଦ୍‍ବେଗର ସହ ମୁହଁରୁ ଦୃଢ଼ ଭାବରେ ଏଇ ଶବ୍ଦ କେତୋଟି ସ୍ୱତଃପ୍ରବୃତ ଭାବେ ବାହାରିଆସିଲା ସମୀରର ଶାନୁକୁ ଢେସିଂ ଟେବୁଲ ସାମ୍ନାରେ ଏକା ଠିଆ ହେବାର ଦେଖି ।

 

“ନାଇଁ କିଛି ନାହିଁ ।’’ ଶାନୁ ସମୀରର ଦୃଷ୍ଟି ପରିସରକୁ ଏଡ଼ାଇଯିବାକୁ ଚେଷ୍ଟା କରୁଥିଲା ।

 

‘ଓ ବୁଝିଲି, ତୁମେ...’

 

ଶାନୁ ପ୍ରାୟତଃ କାନ୍ଦ କାନ୍ଦ ହୋଇ ଦୁଆରବନ୍ଧ ଡେଇଁ ଚାଲିଗଲା ଭିତର ଘରକୁ ।

 

ସମୀର କିଂକର୍ତ୍ତବ୍ୟବିମୁଢ଼ ଦଣ୍ଡାୟମାନ । ପରିସ୍ଥିତିକୁ ବୁଝିବା ପାଇଁ ତାର ମସ୍ତିଷ୍କର ଶତ ଚେଷ୍ଟା ସୁଦ୍ଧା ଖିଅଟିଏ ଧରି ପାରୁନଥିଲା । ଏଇନା ସେ ଶାନ୍ତି ଯେ ତାର ଆଜି ନିଜର, ଅତି ଆପଣାର । ଯିଏ ଭାରି ଖୋଲା ଦିଲ୍‍ବାଲି । ହସ ହସ ମୁହଁ ଯାର ଆଜନ୍ମ ଆଭୂଷଣ ।

 

କିନ୍ତୁ ଆଜି ଏ କ’ଣ...କୋଉଥି ପାଇଁ ଏ ବିରୋଧାଭାସ !

 

ସମୀର ନିଜକୁ ବିଶ୍ଳେଷଣ କରିବାକୁ ଲାଗିଲା । ସେ ସମୀର ଏକ ପ୍ରତାରିତ ସୃଷ୍ଟି । ସ୍ୱୟଂ ସ୍ରଷ୍ଟାଙ୍କ ପ୍ରତାରଣାର ଶିକାର ହୋଇଛି ସେ । ସେ ସବୁ ପାଇ ସବୁ ହରାଇଛି । ସେ ସୃଷ୍ଟି ହେବାର ଖୁବ୍‍ କମ୍‍ଦିନ ମଧ୍ୟରେ ସ୍ୱୟଂ ସ୍ରଷ୍ଟାଙ୍କଦ୍ଵାରା ପ୍ରତାରିତ ହୋଇ ହରାଇଛି ତା’ ପିତା ମାତାଙ୍କର ମମତା ଯାହା ଆଜି ତା’ ଆଖିରେ ସବୁଠାରୁ ଦୁର୍ଲଭ, ଦୁର୍ମୂଲ୍ୟ । ଏବେ ଝାପ୍‍ସା ମନେପଡ଼େ ତା’ର ପିତାମାତାଙ୍କ ଚେହେରା ଯାହା ସବୁ ମଣିଷଙ୍କ ପରି ହେଲେ ବି କୋଉ ମଣିଷ ପରି ନୁହେଁ ।

 

ଏ ସବୁ ସେତେବେଳେ ହେଲା ସେତେବେଳେ ପ୍ରକୃତି ଉପରେ ନିୟତି କେଉଁ ଏକ ଅଶୁଭ ଘଡ଼ିରେ ଚଳାଇଥିଲା ତାଣ୍ଡବ ନର୍ତ୍ତନ । ଦଶଦିଗ ଅନ୍ଧକାର କରି ଦିନରାତି ଏକାକାରକରି ଯେତେବେଳେ ଇନ୍ଦ୍ର ଦାଉ ସାଧୁଥିଲା । ମାଟିମା’ ଉପରେ ସେତେବେଳେ ଚପଳା ଛନ୍ଦମୟୀ ସ୍ଵର୍ଣ୍ଣରେଖା ନିଜ ଆଡୁ ଯୌବନର ମତ୍ତ ଗର୍ବରେ କୂଳ ଇଂଘନ କଲା । ପଳତଃ ତୀରରେ ଯେଉଁ କେତୋଟି ବସ୍ତି ବନାନୀର ସବୁଜିମା ତଥା ଆକାଶର ନିଳୀମା ତଳେ ହସୁଥିଲା । ସେ ଗୁଡ଼ାକ ସ୍ୱର୍ଣ୍ଣରେଖାର ଗଭାରେ ଲୀନ ହୋଇଗଲା । ଆଉ ରତନପୁର ସେଇ ବସ୍ତିଗୁଡ଼ାକ ମଧ୍ୟରୁ ଅନ୍ୟତମ-

 

ସେଇ ମୁହୂର୍ତ୍ତଠାରୁ ଯେବେ ବି ବର୍ଷା ହୋଇଛି ଭଗବାନଙ୍କୁ ନିର୍ଦ୍ଦୟ ନିଷ୍ଠୁର ବୋଲି କହି ଆସିଛି ସମୀର ଯଦିଓ ସେ ଜାଣେ ବୃଷ୍ଟିବିନା ସୃଷ୍ଟି ଅସମ୍ଭବ । କିନ୍ତୁ ଏଇ ବର୍ଷା ହିଁ ତ ଛଡ଼ାଇନେଇଛି ତାଠାରୁ ପିତୃମାତୃଛାୟା ତଥା ଆତ୍ମୀୟ ସ୍ୱଜନଙ୍କୁ ।

 

ଏ ଘଟଣା ଘଟିବା ବେଳକୁ ସେ ସାତବର୍ଷର ଅବୋଧ ପିଲାଟାଏ । ସେ ସମୟ ଆଉ ଏବେକାର ସମୟ ଭିତରେ ଅନେକଟା ତାରତମ୍ୟ ସେଇ ଅବଧି ଦିନ, ମାସ, ବର୍ଷ ହୋଇ ୨୦ ବର୍ଷ ହୋଇ ଯାଇଛି ଆଜକୁ । ମାତ୍ର ସେଇ ଯେ ମାମୁ ଘରକୁ ଆସିଥିଲା ସମୀର, ଏ ଯାଏ ଫେରିନି-। ରତନପୁର ଆଜି ତା ପାଇଁ ସ୍ଵପ୍ନର ଏକ ଶୁରାକ । ଅବଶ୍ୟ ରତନପୁର ଏବେ ବି ଭୂଗୋଳ ପୋଥିରେ ଜୀବିତ । ଏବେ ବି ହସୁଛି ସେଠାରେ ପ୍ରକୃତି । ସବୁଜିମାଘେରା ଶସ୍ୟକ୍ଷେତ ଓ ବନାନୀ ମଧ୍ୟ ଏବେ ବି କେତୋଟି ଘର ରତନପୁରର ଐତିହ୍ୟ ବଜାୟ ରଖିଛି । କିନ୍ତୁ ବଦଳି ଯାଇଛି ବସ୍ତି ବାସିନ୍ଦାଙ୍କର ମୁହଁ ।

 

ତାର ମନେ ପଡ଼େ ସେଇ ବିପତ୍ତି ମୁହୂର୍ତ୍ତଗୁଡ଼ିକ । ଯେତେବେଳେ ତାର ମାମୁ, ବାରମ୍ବାର ରତନପୁର ଯାଇ ଅଧରାତିକୁ ଘରକୁ ଫେରୁଥିଲେ, ସେ କିପରି ଅନୁସନ୍ଧିତ୍ସୁ ମନ ନେଇ ନିଜକୁ ଏଡ଼ାଇ ରାତିଅଧଯାଏ ତାର ମାମୁକୁ ଅପେକ୍ଷା କରୁଥିଲା । ଆଉ ତାର ମାମୁ ଆସି ଯେତେବେଳେ ବାରମ୍ବାର ସୋଫା ଉପରେ ଥକା ହୋଇ ବସି ଶୂନ୍ୟକୁ ଚାହୁଁଥିଲେ, ଅନେକ ପ୍ରଶ୍ନବାଚୀରେ ରୁନ୍ଧିହୋଇ ଯାଉଥିବା ସମୀରର ମସ୍ତିଷ୍କରେ କିପରି କୁହେଳିକା ଢାଙ୍କି ହୋଇଯାଉଥିଲା । ସେ କିପରି କବାଟ ପାଖରୁ ମାମୁ ମୁହଁକୁ ଥରୁଟିଏ ଚାହିଁଦେଇ ଦିର୍ଘଶ୍ୱାସ ନେଇ ଫେରି ଆସୁଥିଲା ତା’ର ବିଛଣା ପାଖକୁ । ଏଇ ସବୁ ବିଗତ ଦିନଗୁଡ଼ାକରେ ତା’ ମନରେ ଅନେକ ଥର ଗୋଟାଏ, ପ୍ରଶ୍ନ ଉଂକିମାରିଛି – ତାକୁ କାହିଁକି ତା’ର ବାପା, ମା’ ପାଖକୁ ପଠାଯାଉନାହିଁ କିମ୍ବା ତା’ର ବାପା ମା’ କାହିଁକି ତାକୁ ନେବା ପାଇଁ ଆସୁନାହାନ୍ତି । ଅବଶ୍ୟ ସେ ବିଷୟ ସାଥିରେ ସବୁ କିଛି ଯାଇଛି ଏବେ । ଯଦି ତା’ର ଏବେ ମଧ୍ୟ ସୃଷ୍ଟ ମନେ ପଡ଼େ, ସେ ଯେତେବେଳେ ମାଇଁକୁ ‘‘ମୋତେ କାହିଁକି ଘରକୁ ପଠାଉନ’’ କି ‘‘ମୁଁ କେବେ ଘରକୁ ଯିବି’’ ବୋଲି ପ୍ରଶ୍ନକରେ ତା’ର ମାଇଁ କିପରି ତାକୁ ଏଡ଼ାଇଦେଇ ଚାଲିଯାଉଥିଲେ ଗମ୍ଭୀର ହୋଇ ।

 

ତେବେ ସମୟ ଯେତିକି ଗଡ଼ିଚାଲିଛି, ସମୀର ସେତିକି ବଡ଼ ହୋଇଚାଲିଛି । ମାତ୍ର ଯେତିକି ବଡ଼ ହୋଇଚାଲିଛି ତା’ ମନରେ ଭଗବାନଙ୍କ ପ୍ରତି ବିତୃଷ୍ଣା ଭାବ ବଢ଼ିଚାଲିଛି । ସେ ଯେତିକି ସଚେତନ ହୋଇଚାଲିଛି, ସେତିକି ସେ ତା’ ପିତାମାତାଙ୍କ ଅନୁପସ୍ଥିତି ଅନୁଭବ କରୁଛି । ସେ ଯେତିକି ଜୀବନର ପୂର୍ଣ୍ଣତା ପାଖକୁ ପାଖେଇ ଚାଲିଛି, ସେତିକି ତାର ମାମୁ ମାଇଁଙ୍କ ପାଖରେ ରଣୀ ଅନୁଭବ କରୁଛି ।

 

ଏଇମିତି କଟିଯାଇଛି ଦୀର୍ଘ ୨୦ ବର୍ଷ ଏବଂ ଏଇ ଅସୁବିଧାରେ ସେ ନିଜକୁ ଜଣେ ଉଚ୍ଚଶିକ୍ଷିତ ଯନ୍ତ୍ରୀ ହିସାବରେ ପ୍ରତିଷ୍ଠିତ କରିପାରନ୍ତି । ଏଇ ନିକଟରେ ସେ ବିଦେଶରୁ ଡିଗ୍ରୀ ନେଇ ଫେରିଛି ଏବଂ ବାଙ୍ଗାଲୋରରେ ନିଜର କାର୍ଯ୍ୟ ନିପୁଣତା ପ୍ରକାଶ କରିବା ପାଇଁ ସୁଯୋଗ ପାଇଛି ଏ ଏମ୍. ଟି କମ୍ପାନୀରେ ଚାକିରି ପାଇ ।

 

ମାତ୍ର ଦୁଇଦିନ ତଳେ ସେ ଫେରିଛି ବାଙ୍ଗାଲୋରରୁ କଟକକୁ । କେତେ ଉତ୍ସାହ, ଉଦ୍ଦୀପନା ତଥା ଉତ୍କଣ୍ଠାର ସହ ସେ ଏଇ କଟକ ସହରକୁ ଫେରିଛି । ଫେରିଛି ତାର ଅତି ଆଦରର ଅତି ପରିଚିତ ଏଇ ଦୁଇ ମହଲା କୋଠାଟିକୁ ଯେଉଁଠି ତା’ ଜୀବନର ଅନେକ କାହାଣୀ ଲିପିବଦ୍ଧ । ଏଇ ଚାରିକୋଠରୀ ବିଶିଷ୍ଟ କୋଠା, ତାର ମାମୁଁ ଠିକାଦାର ମଜୁମଦାର ଯାର ମାଲିକ, ଯାର ଛାୟାତଳେ ତାର ୨୦ ବର୍ଷ କଟି । ଅନେକ ସୁଖ, ଦୁଃଖ, ହସ କାନ୍ଦ ମାଧ୍ୟମରେ ସେ ଆଉ ମାନୁ, ତାର ମାମୁଁ ଓ ମାଇଁ ବାସ୍ ଚାରିଜଣ ସଭ୍ୟ ଏଇ ଘରର ।

 

ମାତ୍ର ଏଥରକ ଯେତେବେଳେ ଏଇ ଘରେ ପାଦ ଦେଲା, ତାକୁ ସବୁ କିଛି କାହିଁକି ଅଲଗା ଅଲଗା ଲାଗିଲା । ତାର ମାମୁ, ଯେ ସଦା ଗମ୍ଭୀର ମାତ୍ର ସହୃଦୟ ସେ କିଛିଟା ଅଧିକ ସଂଯମ ରକ୍ଷା କରୁଥିଲେ ତାକୁ ବ୍ୟବହାରରେ । ଆଉ ତାର ମାଇଁ, ଯା’ ଭିତରେ ସମୀର ନିଜ ମା’ର ସ୍ଥିତି ଅନୁଭବ କରିଛି, ସେ ଆଜି କାହିଁକି ଟିକିଏ ଅଲଗା ଅଲଗା ବ୍ୟବହାର କରୁଥିଲେ, ସବୁ କିଛି ଟିକିଏ ବେଶୀ ଯତ୍ନଶୀଳ ହୋଇ । ଆଉ ଶାନୁ ଯେ ତା’ ଧୂଳିଖେଳର ସାଥୀ - ମାମୁଙ୍କର ଏକମାତ୍ର ଝିଅ, ସେ ତ ଏକଦମ୍ ବଦଳିଯାଇଛି । ଏଇତ ଦୁଇମାସ ତଳେ ସେ ଯେବେ ପ୍ରଥମକରି ବାଙ୍ଗାଲୋର ଗଲା ସେ ଦିନ ଷ୍ଟେସନରେ ସମସ୍ତଙ୍କ ସାମ୍ନାରେ ସମୀରର ଦୁର ଗାଲରେ ଦୁଇଟା ଚାପୁଡ଼ା ଦେଇ କହିଥିଲା ଏଇଟା ଭଉଣୀକୁ ମନେ ରଖିବା ପାଇଁ । ସମସ୍ତଙ୍କଠୁ ବିଦାୟ ନେଇ ସମୀର ଯେତେବେଳେ ଟ୍ରେନ୍‍ରେ ବସିଲା ସେତେବେଳେ ଭାବୁଥିଲା ଏଇଟା ବି ଗୋଟାଏ ପ୍ରକାରର ସ୍ନେହର ପରିପ୍ରକାଶ । କିନ୍ତୁ ସେଇ ଶାନୁ ଏବେ... ଦୁଇମାସ ପରେ ଘରକୁ ଫେରି ଘରେ ପ୍ରବେଶ କଲାବେଳେ ମାତ୍ର ଥରଟିଏ ପାଇଁ ସେ ତାର ହସହସ ମୁହଁକୁ ପରଦା ଆଢ଼ୁଆଳରେ ଦେଖିଥିଲା । ବାସ୍ ଆଉ ଯେ ଏବେ ଦେଖାହେଲା, ଆଇନା ସାମ୍ନାରେ.... ‘‘କଣ ହୋଇଛି’’ ବୋଲି ପ୍ରଶ୍ନ କଲା । ମାତ୍ର ଶାନୁ କାନ୍ଦ କାନ୍ଦ ହୋଇ ଭିତରକୁ ଚାଲିଗଲା....କିଛି ବୁଝା ପଡ଼ୁନଥିଲା ସୀମରକୁ ।

 

ସନ୍ଧ୍ୟାରେ କିଛି ସମୟ ଟେନିସ୍ ପ୍ରାକ୍ଟିସ୍ କରି ଫେରିଲା ବେଳକୁ ସମୀର ଦେଖିଲା, କେତେକ ଗଣ୍ୟମାନ୍ୟ ବ୍ୟକ୍ତି ବାରଣ୍ଡାରେ ଏପାଖ ସେପାଖ ଦେଉଛନ୍ତି । ଆଉ କେତେକ ଡ୍ରଇରୁମରେ ବସି ଖୁସି ଗପକରୁ ଥିବାର ଦେଖି ମନେ ମନେ ବିସ୍ମିତ ହୋଇ ମନେ ପକାଇବାକୁ ଚେଷ୍ଟାକଲା ଆଜି ଏଇ ଉତ୍ସବର କାରଣ କ’ଣ ନାଇଁ ତ ଆଜି କାହାର ଜନ୍ମଦିନ ନୁହେଁ । ତେବେ...-? ଘର ଭିତରେ ପଶୁ ପଶୁ କିଛି ଲୋକ ଉଠି ଉଠି ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇଲେ ଏବଂ ଯନ୍ତ୍ରଚାଳିତ ପରି ସମସ୍ତଙ୍କୁ ପ୍ରତ୍ୟୁତ୍ତର ଦେଇ ସେ ଡ୍ରଇରୁମ୍ ପାରି ହେଲା ବେଳକୁ ତାର ମାମୁ ଗୁରୁଗମ୍ଭୀର କଣ୍ଠରେ କହିବାର ଶୁଣିଲା ‘‘ଯାଅ ଡ୍ରେସ୍ ବଦଳାଇ ଆସ ।”

 

ପାଞ୍ଚ ଦଶ ମିନିଟ୍ ପରେ ଅତ୍ୟାଧୁନିକ ସୁଟରେ ଆଚ୍ଛାଦିତ ହୋଇ ଡ୍ରଇରୁମ୍‍କୁ ପଶିଆସିଲା ସମୀର । ଦେଖିଲା ସମସ୍ତେ ଖୁବ୍ ଖୁସି ମଜାରେ ବ୍ୟସ୍ତ । ଅଗତ୍ୟା ନିଜେ ମଧ୍ୟ ଢାଳିଦେଲା ସୁଖ ମୁହୂର୍ତ୍ତର ଅବୋଧ ସୁଅରେ । ମାତ୍ର ମନ ମଧ୍ୟରେ ଜିଜ୍ଞାସା ଥିଲା ଏ ସବୁର କାରଣ କ’ଣ ?

 

ସୋ, ଲେଡିଜ୍ ଆଣ୍ଡ ଜେଣ୍ଟସ୍ ! ମଜୁମ୍‍ଦାରଙ୍କର ଗୁରୁଗମ୍ଭୀର କଣ୍ଠସ୍ୱର ପ୍ରତିଧ୍ୱନିତ ହେଲା ଛୋଟ ମାତ୍ର ସୁସଜ୍ଜିତ ଡ୍ରଇ ରୁମ୍‍ଟିରେ । ମୁଁ ଆଜି ପରି ଏକ ସୁଦିନର ଏଇ ସୁମୁହୂର୍ତ୍ତରେ ଆପଣଙ୍କ ସାମ୍ନାରେ ଘୋଷଣା କରିବୁ ଚାହେଁ... କରତାଳି ଏବଂ ହାସ୍ୟଧ୍ୱନି ମାମୁଙ୍କ ସ୍ୱରକୁ ପ୍ରାୟତଃ ଦବାଇଦେଲା ।

 

...ଯେ ଆଉ ମାତ୍ର ୨ ମାସ ପରେ ମାନେ ଫେବୃୟାରୀ ୨୦ ତାରିଖରେ ମୁଁ ପୁଣି ଗୋଟାଏ ଉତ୍ସବର ଆୟୋଜନ କରିବି । ସେଇଟା, ମୋ ପାଇଁ, ମୋ ପରିବାର ପାଇଁ, ବିଶେଷକରି ମୋର ସ୍ନେହର ଶାନୁ ଏବଂ ସମୀର ପାଇଁ ବିଶେଷ ଭାବେ ହେବ ଗୁରୁତ୍ୱପୂର୍ଣ୍ଣ ଦିବସ । ହଁ ସେଇଦିନଠାରୁ ସେମାନେ ତାଙ୍କର ନୂଆ ଜୀବନ ଆରମ୍ଭ କରିବେ । ସେ ଦିନ ହେବ ସେମାନଙ୍କର ବିବାହ ଉତ୍ସବ ଏବଂ ଆଜି ପ୍ରକ୍ରିୟାର ପ୍ରାରମ୍ଭରେ ହେବ ନିର୍ବନ୍ଧ ।

 

ଅତି ଖୁସି ମନରେ ଉତ୍‍ଫୁଲିତ ହୋଇ ମଜୁମ୍‍ଦାର ସାହେବ ଏଇ କଥାଗୁଡ଼ାକ କହିଲା ବେଳକୁ ଉପସ୍ଥିତ ଜନତାଙ୍କ ହାସ୍ୟଧ୍ୱନି ଏବଂ କରତାଳିରେ କୋଠାରୀଟି ପ୍ରକମ୍ପିତ ହୋଇଉଠୁଥିଲା ପ୍ରତ୍ୟେକଟି ବାକ୍ୟ ଶେଷରେ ।

 

ତା’ ପରେ ଆରମ୍ଭ ହେଲା ପ୍ରଥାନୁସଂଗିକ କାର୍ଯ୍ୟକ୍ରମ । ସ୍ତ୍ରୀଲୋକ କେତେଜଣ ଗୋଟାଏ କଂସା ପାତ୍ର ଧରି ପଶି ଆସିଲେ ଡ୍ରଇ ରୁମ୍‍କୁ ଯେଉଁଥିରେ କିଛିଟା ପୂଜା ଦ୍ରବ୍ୟ ସହ ଗୋଟାଏ ସୁନା ମୁଦି ଥିଲା । ମଜୁମଦାର ସାହେବ ମୁଦିଟି ନେଇ ସମୀର ହାତ ଆଙ୍ଗୁଳିରେ ପିନ୍ଧାଇ ଦେଲାବେଳେ କୁଳ ପୁରୋହିତ ଶ୍ଳୋକ ଆବୃତି କରୁଥିଲା । ଆଉ ଉପସ୍ଥିତ ଜନତା କରତାଳି ଏବଂ ହାସ୍ୟ ଧ୍ୱନିରେ କୋଠରୀଟିକୁ ପ୍ରକମ୍ପିତ କରୁଥିଲେ ।

 

ମାତ୍ର ହଠାତ୍‍ ଭିଡ଼ ଚିରି ମଜୁମଦାରଙ୍କ ସ୍ତ୍ରୀ ଡ୍ରଇରୁମକୁ ଧସେଇ ପଶିଆସି ମଜୁମଦାରଙ୍କୁ ଭିଡ଼ି ନେଇଗଲେ ଭିତର ଘରକୁ । ଉପସ୍ଥିତ ଜନତା ସ୍ତବ୍ଧ ହୋଇଗଲେ । କଥା କ’ଣ ? କେବଳ ପରସ୍ପରର ମୁହଁ ଚାହିଁ ଭାବ ନିର୍ଣ୍ଣୟ କରିବା ବ୍ୟତୀତ ଆଉ ଚାରା ବା କଣ ଥିଲା ?

 

ଫୋନ୍ କରାହେଲା । ରିଙ୍ଗ୍ କରି ଡାକ୍ତରଙ୍କୁ ଡକାହେଲା । ଜଣେ ନୁହଁ, ସମ୍ଭବତଃ ଅନେକ ଜଣଙ୍କୁ । ଉପସ୍ଥିତ ଅତିଥିଙ୍କ ମଧ୍ୟରୁ କେତେକ ଡାକ୍ତର ମଧ୍ୟ ଭିତରକୁ ଚାଲିଗଲେ । ସମୀର ସକୁ ଦେଖିଲା, ମାତ୍ର କିଛି ବୁଝାପଡ଼ିଲାନି ତାକୁ । ଚେୟାର ଉପରୁ ଉଠିଲା । ପ୍ରଶ୍ନିଳ ଆଖିରେ ପାଖର ଲୋକଙ୍କ ମୁହଁକୁ ଚାହିଁଲା । ନିରାଶ ହେଲା, ପୁଣି ପାଦ ଉଠାଇ ଚାଲିଲା ଭିତର ଘରକୁ ।

 

ଓଃ ଏ କ’ଣ । ଖଟ ଉପରେ ତାର ଅତି ଆପଣାର ଶାନୁ, ସୁଖ ଦୁଃଖର ସାଥୀ, ଏକ ମାତ୍ର ଭଉଣୀ ଯେ ଏଇ ମାତ୍ର ମାମୁଙ୍କ ନିଷ୍ପତ୍ତି ବଳରେ ତା’ର ସାମ୍ଭାବ୍ୟ ସ୍ତ୍ରୀ ପଡ଼ିଛି । ଏବଂ ତା’ରି ଉପରେ ଝୁଲି ପଡ଼ିଛନ୍ତି କେତେ ଗୁଡ଼ାଏ ଓଜନିଆ ମୁଣ୍ଡ, ହାତରେ ଷ୍ଟେଥୋ ନେଇ । ଗୋଟାଏ ପାଖେ ମାଇଁଙ୍କ ସହ ପଡ଼ିଶା ସ୍ତ୍ରୀ ଲୋକମାନେ ତଥା ଅତିଥିମାନେ ଜମା ହୋଇଛନ୍ତି ।

 

ସମୀର ଆଗକୁ ବଢ଼ିଲା, ବିଛଣା ପାଖରେ ପହଞ୍ଚିଲା, ହାତ ପାପୁଲିକୁ ନେଇ କପାଳରେ ରଖିଲା, ଧୀରେ ଧୀରେ ଡାକିଲା, ଶାନୁମ.....ଶାନୁ...ଆଖି ଖୋଲ ଶାନୁ ।

 

ଶାନୁ ଆଖି ଖୋଲିଲା । ସମୀରକୁ ଦେଖିଲା, ହାତରେ ହାତ ନେବାକୁ ଚେଷ୍ଟାକରି କହିଲା, “ମୁଁ ପାରିବିନି...ନା...ମୁଁ ଏଇୟା ଠିକ୍ ଭାବିଲି...ଭାଇ”, ବାସ୍ ଏତିକି, ବହୁକଷ୍ଟରେ ଏତିକି କହି ପୁଣି ଆଖି ବନ୍ଦ କରିଦେଲା ଶାନୁ । ଏଥରକ ଚିରଦିନ ପାଇଁ । ଫାମିଲି ଡାକ୍ତର ମଧ୍ୟ ଏଇ କଥା ଜଣାଇ ଦୁଃଖ ମନରେ ମଜୁମଦାରଙ୍କ କାନ୍ଧ ଥାପୁଡ଼ାଇ ଚାଲିଗଲେ ।

 

ଘରଟିର ପରିବେଶ ସମ୍ପୂର୍ଣ୍ଣ ଭାବେ ବଦଳିଗଲା । ଅଭିନନ୍ଦନ ଓ ହାସ୍ୟରୋଳ...ଆହା ତଥା ସାନ୍ତ୍ୱନାକୁ ଅନ୍ୟ ଶବ୍ଦ ପରିବର୍ତ୍ତିତ ହୋଇଗଲା । ଆଉ ମଜୁମଦାରଙ୍କ ଆଖିର ଲୁହ ତାଙ୍କର ସମସ୍ତ ସମ୍ଭ୍ରାନ୍ତପଣକୁ ଧୋଇ ପକାଉଥିଲା ।

 

ଦିନ ବିତିଗଲା, ପରିବେଶ ବଦଳିଗଲା । ମଜୁମଦାର ସାହେବ ନିଜର କାମ ଭିତରେ ଶାନ୍ତି ଖୋଜିବାରେ ଲାଗିଲେ ଏବଂ ମାଇଁ ଗପସପ ମାଧ୍ୟମରେ ଦୁଃଖ ଭୁଲିଗଲେ । ମାତ୍ର ସମୀର, ସମୀର ମନରେ ଯେଉଁ ଆଘାତ ଲାଗିଲା ତାକୁ ସେ ଭୁଲି ପାରିଲାନି ।

 

ଅଧିକାଂଶ ସମୟରେ ତାର ମନରେ ଗୋଟାଏ ପ୍ରଶ୍ନ ଉଙ୍କିମାରେ । ଏ ସବୁ କ’ଣ ହେଲା, ଏଥିପାଇଁ ଦାୟୀ କିଏ ? ଶାନୁର ଅକାଳ ବିୟୋଗ ପାଇଁ ଦାୟୀ କିଏ ? କାହିଁକି ତାର ଏ ପରିଣତି-?

 

ଅନେକ ଦିନ ବିତିଯାଇଛି ୟା ମଧ୍ୟରେ । ଦୁନିଆର ସୁଖ ଦୁଃଖର ଢେଉ ପିଟିହୋଇ କୁଳରେ ଖଣ୍ଡ ଖଣ୍ଡ ହୋଇ ବିଲୀନ ହୋଇ ଯାଇଛି ସେଇ ଦୁନିଆ ଭିତରେ । ପୁଣି ଘନେଇ ଆସିଛି ଦୁଃଖର ଦୁଆର । ମାତ୍ର ସେଇ ଯେ ଦୁଃଖର ପସରା ଖସି ପଡ଼ିଲା ସମୀରର ମୁଣ୍ଡରେ, ସମୀର ଅଲଗା ହୋଇଗଲା ଦୁନିଆରୁ ସମାଜରୁ । ଅନେକ ସମୟରେ ଲୋକେ ତାକୁ ଏକା ଦେଖିଛନ୍ତି । ବସି କ’ଣ ଭାବିବାର ଦେଖିଛନ୍ତି । କେବେ କେହି ତା’ ମୁହଁରେ ହସ ଦେଖି ନାହାନ୍ତି ।

 

ନିରୋଳାରେ ତାକୁ କେହି ଭେଟିଲେ ସେ କେବଳ ଗୋଟାଏ ପ୍ରଶ୍ନ କରିବାର ଲୋକେ ଶୁଣିଛନ୍ତି, ଶାନୁ କାହିଁକି ମଲା ? ତାକୁ କିଏ ମାରିଲା ? ମାତ୍ର ଲୋକେ ତା’ର ଏ ଅବାନ୍ତର ପ୍ରଶ୍ନ ଏଡ଼ାଇ ଦେଇ ଚାଲିଆସିଲେ ସେ ସେଇମିତି ରାସ୍ତା ଉପରେ ଠିଆ ହୋଇ ଭାବି ଚାଲିବାର ଦେଖୁଛନ୍ତି ।

Image